Jump to content

ପୃଷ୍ଠା:Arkakshetra konark.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ଥାପତ୍ୟ ବିଚାର :

ସ୍ଥାପତ୍ୟ ଶବ୍ଦଟିର ଅର୍ଥ ଅତି ବ୍ୟାପକ ।ଏହା ସହିତ ବାସ୍ତୁ ବିଜ୍ଞାନ, ପ୍ରଯୁକ୍ତି ଓ ଭାସ୍କର୍ଯ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।ସ୍ଥପତି ମୂଳତଃ ଗୋଟିଏ ଶିଳ୍ପୀ ।ତାହାର ସୃଷ୍ଟି ପଛରେ ଶିଳ୍ପୀସୁଲଭ ଦାର୍ଶିକତା ସବୁବେଳେ କାମ କରିଥାଏ ।କୋଣାର୍କ ଦେଉଳ ଆଉ ପାଞ୍ଚଟା ଦେଉଳ ଠାରୁ ନିଆରା । ଏହା ଶିଳ୍ପ ଭାସ୍କର୍ଯ୍ୟର ମହାକାବ୍ୟ ।ବିଶ୍ୱର ଶହ ଶହ ଶିଳ୍ପୀ, ଲେଖକ, ଦାର୍ଶିକ ଏ ମହାକାବ୍ୟର ବ୍ୟାଖା କରି ବହୁ ସନ୍ଦର୍ଭ ଓ ଗ୍ରନ୍ଥ ଲେଖିଛନ୍ତି ଏବଂ ଆଗକୁ ଲେଖା ହେବ ମଧ୍ୟ ।ଏ ମନ୍ଦିର ନିର୍ମାଣ ପଛରେ କେଉଁ ଦାର୍ଶିକତା କାର୍ଯ୍ୟ କରିଥିଲା, ବୁଝିବାକୁ ଚେଷ୍ଟା କଲେ ନିର୍ମାଣ ସହିତ ଜଡ଼ିତ ପ୍ରତିଟି ପଦକ୍ଷେପ ବୁଝିବା ସହଜତର ହେବ ।

ଭଗ୍ନ ବିମାନ ସ୍ଥାନରେ, ମନଶ୍ଚକ୍ଷୁରେ ଗୋଟିଏ ପୂର୍ଣ୍ଣ ବିମାନ ବସେଇ ଦେଇ ଦେଖିଲେ ମନେ ହେବ, ଏହା ଗୋଟିଏ ବିଶାଳ ରଥ ଯାହା ଗଡ଼ି ଚାଲିଛି ଅନେକଗୁଡ଼ିଏ ଚକ ଉପରେ ।ତାହା ପରେ ନଜର ପଡ଼ିବ ସମ୍ମୁଖର ୭ଟି ଘୋଡ଼ା ଉପରେ ।ଦର୍ଶକ ଭାବିବ କାହିଁକି ଏ ପରିକଳ୍ପା? ସମଗ୍ର ବିଶ୍ୱରେ ରଥ ରୂପେ ପରିକଳ୍ପିତ ସୂର୍ଯ୍ୟ ମନ୍ଦିର, ଏକମାତ୍ର କୋଣାର୍କ ।ମନ୍ଦିରର ଅଳଂକରଣରେ ରଥଚକ୍ରର ପରିକଳ୍ପା କେତେକ ସ୍ଥାନରେ ହୋଇଛି, କିନ୍ତୁ ସେ ବିକ୍ଷିପ୍ତ ପ୍ରଚେଷ୍ଟା ପଛରେ ବିଶେଷ କୌଣସି ଦାର୍ଶିକତା ନାହିଁ ।ଦୃଷ୍ଟାନ୍ତ ସ୍ୱରୂପ, କୁମ୍ଭକୋଣମ୍‍ ନିକଟସ୍ଥ ଐରାବତେଶ୍ୱର ମନ୍ଦିର କଥା ଉଲ୍ଲେଖ କରାଯାଇଥାଏ ।ଏପରିକି କେତେକେ କହିଥାଆନ୍ତି, ଚୋଳବଂଶ ସହିତ ଓଡ଼ିଶାର ଗଙ୍ଗବଂଶର ନୃପତିମାନଙ୍କର ବୈବାହିକ ସମ୍ପର୍କ ଥିବାରୁ ଚୋଳବଂଶର କୀର୍ତ୍ତିି ଐରାବତେଶ୍ୱର, କୋଣାର୍କର ରଥ ପରିକଳ୍ପାକୁ ପ୍ରଭାବିତ କରିଥାଇପାରେ ।ଐତିହାସିକ C. Sivaram Murty ଙ୍କ ମତ, ଚୋଳ ରାଜକନ୍ୟା ରାଜସୁନ୍ଦରୀଙ୍କ ସହିତ ଚୋଡଗଙ୍ଗଦେବଙ୍କ ବିବାହ, ଚୋଡ଼ଗଙ୍ଗ ପରବର୍ତ୍ତୀ ସପ୍ତମ ନରପତି ନରସିଂହଙ୍କୁ ପ୍ରଭାବିତ କରିଥାଇପାରେ ।କରୁଣାସାଗର ବିଷୟଟିର ବିସ୍ତୃତ ଆଲୋଚନା କରି କେତେକ ତଥ୍ୟ ଉପସ୍ଥାପନ କରିଛନ୍ତି କିନ୍ତୁ କୌଣସି ମତାମତ ଦେଇ ନାହାଁନ୍ତି ।(୧୯୬) ତଥ୍ୟଗୁଡ଼ିକର ବ୍ୟାଖ୍ୟା ଲେଖକର ନିଜସ୍ୱ ।

[[ଫାଇଲ:|423px|page=87]]
(ଫଟୋ-୧୩) ଫଟୋ-୧୩ : ଐରାବତେଶ୍ୱର ମନ୍ଦିର

ରାଜସୁନ୍ଦରୀହେଉଛନ୍ତି ରାଜେନ୍ଦ୍ର ଚୋଳଙ୍କ କନ୍ୟା ।୧୦୬୨ରୁ୧୦୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରାଜେନ୍ଦ୍ର ଚୋଳ ରାଜତ୍ୱ କରୁଥିଲେ ।ମାତ୍ର ପାର୍ଶୀ ବ୍ରାଉନ୍‍ଙ୍କ ମତରେ ଐରାବତେଶ୍ୱର ନିର୍ମାଣ ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ । K.A.N. Sastri ଙ୍କ ମତରେ ୧୧୪୬ରୁ୧୧୭୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ନିର୍ମିତ ହୋଇଥିଲା । ରାଜସୁନ୍ଦରୀ ତାଙ୍କ ଜନ୍ମର ଶତବର୍ଷ ଅଥବା ତତୋଽଧିକ ବର୍ଷ ପରେ ନିର୍ମିତ ଐରାବତେଶ୍ୱର ସହିତ ପରିଚିତ ଥିବା ସମ୍ଭବ ନୁହେଁ, ଆହୁରି ଅସମ୍ଭବ, ସପ୍ତମ ପୁରୁଷ ନରସିଂହ ଦେବ ପ୍ରଭାବିତ ହେବା । ସ୍ପଷ୍ଟତଃ ଏହା ଗୋଟିଏ କଷ୍ଟକଳ୍ପା ମାତ୍ର ।

ଇତିହାସ ଛାଡ଼ି ଐରାବତେଶ୍ୱର ମନ୍ଦିରର ଚକ ଓ ଘୋଡ଼ା ଦେଖାଯାଉ ।

ଅର୍କକ୍ଷେତ୍ର କୋଣାର୍କ . ୮୭