ପୃଷ୍ଠା:Galpa swalpa.djvu/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ପାଖରେ ପଡ଼ିଥାଏ; କାରଣ ତେତିକିବେଳେ ନେକଡ଼ିୟା ଆସି ବାଛୁରୀଟା ଘେନି ପଳାଇ ପାରେ । ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ଆସିଛି ବୋଲି ମହାକୁଡ଼ ଜାଣିପାରେ । ଆରେ ରେ ରେ କୁହାଟଟା ମାରିଦେଲେ ଯେଡ଼େ ବାଘ ହେଉ ଛାଡ଼ି ପଳାନ୍ତି । ବାଘ ଗୁଡ଼ାକ ମହାକୁଡ଼ ଡାକ ବାରି ପାରନ୍ତି । ବଣରେ ଯିମିତି କୁକୁଡ଼ା ଗୁଡ଼ାକ କୁକୁ କୁକୁ କରିବେ ମଇଁଷିପଲ ବସାକୁ ନେଉଟି ଆସନ୍ତି । ତେତିକିବେଳେ ମହାକୁଡ଼ ଦୁହାଁଳୀ ମଇଁଷିଗୁଡ଼ାଙ୍କୁ ଛନ୍ଦି ଦୁହିଁ ପକାଏ । ଦିନ ଘଡ଼ିକି ସରିକି ମହାକୁଡ଼ାଣୀ ଦେବକୀ କାଣ୍ଡିଆ କୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡ଼ପିଠା, ପାଞ୍ଚ ସେର ଅକାଣ୍ଡିଆ ବରଗଡ଼ା ଚାଉଳ ଆଉ ଧୂଆଁପତ୍ର ବିଡ଼େ ଧରି ଗୋଠରେ ହାଜର । ମହାକୁଡ଼ର ତେତିକି ମାତ୍ର ଦୈନିକ ଖାଦ୍ୟ । ସକାଳୁ ପିଠାଟି ଖାଇ ଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଏ । ଦିନ ଦୁଇ ପହର ସରିକି ଅଢ଼େଇ ସେର ଚାଉଳ ଟିକିଏ ଫୁଟାଫୁଟି କରିଦିଏ । ବଣରୁ ଯଦି କିଛି କାଙ୍କଡ଼, ଡଙ୍କ, ମଟକା, ଫୁଟଗୁଡ଼ୀ ମିଳି ଥାଏ ତାକୁ ଚାଉଳରେ ପକାଇ ଦେଇ ଥାଏ । ତରକାରୀ ପାଇଁ ଶୋଚନା ନଥାଏ । ବଖତରେ ୨.୨୫ ସେର ଚାଉଳ, ଦୁଇ ସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ । ବୋଇଲା –

‘ମଇଁଷି ମଣେ ନୁହା ଚଣାଖିଆ,

ଘୁଷୁରୀ ମଣେ ଧାଈ।’

ମହାକୁଡ଼ାଣୀ ଚାଉଳ ପିଠା ତେତିକ ଦେଇ ଘରର ଦୁଃଖ ସୁଖ, ଗାଁ’ର ହାଲଚାଲ, ବନ୍ଧୁବାନ୍ଧବ ଖବରାଖବର କହି ନିତି ଦୁଧ କଳସିଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡ଼ି ଆସେ । ଗ୍ରୀଷ୍ମକାଳରେ ମହାକୁଡ଼କୁ କିଛି ହରବରରେ ପଡ଼ିବାକୁ ହୁଏ । ବଣରେ ନାହିଁ ପାଣି, ଏଣେ ମଇଁଷିଗୁଡ଼ାକ ଦୁଇପହର ଯାଏ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ଦିଶୁଥାଏ । କ’ଣ କରିବେ? ବଣରୁ ବାହାରି ପାଟକୂଳରେ ଆସି ପଡ଼ନ୍ତି । ସେଠାରେ ପାଣି ଆଉ ଚରାର ଅଭାବ ଥାଏ ନାହିଁ । ମହାକୁଡ଼ ବଡ଼ ଗୋଟାଏ ତାଳପତ୍ର ଛତା ପାଟ କୂଳରେ ପୋତି ଦେଇ ତାହାରି ଭିତରେ ରୋଷେଇବାସ କରେ ଓ ରାତିରେ କଠୋଉ ଯୋଡ଼ାକ ମୁଣ୍ଡରେ ଦେଇ ତେଲଗୁଣି ପୋକ ପରି ମୋଡ଼ିମାଡ଼ି ଶୁଏ । ଶୋଇବା ପାଖରେ ଦୁଇ ତିନି ଗଦା ମଇଁଷି ଧୂଆଁ ଜଳୁଥାଏ । ତେବେ ସୁଦ୍ଧା ପାଟ କୂଳରେ କାଳିଆ କାଳିଆ ଡେଙ୍ଗା ଗୋଡ଼ିଆ ବଡ଼ ବଡ଼ ଏତେ ମଶା ଯେ ସମ୍ଭାଳି ହୁଏ ନାହିଁ । ମହାକୁଡ଼ କ’ଣ କରେ କି ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ଼ ଆଙ୍ଗୁଠି ଠାରୁ ଅଣ୍ଟା ଯାଏ ଲେପିଦେଇ ‘ଯା’ ଗିହାଳୁ ଭାଇଏ ମଶା’ କହି ଶୋଇପଡ଼େ । ପିଠି ହାତ ପୋଡ଼ି ଉଠିଲେ ଚାପଡ଼ା ଚପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ, “ଆଲୋ ମାଳତୀ! ଆଲୋ ଶୁକ୍ରୀ! ଆଲୋ କାଳୀ!” କୁହାଟି ଦିଏ । ମଇଁଷିଗୁଡ଼ାକ ମହାକୁଡ଼ କଥା ବୁଝନ୍ତି, ଦୂରରେ ଥିଲେ ପାଖକୁ ଆସନ୍ତି । ଓଲିଆ ମଇଁଷି ବେକରେ କାଠ ଘଣ୍ଟ ବନ୍ଧା ଥାଏ, ଫାଶ ଫନ୍ଦା ଡାଳୁଅ ବିଲରେ ପଡ଼ିଲେ ଧାଇଁଯାଇ ବାଡ଼େଇ ଆଣେ ।

ବର୍ଷେ କ’ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା । ଦିନ ଆଠଟା ଭିତରେ ଅଢ଼େଇ ବୋଡ଼ିଆ ପଲଟା ଏକାବେଳକେ ପଟାରୁଟ୍ । ମହାକୁଡ଼ର ତ ଅଣ୍ଟା ବସି ଗଲାଣି । ଗାଲରେ ହାତ ଦେଇ ବସି ଥାଏ । ମହାକୁଡ଼ାଣୀ ଆସି କହିଲେ, “କିରେ ମହାକୁଡ! ତୁ ଇମିତି ବସି ଭାବୁଛୁ କ୍ୟାଁ? ଅଣ୍ଟା ବସି ଗଲାଣି! ଓହୋ! ଏ ଲାଗି ଗୋଟାଏ ଭାବନା? ଯା ହେବାର ହେଲା । ଆରେ ମୋ’ ଭାଇ ଗୋଠରୁ, ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର । ବର୍ଷ ଦି’ଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି ଗଣି ନେ ।”