ପୃଷ୍ଠା:Galpa swalpa.djvu/୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଫକୀରମୋହ‌ନ ଗ୍ରନ୍ଥାବଳୀ

ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁ’ରେ କୌଣସି କୌଣସି ଲୋକ ଆସି ଶୁଣନ୍ତି । ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ । ପ୍ରତିଦିନ ଝିଅକୁ ଗାଇବାକୁ କହେ, ରେବତୀ ଗାଏ-

କା’ ଆଗେ କରିବି ଗୁହାରି ?

ତୁମ୍ଭେ ନ ଚାହିଁଲେ ନାଥ ଗରିବ ଯିବ ସରି।

କର ବା ନ କର ତ୍ରାଣ,  ପଦେ ସମର୍ପିଛି ପ୍ରାଣ,

ହୃଦେ ଅଛି ତବ ନାମ ଧରି।

ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି ।

ଶୀତଳ କର ଜୀବନ ପ୍ରେମାମୃତ ଦାନ କରି ।

ଦୁଇ ବରଷ ତଳେ ସ୍କୁଲ ଡେଃ ଇନ୍‌ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ କେତେ ଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡ଼ିଶା ବିଭାଗର ଇନ୍‌ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପରପ୍ରାଇମେରୀ ସ୍କୁଲ ବସାଇ ଦେଇ ଅଛନ୍ତି । ଶିକ୍ଷକ ବେତନ ମାସକୁ ଚାରି ଟଙ୍କା । ଏହି ଚାରି ଟଙ୍କା ସରକାରରୁ ମିଳେ । ଏହା ଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ । ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ । ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ’ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡ଼ିଏ । ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା । ପିଲାଦିନେ ପିହୁଳା ରୋଗ ହୋଇଥିଲା । ତା’ ମା’ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜି ଯାଏ ଅଛି । ହେଲେ ସେ ଚିହ୍ନ ତାକୁ ମାନେ । ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ, ମାମୁ ଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, “ବାପା ବାସୁ ! ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି ।” ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, “ଆହା, ମା’ ଛେଉଣ୍ଡଟି, କ’ଣ ଖାଏ – କିଏ ତା’ ଖାଇବା ଦେଖୁଛି ।” ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ “ବାସୁ ଭାଇ ଅଇଲେ, ବାସୁ ଭାଇ ଅଇଲେ” ବୋଲି ରେବତୀ ପାଟି କରି ବାପକୁ କହେ । ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ । ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏ କଥା ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି । ସେହି ଦିନ ଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା । ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ, କହିଲା, “ଆଜ୍ଞା, ମୁଁ ସେହି କଥାଟା କହିବି କହିବି ହେଉଥିଲି ।” ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା । ରେବତୀ ପାଖରେ ବସି ଶୁଣୁଥିଲା, ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜୀକୁ, “ମୁଁ ପାଠ ପଢ଼ିବି, ମୁଁ ପାଠ ପଢ଼ିବି” ଖବର ଦେଲା । ମା’ କହିଲେ, “ହଉ ହଉ ପଢ଼ିବୁ।” ଜେଜୀ କହିଲେ, “ପାଟ କ’ଣ ଲୋ?” ମାଇକିନିଆ ଝିଅଟା ପାଠ କ’ଣ ? ରନ୍ଧା ବଢ଼ା ଶିଖ, ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ ?”