ପ୍ରାୟ ପନ୍ଦର ବର୍ଷ ତଳର କଥା । ସେତେବେଳେ ଭାରତ ସରକାରଙ୍କ ମାନବ ସମ୍ବଳ, ଯୁବ ଓ କ୍ରୀଡା ମନ୍ତ୍ରାଳୟରେ ପରାମର୍ଶଦାତା ଭାବରେ କାମ କରୁଥାଏ ଓ ଏହା ସହିତ “ୟୁନିଭରସିଟି ଟକ୍ ଏଡ୍ସ” ବା ବିଶ୍ୱବିଦ୍ୟାଳୟରେ ଏଡ୍ସ ଚର୍ଚ୍ଚା ନାମକ (ୟୁଟିଏ) ଏକ ରାଷ୍ଟ୍ରୀୟ ଯୁବ ଜାଗରଣ ଆନ୍ଦୋଳନର ରାଷ୍ଟ୍ରୀୟ ସଂଯୋଜନା ଦାୟିତ୍ୱରେ ଥାଏ । ଦେଶର ୧୯୦ଟି ବିଶ୍ୱବିଦ୍ୟାଳୟର ପ୍ରାୟ କୋଡିଏ ଲକ୍ଷ ଛାତ୍ର ଛାତ୍ରୀ ଏହି ସୂଚନା ଓ ଶିକ୍ଷା ଅଭିଯାନରେ ସାମିଲ ହୋଇ ସାରା ଦେଶରେ ‘ଏଚ୍ଆଇଭି ଏବଂ ଏଡ୍ସ’ ସମ୍ପର୍କରେ ସମାଜକୁ ସଚେତନ କରୁଥାନ୍ତି । ଦୁଇବର୍ଷ ଭିତରେ ଏହାର ଲୋକପ୍ରିୟତା ଓ ସଫଳତାରେ ପ୍ରଭାବିତ ହୋଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପୃଥିବୀର ଏକ ‘ବେଷ୍ଟ ପ୍ରାକ୍ଟିସ୍’ ବୋଲି ଘୋଷଣା କରିବା ସଙ୍ଗେସଙ୍ଗେ ମତେ ପ୍ରଥମେ ଆମ୍ଷ୍ଟରଡାମ୍ ବିଶ୍ୱ ସମ୍ମିଳନୀ, ତା’ପରେ ବର୍ଲିନ୍ ବିଶ୍ୱ ସମ୍ମିଳନୀ ଏବଂ ଶେଷରେ ଦକ୍ଷିଣ ପୂର୍ବ ଏସିଆରେ ଏଡ୍ସ ଉପରେ କାମ କରୁଥିବା ଉଚ୍ଚ ପଦାଧିକାରୀମାନଙ୍କ ସମ୍ମିଳନୀରେ କହିବାକୁ ଡାକିଥିଲେ । ଶେଷ ସମ୍ମିଳନୀରେ ଇଣ୍ଡୋନେସିଆରୁ ଡବ୍ଲ୍ୟୁଏଚ୍ଓ ତରଫରୁ ଶ୍ରୀ ଜର୍ଜ ଲୋଥ୍ ଯୋଗ ଦେଇଥିଲେ । ୨୦ ଲକ୍ଷ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବିନା ପଇସାରେ ଏହି ଶିକ୍ଷା ଓ ସୂଚନା ଆନ୍ଦୋଳନରେ କାମ କରୁଥିବା ଶୁଣି ସେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଇଣ୍ଡୋନେସିଆରେ ଏପରି ଏକ ଜାତୀୟ ଯୁବ-ଜାଗରଣର ଖସଡା ଓ ଯୋଜନା ପ୍ରସ୍ତୁତିରେ ମୁଁ ସାହାଯ୍ୟ କରିପାରିବି କି ବୋଲି ପଚାରିଥିଲେ । ମୁଁ କହିଲି ଆପଣ ଭାରତ ସରକାରଙ୍କୁ ପଚାରନ୍ତୁ । ଏହି ଘଟଣାର ତିନି ମାସ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଯୁବ କଲ୍ୟାଣ ମନ୍ତ୍ରାଳୟ ସହ ସମ୍ପର୍କ ରଖି ମତେ