ପୃଷ୍ଠା:Galpa swalpa.djvu/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫକୀରମୋହ‌ନ ଗ୍ରନ୍ଥାବଳୀ

କଚେରି ବାହୁଡ଼ା ଜମାଦାରେ ଆସି ପେସ୍କାରଙ୍କ ବସାରେ ରହିଲେ, ଦିଗବାର ମଧ୍ୟ ରହିଲା । ମାମଲା ତାରିଖ ଆଜଲଗାଏତ ଚାରିଦିନ । ଆଜି ଦିନଟା ତ ଗଲା - ତାରିଖ ଦିନ ମାମଲା ପଡିବ, ମଝିରେ ଯୋଡାଏ ଦିନ, ଫାଣ୍ଡିକୁ ଯାଇ ଆସି ହେବ ନାହିଁ । ଜମାଦାରେ ପେସ୍କାରଙ୍କ ବସାରେ ଥାଆନ୍ତି । ତୁଚ୍ଛାଟାରେ ହେଲେ ଦଶରଥ ଡାକି ହାକିମି ବୋଲରେ ଦିଗବାରକୁ ନାନା ଫରମାସ ବତାଉ ଥାଆନ୍ତି; ଅର୍ଥାତ୍ ଜମାଦାର ଡାକିଲେ ଦିଗବାର ଯେ 'ଆଜ୍ଞା ହଜୁର' କହେ, ତାହା ଲୋକେ ଶୁଣନ୍ତୁ, ଆଉ ତାହାଙ୍କ ତାବେ ଯେ ଲୋକେ ଅଛନ୍ତି,ଏହା ସମସ୍ତେ ଜାଣନ୍ତୁ ।

ରାତ୍ର ଅନ୍ଦାଜ ଏକ ପହର । ପେସ୍କାରେ ଗମ୍ଭୀରି ଭିତରେ ଗୋଟାଏ ସଉପମସିଣା ମେଲାଇ ବସିଛନ୍ତି । ଆଗରେ ଗୋଟାଏ ଦୀପରଖା । ଉପରେ ମାଟି ଦୀପଟାରେ ବଳିତାଟା ମିଟ ମିଟ କରି ଜଳୁଛି । ପେସ୍କାରଙ୍କ ଆଗରେ ନଥିପତ୍ର କାଗଜଗୁଡ଼ାଏ ବୁଣି ପଡିଛି । ପେସ୍କାରେ ନଥିର ଫେରସ୍ତ ଖୁବ୍ ମନଯୋଗୀ ହୋଇ ସଜାଡ଼ିବାରେ ବ୍ୟସ୍ତ । ଜମାଦାର କିଣାରାମ ସିଂ ପିଣ୍ଡାରେ ଚକାମାଡ଼ି ତୁନି ହୋଇ ବସିଛନ୍ତି । ଦିଗବାରଟା ଓଳିତଳେ ବସି ଜମାଦାରଙ୍କୁ ଚାହିଁଛି, କେତେବେଳେ କଣ ହୁକୁମ ହେବ । ରୋଷେଇଆ ପିଲା ଚୁଲୀ ଲଗାଇବାରେ ବ୍ୟସ୍ତ, ଚୁଲୀମୁହଁରେ ଲୁଣ୍ଡା ପକାଇ ଫୁଙ୍କୁଛି, ଠିକ୍ ଏହି ସମୟରେ ଶଦ୍ଦ ହେଲା, "ହରିବୋଲ - ହରିବୋଲ ପେସ୍କାର ବାବୁଙ୍କର ମଙ୍ଗଳ ହେଉ, ଜୟ ଜୟକାର ହେଉ ।"

ପେସ୍କାରେ ତୁଣ୍ଡ ବାରି ଘରୁ ବାହାରି ପଡିଲେ । "ଆସିବା ହେଉ ରଥେ, ଆସିବା ହେଉ, "କହି ଓଳଗିଟାଏ କଲେ ।ଗାଁର କୁଶଳ ମଙ୍ଗଳ ପଚାରିଲେ । ଆଗନ୍ତୁକ ଲୋକର ନାମ ପୁରୁଷୋତ୍ତମ ରଥେ, ପେସ୍କାର ବାବୁଙ୍କ ପୁରୋହିତ, ଏକା ଗାଁରେ ଘର । ରଥଙ୍କ ପୁଅ ଭିକା ପେସ୍କାର ବାବୁଙ୍କ ରୋଷେଇଆ । ପୁଅ ଦେଖାହେବ, ବଜାର ସଉଦା ହେବ, ଆଉ ରୋଜଗାରିଆ ଯଜମାନ, କେବେକେବେ କିଛି ପ୍ରାପ୍ତିର ଆଶା ମଧ୍ୟ ଥାଏ । ଏଥି ସକାଶେ ରଥେ ମାସକୁ ଥରେ ଦୁଇ ଥର ସହରକୁ ଆସି ଥାଆନ୍ତି । ପେସ୍କାରଙ୍କ ସହିତ କଥା ସମାପ୍ତ ଉତ୍ତାରେ ରଥେ ଚାରିଆଡ଼କୁ ଚାହିଁଲେ । ଆଜି କିଛି ନୂଆ ନୂଆ ଜଣାଗଲା, ଆଗେ ପହୁଞ୍ଚିବା ମାତ୍ର କିଣା ଭୁଇଁରେ ମୁଣ୍ଡିଆଟାଏ ମାରି ଗୋଡ ଧୋଇବାକୁ ପାଣି ଢାଳେ ଆଣି ଦିଏ - ଆଜି ଉଠୁ ନାହିଁ କିଆଁ ? ଆଉ ସମ୍ଭାଳି ନ ପାରି ଡାକଟାଏ ଦେଲେ, "ରେ କିଣା ! ରେ କିଣା !" କିଣୁ କିନ୍ତୁ ନିରୁତ୍ତର । ବ୍ରାହ୍ଣଣ ମନ ନକିତଳି ଅଳପକେ ତାତି ଯାଏ । କିଛି ଖପା ବୋଲରେ ଡାକିଲେ, "ରେ କିଣା !" ଉପସ୍ଥିତ କ୍ଷେତ୍ରରେ ରଥଙ୍କ କ୍ରୋଧ କରିବା ଖୁବ୍ ଅନ୍ୟାୟ । କାରଣ ରଥଙ୍କ ଆବିର୍ଭାବ ବିଷୟ କିଣାରାମ ସିଂହଙ୍କର ଅଜ୍ଞାତବ୍ୟ, ଏକଥା ଆମ୍ଭେମାନେ ଦୃଢ଼ରୂପେ ବୋଲିପାରୁଁ । ସିଂହେ ସେ ସମୟରେ ନାନା ଚିନ୍ତାରେ ମନ ସଂଯୋଗ କରିଥିଲେ । କିପରି ରାମ ବାପୁଡା ଜେଲ ଯିବ, ଫାଣ୍ଡିକୁ ବାହୁଡି ଯାଇ କିପରି ନୂଆ ରକମ ଜାରି କରିବେ, ସରକାରରୁ କିପରି ଖୁସ୍-ନାମ ମିଳିବ, ଆଉ ଦୁଇ ଚାରି ନମ୍ବର ମାମଲା ଚାଲାଣ ଦେଲେ କିପରି ଜମାଦାରୀ ପାଇବେ ଇତ୍ୟାଦି ନାନା ଭାବନାରେ ମନ ଫୁଲି ଉଠୁଥିଲା । ମନୋବିଜ୍ଞାନ ଦାର୍ଶନିକ ପଣ୍ଡିତେ ବୋଲନ୍ତି, ମନ ଗୋଟାଏ ବିଷୟରେ ସଂଲଗ୍ନ ଥିଲେ ଅନ୍ୟ ବିଷୟ ଧାରଣା କରିପାରେ ନାହିଁ । ସିଂହଙ୍କ ମନ ବର୍ତ୍ତମାନ ଗୋଟାଏ ନୁହେ; ପୁଞ୍ଜାଏ ପାଞ୍ଚଟା ବିଷୟରେ ସଂଲଗ୍ନ - ଏଥକୁ ସେ ରଥଙ୍କ ଡାକରା ଶୁଣି ପାରିଲେ ନାହିଁ ବୋଲି ତାହାଙ୍କୁ ଦୋଷୀ କରା ଯାଇ ନ ପାରେ; ମାତ୍ର ବ୍ରାହ୍ଣଣ ବାପୁଡା ତାହା ବୁଝିଲା ନାହିଁ । ପୁନର୍ବାର - "ରେ କିଣା, ରେ କିଣା ! ପାଣି ଢାଳେ ଦେ" ଗୋଡ ଧୋଇବି । ସିଂହେ ଚମକି ପଡ଼ି ରଥଙ୍କୁ ଚାହିଁଲେ, ପୁଣି ଦିଗବାର ଉପରେ ନଜର ପଡିଗଲା ।