ପୃଷ୍ଠା:Galpa swalpa.djvu/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ


ମଧ୍ୟରେ ପୂର୍ବାଳାପ ଅର୍ଥାତ୍ Courtship ଚାଲିଛି । ବଗି ଚଢ଼ି କେତେ ଜାଗା ବୁଲି ଆସିଲେଣି । କନ୍ୟା ବାପ ମାଙ୍କୁ ଏଇଟା ଭଲ ଲାଗୁନାହିଁ । କାଳେ ଜମିଦାର ପୁଅଟା ହାତରୁ ଖସିଯିବ, ସେହି ଡରରେ କିଛି କହି ପାରୁନାହାନ୍ତି । କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ ।

ଗଳ୍ପ ଲେଖକମାନଙ୍କୁ ସମସ୍ତ ବିଷୟ ସନ୍ଧାନ କରି ନିରୋଳ ସତ୍ୟ କଥାଗୁଡିକ ଲେଖିବାକୁ ହୁଏ । ଆମ୍ଭେମାନେ ବହୁତ ଅନୁସନ୍ଧାନ ଯୋଗରେ ଏହିପରି ପରିଚୟ ପାଇଅଛୁଁ - ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବବୁର୍ଚି କାମରେ ବାହାଲ କରିଥିଲେ, ତା ନାମ ମକ୍ରା ମଳିକ । ସେ ବଢ଼ି ବଢ଼ି ପଦୋନ୍ନତିରେ ହେଲା ଖାନସମା । ସେହି ବଗିଚାରେ ୩୦/୪୦ବର୍ଷ ହେଲା ସାହେବମାନଙ୍କ ପାଖରେ ଅଛି । ଗ୍ରାମ ଘର ଜାତି କୁଳ କିଛି ଜଣା ନାହିଁ- କୁଆଡ଼େ ବା ଯିବ ? ସେହିଠାରେ ଗୋଟିଏ କୁଲିଆଣୀକୁ ବାହା ହେଲା । ବାହା ହେଲା ହଁ, ଢେର ଦିନଯାଏ ସନ୍ତାନ ମୁଖ ଦେଖିଲା ନାହିଁ । ତ୍ରିନାଥମେଳା, ସୁକୁଚୂନିପୂଜା, ଗ୍ରାମଦେବତୀ ମାଜଣା, ଦୁଇଜଣଯାକ ଢେର ଢେର ଧର୍ମ କାର୍ଯ୍ୟ କଲେ । ଦରବୁଢା ବୟସରେ ଗୋଟିଏ କନ୍ୟା ଜାତ ହେଲା, ବୁଢ଼ାବୁଢ଼ୀ ଭାରି ଖୁସି । ମା ଝିଅର ନାମ ଦେଲେ, ନୟନତାରା- ବାପ ଡାକିଲେ ଦୁଃଖପାସୋରା- ଶେଷରେ ନାମ ହେଲା ନାୟନତାରା ଦୁଃଖପାସୋରା । କନ୍ୟାଟି ଦିନକୁ ଦିନ ବଢ଼ିଲା । ଚା ବଗିଚା ପାଖରେ ଗୋଟିଏ ସ୍କଟିଶ୍ ବ୍ୟାପଟିଷ୍ଟ ଅର୍ଫେନ ବାଳିକା ସ୍କୁଲ ଥିଲା । ମିସ ଡଗଲସ ମିଷ୍ଟ୍ରେସ୍ । ମା ବାପ ଭାରି ଶ୍ରଦ୍ଧା, ଭାରି ଖୁସିରେ କନ୍ୟାଟିକୁ ମୋଜା ଜୋତା ସେମିଜ ଜାକେଟ ପିନ୍ଧାଇ ଦେଇ ସ୍କୁଲ ଛାଡ଼ିଲେ । କନ୍ୟାଟି ବଢ଼ି ବଢ଼ି ପାଠ ପଢ଼ି ପଢ଼ି ତେର ବା ଚଉଦ ବର୍ଷ ହେଲାଣି > କନ୍ୟାଟି ସ୍କୁଲରୁ ଆସି ମା ବାପ ପାଖରେ ଢେର ଇଂରାଜୀ କଥା କହେ, ମୋଜା ବୁଣା ଦେଖାଏ, ଗୀତ ଗାଏ, ନାଚେ । ଖୁବ୍ ସ୍ୱାଧୀନା । ପୁରୁଷଗୁଡ଼ାଙ୍କୁ ଖାତର କରେ ନାହିଁ । ଏଣେ ମା ବାପ ମୁଣ୍ଡରେ ଉକୁଣି କାମୁଡ଼ିଲାଣି, କିମିତି ବାହା ଦେବେ । ଛୁଟି ନେଇ କଲିକତା ଆସିଲେ, ଢେର ଖୋଜାଖୋଜି କଲେ; ମାତ୍ର ବାପ ମାର ଜାତି କୁଳ, ଦେଶର ପତ୍ତା ନ ଲାଗିବାରୁ ବର ଯୁଟିଲା ନାହିଁ । ପ୍ରଜାପତି ଘଟସୂତ୍ର, ଜଣେ ଦଲାଲ ଠିକଣା ଲଗାଇ ଦେଲା । ସେହି ଦଲାଲ ବାବୁଙ୍କୁ ଜଣାଇଲା, "ଆପଣ ଜମିଦାର, କଲିକତା ସହରରେ ଭାରି ନାମ ଡାକ । ସେହିପରି ମର୍ଯ୍ୟାଦାରେ ବିଭାଘର ହେବ । ବାବୁ ଝୁଙ୍କି ଝୁଙ୍କି କହିଲେ, "ଅବଶ୍ୟ, ଅବଶ୍ୟ, ନିଶ୍ଚୟ ।" ମେନେଜର ବାବୁ, "ଟଙ୍କା ନାହିଁ ଯେ ।" ଦଲାଲ କହିଲା, "ଏ କଣ ଗୋଟାଏ କଥା ? ବାବୁଙ୍କର ପୁଣି ଟଙ୍କାର ଅଭାବ ? ବାବୁ ଆଜ୍ଞା କରନ୍ତୁ, ଏଇଲାଗେ ଦଶ ହଜାର ଟଙ୍କା ଆଣିଦେବି |" ଟଙ୍କା ନାମ ଶୁଣି ବାବୁଙ୍କର ଟିକିଏ ହୋସ୍ ହେଲା, ଶୁଣି ମନ ଖୁସି, ସଳଖି ବସିଲେ । କଲିକତାରେ ମହାଜନ ଅଭାବ କଣ ? ଖୁବ୍ କାଏଦା କଟକଣାରେ ଜମିଦରୀ ଲେଖି ନେଇ ଦଶ ହଜାର ଟଙ୍କା ଦେବାକୁ କହିଲା । ଦଲିଲ ରେଜେଷ୍ଟରୀ କରିବାକୁ ତର ସହୁ ନାହିଁ, ଜଲଦି ଟଙ୍କା ଆଣ । କଲିକତାରେ ଅନେକ ବାବୁ ଅର୍ଥାତ ପୂର୍ବ ସଭାର ସଭ୍ୟମାନେ, ଆଉ ଖିଦିରପୁର ବଜାରର ଛୁଟକୁରିଆ ବଢିଆ ସମସ୍ତ ଦୋକାନୀ ନିମନ୍ତ୍ରିତ ହୋଇ ଗଲେ । ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର । ତିନି ଦିନଯାଏ ନାଚ ତାମସା ପିଆର ଖୁବ୍ ଧୁମ୍ ଲାଗିଛି ।

କରଜ ଦଶ ହଜାର ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା, ଆମ୍ଭେମାନେ ସେଥିର ହିସାବ ଦେଇ ପାରିବୁ ନାହିଁ, କାରଣ ସେଥିର କିଛି ଲେଖା-