, କଳନ୍ତରର କଳନ୍ତର, ତହିଁର କଳନ୍ତର ଲଟ ଲାଗି ରହିଛି। କରଣଗୁଡାକ ବି ସେହିପରି ମିଳି ଯାଇଛନ୍ତି। କିଏ ପାଞ୍ଚ ଟଙ୍କା ପୈଠ କଲା ତ, ପାଞ୍ଜିରେ ବସିଲା ଦେଢ ଟଙ୍କା। ହଁ, କଣ କହୁଥିଲି, ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡାଇ ଆଣି ପୁଣି ଧାନ କିଣି ଥୋଇଲେ। ତହିଁ ଆର ବରଷ କତିରୁ ପାଣି ହେଲା ଛିନଛୋଟ, ଧାନ ଭଲ ଫଳିଲା ନାହିଁ। ସେହି ସମୟରେ ପୁଣି ତୁମ ସର ମାଉସୀର ବିଭା ସମୟ ଉପସ୍ଥିତ। ୯ ବର୍ଷ ପୂରି ଯାଉଛି, 'ଦଶବର୍ଷା ତୁ କନ୍ୟକା,' ବିଭା ନ ଦେଲେ କନ୍ୟାଦାନ ଫଳ ନାହିଁ। ବାପା ଯାଇ ସାହୁ ଦୁଆରେ ହାଜର। ସାହୁ ତ ଘାଲେଇ ପଡି ବେଳ ଉଣ୍ଡୁଥିଲା, ଦାଉ ପଡିଗଲା। ସାହୁ କଅଁଳେଇ କଅଁଳେଇ ମୁରକି ମୁରକି ହସି କହିଲା, 'ହେଉ ହେଉ, କକେଇ, ଘେନି ଯାଅ - ଏ ଘର ଟଙ୍କା ସେ ଘରକୁ ଯିବ, କଥା କଣ? ଆହେ ଛାମୁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ। ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ।' ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, 'ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା ଅଢେଇଶ, ହାଲ କୁ ଶଏ ନେଲେ ହେବ ସାଢେ ତିନିଶ ଟଙ୍କା।' ଟଙ୍କା ଶୁଣି ବାପା ଚମକି ପଡିଲେ। ସାହୁ ବାପାଙ୍କ ମନ କଥା ବୁଝି ପାରି କହିଲା, 'ହେଉ - ହେଉ, କକେଇ ଚିନ୍ତା କଣ? ଦେବା ନେବା ବେଳ ତ ଅଛି। ଆପଣ ମୋ କୁଳପୁରୋହିତ, ଦେବାବେଳେ ଦି'ଶ ଶହେ ଛାଡି ନେଇଗଲେ ମୋର କଣ ସରିଯିବ?' ବିଭାଲଗ୍ନ ଆଉ ଆଠ ଦିନ, ଟଙ୍କା ନ ହେଲେ ନୁହେ। ବାପା ସାହୁ କଥାରେ 'ହଁ' ଭଣିଲେ, କହିଲେ, 'ହେଉ, ଗୁଜା ଲେଖାଯାଉ।' ସାହୁ ଦଣ୍ଡେଯାଏ ଗୁମ୍ ମାରି ବସି କହିଲା, 'ବୁଝିଲେ କକେଇ, ଏଇଟା ହେଲା କଳିକାଳ, ଏ ଗୁମାସ୍ତା କରଣଗୁଡାଙ୍କୁ ପରତେ ନାହିଁ। ଗୁଜା କେତେବେଳେ କଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ। ଟଙ୍କାଟା ଗୋଟାଏ ଟିପ କରି ରେଜେଷ୍ଟରୀ କରି ପକାଇଲେ ଭଲ ହେବ; କାହାରି ଉଁ ଚୁଁ କରିବାର ବାଟ ନ ଥିବ। ଏଥିରେ କେତେ ବା ଖରଚ? ଖରଚଟା କଣ ଆପଣ ଉଛୁଣିକା ଆଣି ଦେଉଛନ୍ତି?" ଟିପ ଲେଖାପଢା ରେଜଷ୍ଟରୀ ହୋଇଗଲା। ଯାହା ହେବାର ତ ହେଲା, ଟଙ୍କା ଦିଅ। ଟଙ୍କା ଗଣି ଦେବାକୁ କଣ ନା ଟ୮୭ । 'କି ହୋ ଟଙ୍କା ଊଣା କ୍ୟାଁ?' ଗୁମାସ୍ତା ବୁଝାଇଦେଲା, 'ସିନ୍ଦୁକ ପୂଜା ଶତକରା ଯୋଡାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ ଦୁଇ ଟଙ୍କା, ରେଜେଷ୍ଟରୀ ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ସବୁ ରକମ ମିଶାଇ ସାଢେ ଛ ଟଙ୍କା। ଗାଏ ସବୁ ପଦକୁ ବାରଟଙ୍କା ଆଠ ଅଣା। ପୁରୋହିତେ, ଆପଣ ତ ଜଣେ ପଣ୍ଡିତ, ଏତିକି ବୁଝି ପାରୁ ନାହାନ୍ତି? ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କଣ ଟଙ୍କାଏ ମଷାଏ ହଉ ହୁଡିକରି ନେଲେ ସାନ୍ତଙ୍କ ଗନ୍ତାଘର ପୂରିଯିବ?' ତମସୁକ ରେଜେଷ୍ଟରୀ ପାଖରୁ ଚାରିବର୍ଷ କାଳ ସେଥିର କିଛି ନାମ ଚର୍ଚ୍ଚା ନାହିଁ। ବାପା ତା ଦୁଆରକୁ ଗଲେ ଭକ୍ତି କଣ ଦେଖିବ! 'କକେଇ! ଆପଣ ଅଇଲେ, ଓଳଗି - ଓଳଗି, ଆରେ ପିଢାଟା ଦେ ରେ, ଆରେ ପାଦଧୂଆ ଜଳ ଦେ ରେ' ଡାକ ପଡିଯିବ। ଗଲା ତେରସ୍ତା ବାପାଙ୍କର ଯେମିତି ବିଯୋଗ ହୋଇ ଯାଇଛି, ମହାଜନକୁ ତ ପଡିଗଲା ପୋ'ବାର। ମୂଳ କଳନ୍ତର ଭିଡି ଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ୍ ଦାଏର କରିଦେଲା। ମୁଁ ଯାଇ ମହାଜନ ପାଖରେ ପଡିଲି। କହିଲା, 'ଆରେ ଭାଇ ଦିବୁ ଗୁମାସ୍ତା ମାନେ ମୋ ଅଜାଣନ୍ତରେ ନାଲିସ୍ କରି ଦେଇଛନ୍ତି। ଯା ଯା, ତୁ ହାକିମ ପାଖରେ ଟଙ୍କାଟା ମାନି ଆ, ପଛରେ ବୁଝାସୁଝା ହେବ।' ମୋ ମନଟା ଛିକଉଥାଏ। କଟକ ଯିବାକୁ ମନ ବଳୁ ନ ଥିଲା, ଡରରେ ଯାଇ ତା ଓକୀଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି। ଏହିଟା ହେଲା ଗଲା ବରଷ କଥା। ମୁଁ
ପୃଷ୍ଠା:Galpa swalpa.djvu/୩୯
ଦେଖଣା