ଗଳ୍ପସ୍ୱଳ୍ପ
ମାଧ ମହାନ୍ତିଙ୍କ କନ୍ୟାସୁନା
ମାଧ ମହାନ୍ତିଙ୍କ ଘର ମଧୁପୁର । ଜାତିରେ ବଳରାମ ଗୋତ୍ରୀ । ବୟସ ସତୁରିକ ଭିତରେ । ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୂରା ପନ୍ଦର ବର୍ଷର ଝିଅଟିଏ, ନାମ ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢ଼ୀ ଚାଲି ଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି'ଥର ଶୁଣା ଯାଇଥିଲା, ତାଙ୍କ ଦରଦୀ ଲୋକେ ମଧ୍ୟ କହି ବୁଲିଥିଲେ । ଦୁଇ ତିନି ବର୍ଷଯାଏ ତାଙ୍କ ମନ ବି ବିବାହ ହେବା ଲାଗି ସକସକ ହୋଇଥିଲା, କେବଳ କନ୍ୟାସୁନା ବାଡ଼ଟା ବଡ଼ ଟାଣ ପଡିବାରୁ ପଛଘୁଞ୍ଚା ଦେଲେ । ଦୁଇ ତିନି ବର୍ଷଯାଏ କହି ବୁଲିଲେ, "ନାହିଁ ରେ ବାପା ନାହିଁ, କାହୁଁ ଗୋଟାଏ ଆସି ମୋ ଛୁଆକୁ ହେଟାଦର କରିବ, ମା ଛେଉଣ୍ଡଟି କାନ୍ଦିବ, ତା ବିକଳ ସହି ପାରିବି ନାହିଁ ।" ମା ମଲା ଦିନରୁ ସେଇ ସାତ ବର୍ଷର ଝିଅ ମାଳତୀ- ବାପା ଝିଅ ଦୁଇଜଣଙ୍କର ଭାତ ରାନ୍ଧେ, ସଙ୍ଖୁଡି ବାସନ ମାଜେ । ଘରର ଆଉ ଆଉ ପାଇଟି ବି ତା ଜିମା ।
ମହାନ୍ତିଙ୍କର ଆଉ ଗୋଟିଏ ଝିଅ ଥିଲା, ନାମ ମାଧବୀ । ବୁଢ଼ୀ ମରିବା ଚାରି ମାସ ଆଗେ ମହାନ୍ତିଏ ସାତଶହ ଟଙ୍କା କନ୍ୟାସୁନାରେ ଷାଠିଏ ବର୍ଷର ଗୋଟିଏ ବୁଢ଼ାବରକୁ ସାଢ଼େ ଆଠ ବରଷର କନ୍ୟା ଟେକି ଦେଇ ଗୌରୀଦାନର ଫଳ ଷୋଳପଣି ଅର୍ଜିଥିଲେ । ସେ କନ୍ୟାଟି ଏଗାର ବର୍ଷ ବୟସରୁ ବିଧବା । ଯେ ବିଭା ହୋଇ ଯାଇଛି, ବାପ-ଘରମୁହାଁ କେଭେ ହୋଇନାହିଁ ।
ମୁଲକର ଆଉ ଝିଅଙ୍କ ପରି ମାଳତୀଟି ବି ଦିନକୁ ଦିନ ବଢ଼ି ପନ୍ଦର ବର୍ଷରେ ପାଦ ଦେଲାଣି । ରୂପରେ, ଗୁଣରେ ମାଳତୀର ସମକଛ ଝିଅଟିଏ ମଧୁପୁର ତ ମଧୁପୁର, ଦଶଖଣ୍ଡ ଗାଁରେ ହେଲେ ଗୋଟିଏ ଖୋଜି ପାଇବ ନାହିଁ । ଲୋକେ କହନ୍ତି, ଗୋବର ଗଡ଼ିଆରେ ପଦ୍ମଫୁଲ ଫୁଟିଛି । ମାଳତୀ ଗାଁ ଝିଅଙ୍କ ପରି ଆଉ ଆଉ ସମବୟସୀ ଝିଅଙ୍କ ସାଙ୍ଗରେ ହେଁ ହେଁ, ଫେଁ ଫେଁ ହେବାର କେହି ଦେଖି ନାହିଁ । କବାଟଟି କିଳିଦେଇ ଘରେ ଆପଣା ପାଇଟିରେ ଲାଗିଥାଏ । ପାଣି ଆଣିବା ପାଇଁ ପୋଖରୀକୁ ଯାହା ବାହାରେ । ମୁଣ୍ଡରେ ସାନ ଓଢଣାଟି ଟାଣି ଦେଇ, ମାଠିଆଟି କାଖେଇ ଗାଁ ଗୋହରୀ ଏକପାଖିଆ ଧିରେ ଧିରେ ଚାଲିଯାଏ । ଗାଁର ପାଞ୍ଚ ମାଇପେ କହନ୍ତି, ମାଳତୀର ଚାଲିଟି କେଡେ ସୁନ୍ଦର । ପନ୍ଦର ବର୍ଷର ଅଭିଆଡ଼ୀ ଝିଅଟାକୁ ଘରେ ରଖିଛି, ଗାଁରେ ଜାତିରେ ମହାନ୍ତିଙ୍କୁ ବଡ଼ ଧିକାରିଲେଣି । ଆଉ ଏଣିକି ମହାନ୍ତିଏ ସମ୍ଭାଳି ହୋଇ ପାରୁ ନାହାନ୍ତି । ଝିଅଟି ଯେ ଆଜିଯାଏ ବିଭା ହୋଇ ଯାଇ ନାହିଁ । ସେଥିର କାରଣ, ଝିଅ ବିଭା ହୋଇ ଗଲେ ଭାତ ଦି'ଟା ଫୁଟାଫୁଟି କରି ଦେବ କିଏ ? ଆଉ ଏପରି ଗୁଣବତୀଟିଏ ବା କାହୁଁ ପାଇବେ ? ମହାନ୍ତିଏ ସକାଳୁ ଉଠି ଦୁଇ ଜଣ ମାନିଆ ଚାଉଳ ମାଣର ଠିକ କଣ୍ଟରେ ମାପି ଦେଇ ଯାନ୍ତି । ମାଳତୀ ଆପଣା ପେଟରୁ କାଟି ସେଥିରୁ ମୁଠିଏ ଚାଉଳରେ ବାପା ସଞ୍ଜବେଳେ ବିଲବାହୁଡ଼ା ଖାଇବ ବୋଲି ଗୋଟିଏ ସାନ ପୋଡ଼ାପିଠା, ନୋହିଲେ ପଖାଳ ମୁଠିଏ କରି ରଖି ଦେଇଥାଏ । ମହାନ୍ତିଏ ଚାଉଳ ମାପି ଦେବାବେଳେ ଗୋଟିଏ ଖୁବ ସାନ ଶାମୁକାରେ ଲୁଣ ମାପି ଦିଅନ୍ତି । ବାଡ଼ିର କୟାଁ ଗଛଟିରେ ବର୍ଷକ ତରକାରି ଚଳେ । କୟାଁ ପାଚିଲେ ମହାନ୍ତିଏ ନିଜେ ଗଛରୁ ପାରି, ଖୋଷା ଛଡାଇ, ପାରୁ କାଢ଼ି, ମାଠିଆ ମାଠିଆ ପୂରାଇ କୋଲପଘରେ ରଖି ଦେଇଥାନ୍ତି ।ସେଥିରୁ ବାପ ଝିଅଙ୍କ ପାଇଁ ଠିକ ଦୁଇ ଫଡ଼ି କାଢ଼ି ଦିଅନ୍ତି ।ମାଳତୀଟି ବଡ଼ ଦୟାବତୀ, ବାପକୁ ବଡ଼ ଭଲପାଏ । ଏକା ବାପା କ୍ୟାଁ, ସମସ୍ତଙ୍କୁ ଭଲପାଏ । ଗୋଟିଏ ବିରାଡ଼ି ପିଲା ପୋଷିଛି, ସେଇଟି ତାହାର ନିର୍ଜନ ଘରେ ସଙ୍ଗିନୀ -ସବୁବେଳେ