ପୃଷ୍ଠା:Galpa swalpa.djvu/୧୧୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

ରୋକ୍ ଠୋକ୍ ଦି ତିନି ଶହ ଟଙ୍କା ଲୋକସାନ ! ମନରେ ସ୍ଥିର କଲେ, ସାତ ଶହ ଟଙ୍କାରୁ ଉଣା କନ୍ୟାସୁନା ହେଲେ ଝିଅକୁ ଛାଡ଼ିବେ ନାହିଁ, ଝିଅ ପଛକେ ଦରବୁଢ଼ୀ ହୋଇ ଘରେ ବସିଥାଉ । ଘର କାମ ପାଇଟିପାଇଁ ଆଉ ଗୋଟାଏ ଆସିଲେ ଖାଆନ୍ତା, ନୋହିଲେ ଏଇଟା ଖାଇଲା । ଲୋକେ ନିନ୍ଦା କରୁଛନ୍ତି, କରନ୍ତୁ, ଲୋକ କଥାରେ କଣ ଅଛି ? ସେଥିଲାଗି କଣ ଏତେ ଟଙ୍କା ଲୋକସାନ ସହିବି ?

ମହାନ୍ତିଙ୍କର ଏବେ ଦିନ ରାତି ଚିନ୍ତା । କେବେ ସାତ ଶହ ଟଙ୍କା ଘରେ ପଶିବ । ଦିନେ ତାଙ୍କ ମନ ଡାକିଲା, ମାଳତୀ ମୁହଁଟା ଟିକିଏ ଅଧିକ ସୁନ୍ଦର ଦିଶିଲେ କନ୍ୟାସୁନା ବାଡ଼ ବଢ଼ିବ ପରା, ପାଟି କରି ଡାକିଲେ, "ଆଲୋ ମାଳତୀ ଶୁଣ ଶୁଣ, ଏହି ନେ ମାଣେ ଧାନ, ଗୋପୀ ସାଉ ଦୋକାନରୁ ହଳଦୀ ତେଲ କିଣି ଆଣ । ହଳଦୀ ବାଟି ରଖିଥିବୁ, ଅଳ୍ପ ବୁନ୍ଦାଏ ତେଲ ମିଶାଇ ଦେବୁ, ଦାଣ୍ଡକୁ ବାହାରିଲାବେଳେ ସେହି ହଳଦୀ ଟିକିଏ ମୁହଁରେ ମାରିଦେଇ ବାହାରିବୁ । କେହି ବାହା ବାତିନିଆ ଆସିଲେ ମୁହଁରେ ଟିକିଏ ବେଶି କରି ହଳଦୀ ବୋଳି ହେବୁ । ବୁଝି ଖବରଦାର ! ଆଇତି ସାଇତି ଖରଚ କରିବୁ, ଏଇ ହଳଦୀ ତେଲ ଯେମନ୍ତ ପୂରା ମାସେ ଯାଏ ।"

ମାଳତୀ ମୁଣ୍ଡ ପୋତି ଦେଇ ବାପା କଥା ସବୁ ଶୁଣିଲା- କଣ ତା ମନକୁ ଆସିଲା, ଘର ଭିତରେ ଅନ୍ଧାର କୋଣିଆ ବସି ମା ! ମା ! କହି ଢେର ବେଳଯାଏ କାନ୍ଦିଲା । ମାଳତୀ ଢେର ଥର ଏହିପରି ବସି କାନ୍ଦେ, ଆପେ ତୁନି ହୁଏ ।

ସକାଳ ଓଳି ଦିନ ଘଡ଼ିକ ବେଳେ ମହାନ୍ତିଏ ଆଗ ଦାଣ୍ଡ ପିଣ୍ଡାରେ ବସି ପିକା ବଳୁଛନ୍ତି, ବିଲ କାମ ଦେଖିବାକୁ ବାହାରିଲେ । ଟିକିଏ ଆଡ଼େଇ ଅନାଇ ଦେଲେ, ଯୋଡ଼ିଏ ବାଟୋଇ ବୁଢ଼ା ବେଢ଼ା ଉପରକୁ ଉଠୁଛନ୍ତି । ବାଟୋଇମାନେ ଧୋବଧାବଳିଆ ଭଲଲୋକ ପରି ଦିଶିଲେ । ମହାନ୍ତିଏ ମନରେ କଲେ, କେଜାଣି ଧୂଆଁପତ୍ର ମାଗିବେ ପରା ? ପାଖରେ ଟିକିଏ ଧୂଆଁପତ୍ର ପଡ଼ିଥିଲା, ଚଞ୍ଚଳ ଅଣ୍ଟାରେ ଖୋସିଦେଲେ ।

ଆଗ ବାଟୋଇ- ଆହେ ! ଏଇଟା କଣ ମାଧ ମହାନ୍ତିଙ୍କ ଘର ?

ମହାନ୍ତିଏ- କ୍ୟାଁ ? କଣ ବୋଲି ଯାଉନ୍ତୁ ।

ବାଟୋଇ- ଆମ୍ଭେମାନେ ମଙ୍ଗଳକୃତ୍ୟ ପ୍ରସଙ୍ଗରେ ଆସିଛୁଁ- ଆପଣ କଣ ମାଧ ମହାନ୍ତିଏ ?

ମହାନ୍ତିଏ- ଆସିବାହେଉ, ବସିବା ହେଉ । ଚଞ୍ଚଳ ଘର ଭିତରୁ ଆଣି ଦୁଇଖଣ୍ଡ ପଲାଣ ତାଟ ପାରିଦେଲେ । ବାଟୋଇମାନେ ବସିବାରୁ ମହାନ୍ତିଏ ଏକାବେଳକେ କଥା ଆରମ୍ଭ କରିଦେଲେ । ବୁଝିବାହେଲେ, ଢେର ଢେର ଆଡୁ ଢେର ଢେର ଲୋକ ଅଇଲେ- ଗଲେ, କଥା ପଟିଲା ନାହିଁ । ବୁଝିବା ହେଲେ- ଏଁ -ବୁଝିବା ହେଲେ- ନାହିଁ, ନାହିଁ, ଆଗେ କନ୍ୟାଟି ଦେଖନ୍ତୁ, ମନ ମାନେ, ପଛନ୍ତେ ଦେବା ନେବା କଥା । ଆଲୋ ମାଳତୀ ! ଏହି ଭଲଲୋକ ଆସିଛନ୍ତି, ଅଗଣାରେ ଛିଡ଼ା ହୋଇଯା ତ । ଆଲୋ ମୁଁ ଯାହା କହିଛି- ଏଁ, ବୁଝିଲୁଟି କି ?

ଭଲଲୋକ- ନାହିଁ ନାହିଁ ମହାନ୍ତିଏ, ଦେଖିବା ଲୋଡା ନାହିଁ- ତୁମ କନ୍ୟାର ରୂପ ଗୁଣ କଥା ଭଲ ଜଣା ଅଛି । ସେଇଥିଲାଗି କୁଆଡ଼େ ନ ଯାଇ ସଳଖେ ସଳଖେ ତୁମ ଦୁଆରକୁ ଅଇଲୁଁ ପରା !

ମହାନ୍ତିଏ- ତେବେ ଗୁଡାଏ ବକର ବକର ହେଲେ କଣ ହେବ, ଆମର ତ ସାଫ ଏକା କଥା । ଗୋଟିଏ ରା - ବୁଝନ୍ତୁ, କନ୍ୟାସୁନା ଠିକ ସାତ ଶହ ଟଙ୍କା । ପଇସାଏ, ଅଧଲାଏ, ଛଦାମ ବି ଊଣା ନୁହେଁ ।