ପୃଷ୍ଠା:Arkakshetra konark.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ଥାନର ନାମ କୋଣାର୍କ ହେଲା କାହିଁକି ?

'କୋଣାର୍କ' ଶବ୍ଦଟିକୁ ଦୁଇ ଭାଗ କଲେ ହେବ, 'କୋଣ' ଏବଂ 'ଅର୍କ' ଅର୍ଥାତ୍‍ ଅର୍କଦେବଙ୍କର ଏଠାରେ କୌଣସି ଏକ କୋଣ ସହିତ ବିଶେଷ ସଂପର୍କ ଅଛି । ସୂର୍ଯ୍ୟଦେବଙ୍କର ବହୁ ନାମ ମଧ୍ୟରେ 'କୋଣାଦିତ୍ୟ' ଅନ୍ୟତମ । ଏଠାରେ ମଧ୍ୟ ଆଦିତ୍ୟ ଅର୍ଥାତ୍‍ ସୂର୍ଯ୍ୟଦେବଙ୍କର 'କୋଣ' ସହିତ ବିଶେଷ ସମ୍ପର୍କ ସୂଚିତ ହେଉଛି । ସେ କୋଣ କ'ଣ ଏବଂ ସେ ବିଶେଷ ସମ୍ପର୍କ କ'ଣ, ତାହା ଭିତରକୁ ପ୍ରବେଶ ନ କରି ଗବେଷକମାନେ ବିଷୟଟିକୁ ଅଯଥା ତର୍କଭାରାକ୍ରାନ୍ତ କରି ତୋଳିଛନ୍ତି । ମନମୋହନ ଗାଙ୍ଗୁଲୀ କହିଛନ୍ତି; ଚକ୍ରତୀର୍ଥ ପୁରୀ, ଯାହା ସେ ଯୁଗରେ ମଧ୍ୟ ଖ୍ୟାତନାମା ଥିଲା, ତାହାର ଉତ୍ତର-ପୂର୍ବ କୋଣରେ ପଦ୍ମକ୍ଷେତ୍ର (କୋଣାର୍କ) ଅବସ୍ଥିତ, ମାତ୍ର ଏହା ହିଁ ବୁଝାଉଛି ।(୧୧୩) କରୁଣାସାଗର କହିଛନ୍ତି, ସ୍ଥାନଟି "ଚକ୍ରକ୍ଷେତ୍ର' ଭୁବନେଶ୍ୱରର ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତିକୁ ମଧ୍ୟ ସୂଚିତ କରିପାରେ ।(୧୧୪) କରୁଣାସାଗର ସମ୍ଭାବ୍ୟ ବିକଳ୍ପ ଭାବେ ଭୁବନେଶ୍ୱରର ଦକ୍ଷିଣ-ପୂର୍ବ ହୋଇପାରେ ବୋଲି କହିଛନ୍ତି କିନ୍ତୁ ଅନ୍ୟ ଜଣେ ଲେଖକ ଶ୍ରୀ ଅମିୟଭୂଷଣ ତ୍ରିପାଠୀ ସେ ସମ୍ଭାବନାର ଗୋଟିଏ ଯୁକ୍ତିଯୁକ୍ତ ଭିତ୍ତିଭୂମି ଉପସ୍ଥାପନ କରିଛନ୍ତି । ସୂର୍ଯ୍ୟଙ୍କୁ ଶିବ ଓ ବିଷ୍ଣୁଙ୍କ ଅବତାର ଧରାଯାଏ । ଶିବଙ୍କୁ ବିଭି୍ନ ଦିଗରେ ଅର୍ଘ୍ୟଦେଲାବେଳେ ଦକ୍ଷିଣ-ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ସ୍ଥାନ ବୋଲି କୁହାଯାଇଥାଏ ।(୧୧୫) ସେହିପରି ସକାଳ, ଦି୍ୱପ୍ରହର ଓ ସନ୍ଧ୍ୟା ସମୟର ଅବସ୍ଥିତି ତଥା "ଉଦୟାଚଳ' ଶବ୍ଦଟିର ଅର୍ଥ ନେଇ ଅନେକ ତର୍କ ବିତର୍କ ହୋଇଛି । ଏପରିକି ଦୁଇଜଣ ଗବେଷକ ଉଦୟାଚଳକୁ ନେଇ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ମୁଣ୍ଡରେ ଥୋଇ ଦେଲେ । (୧୧୬) ଅନେକ ମାନସମନ୍ଥନ ହେଲା, କିନ୍ତୁ ମୂଳ ପ୍ରଶ୍ନଟି ରହିଗଲା ଅସମାହିତ । ଭବିଷ୍ୟ ପୁରାଣ ଓ ସ୍କନ୍ଧ ପୁରାଣ ଦିବସର ତିନୋଟି ବିଶେଷ ସମୟରେ ଭାରତର ତିନୋଟି ବିଶେଷ ସ୍ଥାନରେ ଦିବାକରଙ୍କ ପୂଜା କରିବାର ବିଧାନ କାହିଁକି ଦେଲେ ?

ବିଜ୍ଞାନର ଯେକୌଣସି ସାଧାରଣ ଛାତ୍ର ଜାଣେ, ସୂର୍ଯ୍ୟରଶ୍ମିରୁ ପ୍ରତିସରିତ ସପ୍ତରଙ୍ଗ (spectrum) ବାହାରେ ଆହୁରି ମଧ୍ୟ ରଶ୍ମି ଅଛି ଯାହା ଆଖିରେ ଦେଖାଯାଏ ନାହିଁ କିନ୍ତୁ ପରାକ୍ରମ ବିପୁଳ; ତାହା ହେଲା ଅବଲୋହିତ (Infrared) ଏବଂ ଅତି ନୀଳ ଲୋହିତ (Ultra-Violet) । ଆଜିକାର ଲେଜର ଚିକିତ୍ସାରେ ମୁଖ୍ୟତଃ ଏହି ରଶ୍ମି ବ୍ୟବହାର କରାଯାଏ । ବାୟୁମଣ୍ଡଳୀୟ ସ୍ତର ମଧ୍ୟ ଦେଇ ଗତି କରୁଥିବା ସୂର୍ଯ୍ୟ କିରଣ ଦିର ବିଭି୍ନ ସମୟରେ ବିଭି୍ନ ସ୍ଥାନରେ ବିଶେଷ କୋଣରୁ ପ୍ରତିସରିତ ରଶ୍ମି ଦ୍ୱାରା ରୋଗ ନିରାମୟକ କୌଣସି ପ୍ରଭାବ ପକାଏ କି ? ଏ ଦିଗରେ ବୈଜ୍ଞାନିକ ଗବେଷଣାର ପ୍ରୟୋଜନ ଅଛି ।

କିପରି ରାଜା ଥିଲେ ନରସିଂହ ଦେବ ?

ନରସିଂହଦେବଙ୍କୁ ଗଙ୍ଗବଂଶର ଶ୍ରେଷ୍ଠ ନରପତି କୁହାଯାଇଥାଏ ଦୁଇଟି କାରଣରୁ । ବହୁ ପ୍ରଜନ୍ମ ଧରି ଦକ୍ଷିଣରୁ ବିଭି୍ନ ରାଜାଙ୍କ ଆକ୍ରମଣ ଏବଂ ଉତ୍ତରରେ ମୁସଲମାନ ଆକ୍ରମଣରେ ଦେଶ ଥିଲା ଅଶାନ୍ତ । ସେ ଏହାର ସମାପ୍ତି ଟାଣିଲେ ଯାହା ତ୍ରୟୋଦଶ ଶତାବ୍ଦୀର ବାକି ସମୟ ସ୍ଥାୟୀ ରହିଲା ।(୧୧୭) ତାଙ୍କର ସାହସିକ ତଥା କୌଶଳପୂର୍ଣ୍ଣ ଯୁଦ୍ଧ ପରିଚାଳନାର ବିବରଣୀ ପୂର୍ବରୁ ଦିଆଯାଇଛି । ଦ୍ୱିତୀୟ କାରଣଟି, ଏ ଦେବ କୋଣାର୍କ ଭଳି ଅନବଦ୍ୟ ଦେବାଳୟ ସୃଷ୍ଟି କରିଥିଲେ ଯାହାର ପଟାନ୍ତର (ଭଗ୍ନ ଦଶାରେ ମଧ୍ୟ) ଏବେ ମଧ୍ୟ ନାହିଁ । ଏହାଛଡ଼ା ଅନ୍ୟ କିଛି ପରିଚୟ ଅଛି କି ମଣିଷ ଭାବପରେ ନରସିଂହ ଦେବଙ୍କର ? ବାୟାଚକଡ଼ାରେ କିଛି ଆଲୋଚିତ ହୋଇଛି । ମନେହୁଏ ଏ ରାଜାମାନଙ୍କ ମନ୍ଦିର ତୋଳିବା ନିଶା ଥିଲା କାରଣ କୋଣାର୍କ ଛଡା ଅନ୍ୟ କେତେକ ମନ୍ଦିର ଗଢ଼ିବାର ପ୍ରମାଣ ମିଳୁଛି । ଏହାଛଡ଼ା ଦାନଧ୍ୟାନ ଥିଲା ପ୍ରଚୁର ଅନ୍ତତଃ ଆଉ ଦୁଇଟି ମନ୍ଦିର ନିର୍ମାଣ ଓ ଲିଙ୍ଗରାଜ ମନ୍ଦିରକୁ ଦାନର ପ୍ରମାଣ ମିଳୁଛି ।(୧୧୮)

ଢେ଼ଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ କପିଳାସ ପାହାଡ଼ ଉପରେ ଶିଖରେଶ୍ୱର ମହାଦେବ ମନ୍ଦିର ନରସିଂହ ଦେବଙ୍କ କୀର୍ତ୍ତିି । ସୀମାଚଳମ୍‍ (ବର୍ତ୍ତମାନ ଆନ୍ଧ୍ରରେ) ମନ୍ଦିରର ବିମାନ, କଳସ, ମୁଖମଣ୍ଡପ ଓ ନାଟ୍ୟ ମଣ୍ଡପ ନରସିଂହ ଦେବଙ୍କ ଆଦେଶରେ ନିର୍ମିତ ହୋଇଥିଲା । କୋଣାର୍କ ଭଳି ଏଠାରେ ମଧ୍ୟ ଆରାଧନାରତ ନରସିଂହଦେବଙ୍କ ମୂର୍ତ୍ତିି ଅଛି । ପ୍ରଥମ ପରିଚ୍ଛେଦରେ କୁହାଯାଇଛି ଦକ୍ଷିଣର ଗୋଟିଏ ବିଜୟର ସ୍ମାରକୀ ସ୍ୱରୂପ ଲିଙ୍ଗରାଜ ମନ୍ଦିର ଗାତ୍ରରେ ଶିଳାଲେଖ ଉତ୍‍କୀର୍ଣ୍ଣ ହୋଇଥିଲା । ସେଇ ଶିଳାଲିପିରେ ଲିଙ୍ଗରାଜ ଓ ସିଦ୍ଧ ଲମ୍ବୋଦରଙ୍କ ଉଦ୍ଦେଶ୍ୟରେ ଦାନ କଥା ଲିଖିତ ଅଛି । ଏହା ପୂର୍ବେ, ଦ୍ୱିତୀୟ ନରସିଂହଦେବଙ୍କ ତାମ୍ର ଶାସନ କଥା କୁହାଯାଇଛି । ସେଇ ଶ୍ଲୋକର ପ୍ରଥମ ଦୁଇ ଧାଡ଼ି :

"କୁର୍ବନ୍ ପ୍ରକାଶ ମନିଶଂ ଦ୍ୱିଜସାଚ୍ଚ କୃତ୍ୱା ।
ମେରୁ ତୁଳାପୁରୁଷ ମୁଖ୍ୟ ମହାର୍ଥ-ଦାନୈଃ ।"

ଅର୍ଥ, ନରସିଂହଦେବ ମଣିଷ ଓଜନ ସମାନ ସ୍ୱର୍ଣ୍ଣଦାନ କରି ଦେବତାଙ୍କ ସଙ୍ଗେ ବସିବାର ଯୋଗ୍ୟତା ଲଭିଥିଲେ । କୃପାସିନ୍ଧୁ ଅର୍ଥ କରିଛନ୍ତି ରାଜା ତୁଳାପୁରୁଷ ରୂପ ମହାଦାନ କରିଥିଲେ; ଏପରିକି ମେରୁ ପର୍ବତ ସମାନ ବିପୁଳ ସ୍ୱର୍ଣ୍ଣ ଦାନ କରିଥିଲେ ।(୧୧୯)

ଅର୍କକ୍ଷେତ୍ର କୋଣାର୍କ . ୪୯