ପୃଷ୍ଠା:Galpa swalpa.djvu/୧୩୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ଛୁଇଁବୁ ?ହାଡି ଘୋଷାରି ନେବେ ।ଏଇ ମରେଇମାନଙ୍କରେ ଯେତେ ଧାନ ଅଛି,ଯେତେ ଦ୍ରବ୍ୟ ଅଛି,ହାଡିଏ ନେବେ,ସେ ମାରୁ ଜିନିଷ କଣ କେହି ଛୁଇଁବ ?

ମାଧ ମହାନ୍ତି ପଡି ପଡି ସବୁ ଶୁଣିଲେ ।ବିଚାର କଲେ ଦେଶ ମେଳି ହେଲାଣି,ମହନ୍ତ ବି ସେମାନଙ୍କ ପଟରେ,ମୋର ତ ଏହି ହାଲ,ଉଛୁଣିକା ଯେବେ ସବୁ ବିତ୍ତ ଖୋଳାଖୋଳି କରି ଘେନିଯିବେ,କଅଣ କରିବି ?କାହିଁ ମାମଲା କରିବି -ଗୁହା କିଏ ହେବ ?ବଳରାମ ନାୟକଙ୍କୁ ପାଖକୁ ଡାକି ତାଙ୍କ ହାତଯୋଡିକ ଧଇଲେ ।କହିଲେ,"ତୁମେ ଆମ ଜାତିରେ ମଉଡମଣି,ମୁଁ ତୁମ ହାତ ଧରୁଛି,ସମସ୍ତଙ୍କ ଗୋଡତଳେ ପଡୁଛି ମୋର ସବୁ ଦୋଷ କ୍ଷମା କର,ମୋ ଝିଅଟିକୁ ବିଭା କରେଇ ଦିଅ ।ମୋ ହାଲ ତ ଦେଖୁଛ,ତା ମାମୁ କନ୍ୟା ସମର୍ପି ଦେବ ।"

ମହାନ୍ତିଙ୍କ ମୁହଁରୁ ଯିମିତି ଏହି ପଦକ ବାହାରିଛି,ମହନ୍ତ କଣ ଆଖି ଟିପି ଦେଲେ,ପଦୀ କନ୍ୟାକୁ ଘେନି ବର ପାଖରେ ଉପସ୍ଥିତ ।ବ୍ରାହ୍ମଣ ଭଣ୍ଡାରି ହାଜର ଥିଲେ,ସାଙ୍ଗେ ସାଙ୍ଗେ ମନ୍ତ୍ର ପାଠ,ବିଭା ଆରମ୍ଭ,ମାମୁ ସପନି ପାତ୍ରେ କନ୍ୟା ସମର୍ପି ଦେଲେ,ଘଣ୍ଟାକ ମଧରେ ବିଭା ସମାପ୍ତ ।

ବର କନ୍ୟା ମେଲାଣି ହେବେ -ମାଳତୀ ବାପା ଗୋଡ ଧରି ବାହୁନି ବସିଲା,ମହାନ୍ତିଏ ରାଗରେ ଗୋଡ ଛାଟି ଦେଲେ ଯେ କନ୍ୟା ଦୁଲ କରି ପଡିଗଲା ।ମାଳତୀର ସେଥିକି ଚିନ୍ତା ନାହିଁ,ପୁଣି ବାପା ଗୋଡ ଧରି କହିଲା -ବାପା,ତୁ ଉଛୁଣିକା ବାଧିକା ପଡିଛୁ,ମୁଁ ତୋ ପାଖରେ ରହି ସେବା କରିବି,ତୁ ଭଲ ହେଲେ ଯିବି ।"ମାଧ ମହାନ୍ତି -ଦୂର !ଦୂର !ପନ୍ଦର ବରଷ କାଳ ବସି ଖୁଆଇଲି,ଏବେ ଜଣକୁ ଦି'ଜଣ ବସି ଖାଇବ ପରା ?"

ପଦୀ ପାଖରେ ଛିଡା ହୋଇ ସବୁ ଶୁଣୁଥିଲା,ମାଳତୀକୁ କୁଣ୍ଢେଇ ଉଠାଇ ନେଇ ପାଲିଙ୍କିରେ ବସାଇ ଦେଲା ।ବର ତ ଆଗରୁ ଯାଇ ବସିଥିଲା,ଉଠାଅ ପାଲିଙ୍କି ।ବାଜାବାଲା ଆଉ ବରଯାତ୍ରୀଏ ସଜବାଜ ହେଉଁ ହେଉଁ 'ହୁଁ ମେରି ଭାଇ ରେ' ଡାକ ଛାଡି ପାଲିଙ୍କି ଗାଁ ବାହାର ଗହୀର ବିଲରେ ଦାଖଲ ।

ପାଞ୍ଚ ଛ ଦିନ ଉତ୍ତାରେ ମହନ୍ତ ଦିନେ ପାଖଲୋକଙ୍କୁ ଡାକି କହିଲେ,"ହୋଇ ରେ !ବିଭାଘର ଗଲାଠାରୁ ମାଧ ମହାନ୍ତି ତ ଦାଣ୍ଡରେ ଦିଶୁ ନାହିଁ ?ତାର ଜର ହୋଇଥିଲା,ବୁଝ ତ କଣ ହେଲା ?"ଯୋଡାଏ ପାଖ ଲୋକ ଧାଇଁଲେ,ଦାଣ୍ଡ ଦୁଆରେ,ବାଡି ଦୁଆରେ ଢେର ଡାକିଲେ,କବାଟରେ ଧଡ ଧଡ କରି ମାରିଲେ,କେହି ଶୁଣିବାକୁ ନାହିଁ ।ସେମାନେ କଣ କଲେ କି,ଗୋଟାଏ ନିଶୁଣି ପାଚିରୀରେ ଲଗାଇ ଦେଇ ଭିତରକୁ ଡେଇଁପଡିଲେ,ସଦର କବାଟ ଫିଟାଇ ଦେଲେ ।ଭିତର କାଣ୍ଡ ଦେଖି କାବା ହୋଇ ଗଲେଣି ।ମହାନ୍ତି ଘର ଭିତରଆଡକୁ ମୁଣ୍ଡ ଦେଇ ବାହାରକୁ ଗୋଟାଯାକ ଗୋଟାଏ ବଡ ମୋଟା ଢୋଲ ପରି ଦୁଆର ବନ୍ଧ ପାଖରେ ପଡିଛି ।ଅଧା ଲଙ୍ଗଳା -ମୁଣ୍ଡ ଘାଆଟା ମୁହଁର ଅଧାଅଧି ମାଡି ଗଲାଣି ।ପଣ ପଣ ମାଛି ଭଣ ଭଣ କରୁଛନ୍ତି ।ମେଞ୍ଚାକୁ ମେଞ୍ଚା ପୋକ ଘାଅରୁ ଝଡି ପଡୁଛନ୍ତି ।ଜଣାଯାଏ,ବର ବିଦା ବାଦେ ମହାନ୍ତି ବାହାର ସବୁ କବାଟ ଭଲ କରି କିଳି ଦେଇ ଘରକୁ ଶୋଇବାକୁ ଯାଉଥିଲା,ଯାଇ ପାରି ନାହିଁ ।ଦୁଆରବନ୍ଧ ପାଖରେ ପଡିଯାଇଛି ।ଟଙ୍କା ଥଳିଟା ଯାହା ସିଇଁ ରଖିଥିଲା ପାଖରେ ପଡିଛି ।

ଜାତି ଭାଇମାନେ,ପୁରୋହିତ ସମସ୍ତେ ମଠରେ ମହନ୍ତଙ୍କ ପାଖରେ ବସିଛନ୍ତି । ବିଚାର ଲାଗିଛି ।ମାତ୍ର ଗୋଟାଏ କଥା ଉଠିଲା,ମାଛିଆ ପାତକ ହୋଇଅଛି ଛୁଇଁବ କିଏ ?ଯେ ଛୁଇଁବ,ସେ ପ୍ରାୟଶ୍ଚିତ