ପୃଷ୍ଠା:Asha Tara Dekhiba.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପକ୍ରମ

ମଣିଷ ଆଖିକୁ ଦିଶୁଥିବା ସବୁଠାରୁ ବଡ ଜିନିଷ ବୋଧହୁଏ ଆକାଶ । ଗୋଟିଏ ବିରାଟ ତମ୍ବୁ ଭଳି ଏହା ଆମକୁ ଘୋଡ଼ାଇ ରଖିଥିଲା ଭଳି ମନେ ହୁଏ । ଆଦିମ ମଣିଷ ଆକାଶକୁ ପୃଥିବୀର ଘୋଡ଼ଣୀ ବୋଲି ଧରି ନେଇଥିଲା । ମଣିଷ ସମାଜ ଆଗେଇବା ସହିତ ଆକାଶ ବିଷୟରେ କେତେ ନୂଆ ଚିନ୍ତା ଆସିଲା । ତଥାପି ଆଜିକୁ ମାତ୍ର ୫୦୦ ବର୍ଷ ଆଗ ଯାଏଁ ବି ଆକାଶର ଠିକ ରୂପକୁ ମଣିଷ ବୁଝି ପାରି ନଥିଲା । ବିଜ୍ଞାନୀମାନେ ଭାବୁଥିଲେ ଯେ ଆକାଶଟା ବିଶ୍ୱର ଘୋଡ଼ଣୀ ଓ ତାରାମାନେ ସେଥିରେ ଖଞ୍ଜା ହୋଇ ସ୍ଥିର ଭାବରେ ରହିଛନ୍ତି ।

ଗଲା କେତେ ଶହ ବର୍ଷ ଭିତରେ ମଣିଷର ଜ୍ଞାନ ବିଜ୍ଞାନ ବହୁତ ଆଗେଇଛି । ବିଶ୍ୱର ପ୍ରକୃତ ରୂପକୁ ସେ ଏବେ ମୋଟାମୋଟି ଭାବରେ ଜାଣି ପାରିଛି । ଆଦିମ ମଣିଷର ଓ ଆମର ଆଖି ଦେଖା ଆକାଶ ଆଜି ମହାକାଶ ବା ମହାଶୂନ୍ୟ । ତା’ର କିଛି ସ୍ଥୂଳ ରୂପ ନାହିଁ । ତାରାମାନେ ଏହି ମହାକାଶରେ ଖେଳାଇ ହୋଇ ରହିଛନ୍ତି । ଆମଠାରୁ ପ୍ରତିଟିର ଦୂରତା ଅଲଗା ଅଲଗା । ସେମାନଙ୍କର ଆକାର, ଗଠନ, ଜୀବନ, ମରଣ ଏଭଳି କେତେ କଥା ଆଜି ଆମେ ଜାଣିଛେ ।

ତଥାପି ଉପରକୁ ଆଖି ଉଠିଗଲେ ମନକୁ ଆଗ ଆସିଯାଏ ଆକାଶର ସେହି 'ଛତା’ ରୁପ । ରାତି ଆକାଶର ଝିଲିମିଲି ତାରାମାନେ ମଣିଷ ମନକୁ ଏବେ ବି ଟାଣି ନିଅନ୍ତି । ତାରାଙ୍କୁ ଯୋଡ଼ି ଆପେ ଆପେ କେତେ ଚିତ୍ର ମନରେ ଭାସିଉଠେ । କେଉଁଠି ରଷିଙ୍କର ଦଳ ଦିଶେ ତ କେଉଁଠି ବଡ଼ ବିଛା । ତାଙ୍କର ନାଁ ସବୁ ମନେ ପଡିଯାଏ- ଧୁବ, ସ୍ୱାତୀ, ଚିତ୍ରା, ମଘା, ପ୍ରଶ୍ୱା .... । ଆଉ ଆଖି ବୁଜିଲେ ସେମାନଙ୍କର କାହାଣୀ କେତେ ମନରେ ଖେଳେ ।

ମଣିଷ ତା’ର କୁତୂହଳୀରୁ ତାରା ଦେଖା ଆରମ୍ଭ କଲା । ଏ ବିଷୟରେ ଅଧିକ ବୁଝିବାର ଆଗ୍ରହରୁ କାଳ କାଳ ଧରି ସେ ଆକାଶକୁ ଲକ୍ଷ୍ୟ କଲା । ଆକାଶରେ ତାରାମାନଙ୍କର ସ୍ଥିତି ଓ ଗତିକୁ ମାପି ଚାଲିଲା । ସହଜରେ ଚିହ୍ନିବା ପାଇଁ ତାରାଙ୍କୁ ଦଳ ଦଳ କରି ସଜାଇଲା । ଆଖି ଦେଖା ଅନୁଭୂତି ଓ ମାପଚୁପକୁ ନେଇ ବିଜ୍ଞାନୀମାନେ ବିଶ୍ୱର ଗଠନ ଦିଗରେ କେତେ ପରିକଳ୍ପନା କଲେ । ଅଧିକ ନୀରିକ୍ଷଣ, ତର୍କ ଓ ପରଖ ବଳରେ ଏହି ପରିକଳ୍ପନା ସବୁ ପାକଳ ହେଲା । ଏହି ଧାରାରେ ବଢି ବଢି ଆକାଶ ବିଜ୍ଞାନ ଏବେ ବିଶ୍ୱର କେତେ ରହସ୍ୟକୁ ବୁଝାଇ ପାରିଛି ।