ପୃଷ୍ଠା:Bhasa o Jatiyata.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୦
ଭାଷା ଓ ଜାତୀୟତା
 

ଛୁଇଁନାହିଁ । ବୋଧହୁଏ ସେଇଥିପାଇଁ ଖାରବେଳଙ୍କଠାରୁ କପିଳେନ୍ଦ୍ର‌ଦେବଙ୍କ ପର୍ଯ୍ୟନ୍ତ ଆମର ଭାଷା, ସାହିତ୍ୟ, ସଂସ୍କୃତି, ଲିପି କିପରି ଥିଲା, ତାହା ଏବେ ବି ଅଜଣା ହୋଇ ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ରାଜନୈତିକ ଚିତ୍ରପଟ୍ଟରୁ ଜଣାପଡେ ଯେ,ଖାରବେଳଙ୍କ ମୃତ୍ୟୁପରେ କଳିଙ୍ଗ ବା ଓଡ଼ିଶାମାଟିରେ କୌଣସି ଶକ୍ତିଶାଳୀ ରାଜାର ଆବିର୍ଭାବ ଦୀର୍ଘଦିନ ଧରି ଘଟି ନ ଥିଲା । ତେଣୁ ଏହା ପଶ୍ଚିମର ସାତବାହନ ଓ ଉତ୍ତରର କୁଶାଣ, ମୁରୂଣ୍ଡ ଶାସନ ଅନ୍ତର୍ଭୁକ୍ତ ହୋଇଯାଇଥିଲା ।

ପୂର୍ବରୁ ଆଲୋଚିତ ହୋଇଛି ଯେ,କୁଶାଣ ଶାସକ ସଂସ୍କୃତଭାଷା ପୃଷ୍ଠପୋଷକ ସାଜିଥିବାବେଳେ ସାତବାହନ ଓ ମୁରୁଣ୍ଡ ଶାସକ ତଦନୁଗାମୀ ଥିଲେ । ଇଂରେଜ ଶାସନ ବ୍ୟବସ୍ଥା‌ଦ୍ୱାରା ପ୍ରବର୍ତ୍ତିତ ଇଂରେଜଭାଷା ପ୍ରଭାବରେ ବର୍ତ୍ତମାନର କଥିତ ଓଡ଼ିଆଭାଷା ସୀମିତ ରହିବାପରି ସେହି କାଳ ଭିତରେ ଓଡ଼ିଆଭାଷା କେବଳ କଥନ ମଧ୍ୟରେ ସୀମିତ ଥିଲା । ପୁସ୍ତକଚର୍ଚ୍ଚା, ରାଜକାର୍ଯ୍ୟ ସବୁକିଛି ସଂସ୍କୃତରେ ହେଉଥିଲା; ବର୍ତ୍ତମାନ ଯେପରି ଓଡ଼ିଆ ଆମର ମାତୃଭାଷା ହୋଇ ବି ସରକାରଙ୍କ ସବୁକିଛି କାର୍ଯ୍ୟ ଇଂରାଜୀରେ ହେଉଛି । ତାହା ହୋଇ ନ ଥିଲେ ମଗଧର ମୁରୁଣ୍ଡବଂଶ ଲୋପ କରିଥିବା ଅଦ୍ୱିତୀୟ ଓଡିଆଯୋଦ୍ଧା ଶତୃଭଂଜଙ୍କ କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖ ଓଡ଼ିଆ ମିଶା ସଂସ୍କୃତ ଭାଷାରେ ଲେଖାଯାଇ ନ ଥାନ୍ତା ତଥା ପରବର୍ତ୍ତୀ ମାଠର ଓ ଗଙ୍ଗବଂଶୀ ଓଡ଼ିଆରାଜାଙ୍କ‌ଦ୍ୱାରା ସଂସ୍କୃତଭାଷା ପୃଷ୍ଠପୋଷକତା ପାଇ ନ ଥାନ୍ତା । ଯଦିଓ ମଗଧରେ ଗୁପ୍ତବଂଶ ସଂସ୍କୃତର ଭୂୟୋବିକାଶ ଘଟାଇଥିଲେ, ତଥାପି ଏହି ସମୟ ଭିତରେ ସଂସ୍କୃତଭାଷା ବିକାଶକ୍ଷେତ୍ରରେ କଳିଙ୍ଗ ବା ଓଡ଼ିଶାର କମ୍ଅ ବଦାନ ନ ଥିଲା । ‘ପଞ୍ଚତନ୍ତ୍ର’ର ରଚୟିତା ବିଷ୍ଣୁଶର୍ମାଠାରୁ ଆରମ୍ଭକରି ବିଶ୍ୱନାଥ କବିରାଜ, ବିଦ୍ୟାଧର, କୃଷ୍ଣାନନ୍ଦ, ସତ୍ୟାନନ୍ଦ, ଜୟଦେବଙ୍କ ପର୍ଯ୍ୟନ୍ତ ବିଶ୍ୱବିଖ୍ୟାତ କବି ଏହାର ଦୃଷ୍ଟାନ୍ତ । ଏପରିକି କେହିକେହି ଭରତମୁନି ଓ କାଳିଦାସଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି କୁହନ୍ତି । ମାତ୍ର ତାହା ପ୍ରମାଣ ସାପେକ୍ଷ ।

ତେଣୁ ଓଡ଼ିଶାରେ ସଂସ୍କୃତ ସାହିତ୍ୟର ଏହି ବିଶାଳ ଭଣ୍ଡାର ଓ ରାଜ ପୃଷ୍ଠପୋଷକତାକୁ ଲକ୍ଷ୍ୟକରି ଓଡ଼ିଆଭାଷାକୁ ସଂସ୍କୃତର ସନ୍ତାନ କହିବାରେ କୌଣସି ଯୁକ୍ତିଯୁକ୍ତତା ନାହିଁ । ବରଂ ଗୁପ୍ତକାଳୀନ ସଂସ୍କୃତସମ ଭଗିନୀ କହିଲେ ଭୁଲ୍ ହେବନାହିଁ ଯଦି ପାଲି ବା ପଲ୍ଲୀ ଭାଷାକୁ ଓଡ଼ିଆ ଭାଷାର ଜନନୀ ଭାବେ ଗ୍ରହଣ କରାଯାଏ । ବୋଧହୁଏ ସେଥିପାଇଁ ଗଙ୍ଗଶାସକଙ୍କ ଅଭିଲେଖରେ ଓଡ଼ିଆ ସହିତ ତେଲୁଗୁ, ତାମିଲ୍, ସଂସ୍କୃତ ଭାଷା ପ୍ରୟୋଗ କରାଯାଇ ଓଡ଼ିଆଭାଷାକୁ ଉକ୍ତ ତିନିଭାଷା ସହ ସମାନ ମର୍ଯ୍ୟାଦା ଦିଆଯାଇଛି । ତେଣୁ ଓଡ଼ିଆଭାଷାର ଉତ୍ପତ୍ତି ଓ ସେହି ଏକହଜାର ବର୍ଷର ସ୍ଥିତି ସଂପର୍କରେ ବିସ୍ତୃତ ଗବେଷଣା କରିବାର ଆବଶ୍ୟକ ଅଛି । ତାହା ଯଦି ନ କରିବା, ବଂଗାଳୀଙ୍କଠାରୁ ଶୁଣିବାକୁ ପାଇବା ଓଡ଼ିଆ ତାଙ୍କର ସାନ ଭଉଣୀ । ହିନ୍ଦୀଭାଷୀ କହିବେ ମାଗଧୀରୁ ଓଡ଼ିଆ ଜନ୍ମ । ଆଉ ଆମ