ପୃଷ୍ଠା:Bhasa o Jatiyata.pdf/୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪

ଭାଷା ଓ ଜାତୀୟତା

ଅକାଳରେ । ସେତେବେଳେକୁ ଓଡ଼ିଆ ଓ ଆସାମ ଭାଷା ସମୃଦ୍ଧ ହୋଇ ସାରିଲେଣି । ବଙ୍ଗଳା କେବଳ କଥିତଭାଷା ରୂପେ ଆତ୍ମପରିଚୟ ଖୋଜିବାରେ ବ୍ୟସ୍ତ ଥିଲା । ଯଦି ଏହି ସମୟରେ ଅସାମିୟା ଓ ଓଡ଼ିଆଭାଷା ବଙ୍ଗଳାର ଏହି ଉପଭାଷାଗୁଡ଼ିକୁ ପ୍ରଭାବିତ କରି ନିଜ ନିୟନ୍ତ୍ରଣରେ ରଖିପାରନ୍ତେ, ତେବେ ବଙ୍ଗଳାଭାଷା ସୃଷ୍ଟି ହୋଇ ନ ଥାନ୍ତା । କିନ୍ତୁ ଇଂରେଜ ଉପନିବେଶ ସାମ୍ରଜ୍ୟ କଲିକତାଠାରେ ସୃଷ୍ଟି ହେବାଦ୍ୱାରା ଏହି ନଗରୀରେ ଆତ୍ମପ୍ରକାଶ କାଲା ଏକ ଶିକ୍ଷିତ, ମଧ୍ୟବିତ ବଙ୍ଗଳାଗୋଷ୍ଠୀ । ଏମାନେ ନିଜ ପରିଚୟ ଖୋଜିବାକୁ ଯାଇ ନିଜକୁ ବଙ୍ଗାଳୀ ଓ ନିଜର ଭାଷା ବଙ୍ଗଳା ବୋଲି ଘୋଷଣା କଲେ । ଇଂରାଜୀ ସାହିତ୍ୟ ଢାଞ୍ଚାରେ ଏହି ଭାଷାରେ ସୃଷ୍ଟିକଲେ ସାହିତ୍ୟ । ଏହା ହେଲା ବଙ୍ଗ ଶିକ୍ଷାଦାନବ୍ୟବସ୍ଥାର ମାଧ୍ୟମ । ପ୍ରଥମ କରି ବଙ୍ଗଳା ସମାଜର କେନ୍ଦ୍ରବିନ୍ଦୁ କଲିକତାଠାରେ ସ୍ଥାପିତ ହୁଏ, ଯାହା ଆଡ଼କୁ ଆକର୍ଷିତ ହୋଇ ଆସନ୍ତି ତଥାକଥିତ ସେହି ଖେଚୁଡ଼ି ବଙ୍ଗ ଉପଭାଷାଗୁଡ଼ିକ । ଫଳରେ କଲିକତା ବଙ୍ଗଳାଭାଷାର ମର୍ଯ୍ୟାଦା ବଢ଼ିଲା । ତଦନୁସାରେ ଆୟତନ ମଧ୍ୟ ବଢ଼ିଲା । ଯିଏ ଯେଉଁ ଅଞ୍ଚଳର ହୋଇଥାଉନା କାହିଁକି କଲିକତାର ମାନକ ବଙ୍ଗଳାଭାଷାକୁ ସମ୍ମାନ ଦେବାକୁ ହେବ - ଏହି ଚିନ୍ତାଧାରାଦ୍ୱାରା ବଙ୍ଗଳାଜାତିରେ ଯେଉଁ ସାମାଜିକ ଅଙ୍ଗୀକାରବଦ୍ଧତା ସୃଷ୍ଟି ହେଲା, ତଦ୍ୱାରା ସର୍ବଭାରତୀୟ ସ୍ତରରେ ସେମାନଙ୍କର ଆତ୍ମମର୍ଯ୍ୟାଦା ବୃଦ୍ଧି ହେବା ସହିତ ଏକ ସ୍ୱାଭିମାନୀ ଶିକ୍ଷିତଜାତି ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କଲେ । ସେମାନଙ୍କୁ ବେଶି ଭାବପ୍ରବଣ କରି ଆହୁରି ମର୍ଯ୍ୟାଦାବନ୍ତ କରିଥିଲା ବଙ୍ଗଭଙ୍ଗ ଆନ୍ଦୋଳନ । ଏପରିକି ଧାର୍ମକ ବିଭେଦରୁ ପୂର୍ବବଙ୍ଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ବଙ୍ଗଳାଭାଷା ପ୍ରତି ଅନୁରକ୍ତି କମି ନଥିଲା । ପୂର୍ବବଙ୍ଗ ମୁସଲମାନଙ୍କ ଓଠରୁ ଯେତେବେଳେ ବଙ୍ଗଳାଭାଷାକୁ ଛଡ଼ାଇ ଉର୍ଦ୍ଦୁଭାଷା ପ୍ରଚଳନପାଇଁ ପାକିସ୍ତାନ ସରକାର ୨୧ ମାର୍ଚ୍ଚ ୧୯୪୮ରେ ଘୋଷଣା କଲେ, ଏହାର ଦୃଢ଼ ପ୍ରତିବାଦ କରି ମୃତ୍ୟୁକୁ ଆଲିଙ୍ଗନ କରିବାକୁ ସହସ୍ର ସଂଖ୍ୟାର ପୂର୍ବବଙ୍ଗବାସୀ ମୁସଲମାନବଙ୍ଗଳୀ ପଛାଇଲେ ନାହିଁ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାଷା ପ୍ରତି ବଙ୍ଗଳୀଙ୍କର ଏହି ମୋହ ହିଁ ଦୁଇଶହ ବର୍ଷ ଭିତରେ ବିଶ୍ୱର ପ୍ରମୁଖ ଭାଷା ମାନ୍ୟତା ପାଇପାରିବା ସହ ୨୧ ଫେବୃଆରୀ ୧୯୫୨(୮ ଫାଲ୍ଗୁନ ୧୩୫୯)ରେ ଢାକା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ପାକିସ୍ତାନୀ ପୋଲିସଙ୍କ ଗୁଳିଚାଳନାରେ ମୃତ୍ୟୁ ଲାଭ କରିଥିବା ଶହୀଦଙ୍କ ପ୍ରତି ସମ୍ମାନ ଜଣାଇ ମାତୃଭାଷାପାଇଁ ଜୀବନ ଦେଇଥିବା ମୁସଲମାନ ବଙ୍ଗବାସୀଙ୍କ ସ୍ମୃତିରେ ଏହି ଦିବସକୁ ବିଶ୍ୱ ମାତୃଭାଷା ଦିବସ ଭାବେ ପଳନ କରିବାକୁ ଜାତିସଂଘ ଘୋଷଣା କରିଛି । ଏତିକରେ ବଙ୍ଗଭାଷୀ ସନ୍ତୁଷ୍ଟ ହୋଇନାହାନ୍ତି । ବାଙ୍ଗଳାଭାଷାକୁ ଜାତିସଂଘର ଭାଷା ଭାବରେ ଗ୍ରହଣ କରିଯିବାପାଇଁ ଦାବି କରିବା ସହ ଏହା କିପରି କାର୍ଯ୍ୟକାରୀ ହେବ, ସେହି ପ୍ରୟାସ ଆରମ୍ଭ କଲେଣି ବଙ୍ଗଳାଦେଶର ବଙ୍ଗଭାଷୀଗଣ । ଅଥଚ ଭାରତର ବଙ୍ଗବାସୀ ନିଜର ଏହି ଗୌରବକୁ ଗୁରୁତ୍ୱ ନ ଦେଇ ଇଂରାଜୀ ମୋହରେ ଆମଭଳି ପୀଡିତ ଅଛନ୍ତି ।