ପୃଷ୍ଠା:Galpa swalpa.djvu/୭୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ । ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା । ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ ।

ହରି ସିଂହଙ୍କର ଆନନ୍ଦର ସୀମା ନାହିଁ; ଅନବରତ ପ୍ରଭୁଙ୍କ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଦୁଃଖୀର ଗୁହାରି ଶୁଣିଲ ।” ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ । ହାୟ ! ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟା ହୁଅନ୍ତେ, ତାଙ୍କ ଗୋପାଳ ହାକିମ ଚାକିରି ପାଇଲା, ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ । ହାୟ ! ଅଭାଗୀ କପାଳିରେ ଦେଖିବାକୁ ନାହିଁ । ହେଉ ହେଉ, ଗୋପାଳ ତ ହାକିମ ହେଲା । ପ୍ରଭୁ ଗୋପାଳଟିକୁ ରକ୍ଷାକରନ୍ତୁ ।

ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ । ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ । ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା । ଟଙ୍କା ଗୁଡ଼ାକ ଚାରି ପାଞ୍ଚ ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ । ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ । ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା । ଗୋପାଳ ଯେ ହାକିମ ହେଲାଣି, ସେ କଣ ଯେ ସେ ଲୁଗା ପିନ୍ଧିବ ? ଭେକ ଦେଖି ସିନା ଭିକ । ସେହିପରି ପୋଷାକ ଲୋଡ଼ା ।

ଏଣେ ଗୋପାଳବାବୁ ଅଫିସରେ ପାଞ୍ଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି । ବାବୁମାନଙ୍କ ସହିତ ସବୁବେଳେ କାରବାର, ସମସ୍ତେ ଡାକନ୍ତି ‘ଡାକ ମୁନ୍‌ସି ବାବୁ’, ପୁରା ନାମ ଗୋପାଳଚନ୍ଦ୍ର ସିଂହ । ଏଣେ ବସାରେ ଆସି ଦେଖନ୍ତି କଣ, ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି, ଗୋପାଳ କିମିତି ଭଲ କରି ଦିଟା ଖାଇବ- ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ-ପିଲାଟା କାମ କରି କରି ଧନ୍ଦି ଗଲାଣି, ଏହି ସମସ୍ତ ଦିନ ରାତି ଚିନ୍ତା । ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି । ବୋଧ କରି, ହରି ଏ ସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି- ଧମକାଇ କହିଲେ, ‘ଆରେ ନିର୍ବୋଧ ଏ କଣ ରେ ! ଆଚ୍ଛା ବୁଝିବୁ !’

ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗରଗ ସିଂ ସିଂ ହୁଅନ୍ତି । ଏଟା ମୁର୍ଖ, ଇଂରାଜୀ ଜାଣେ ନାହିଁ-ମୂଲିଆ-ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେ ଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ-ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା । କି ଲଜ୍ଜା, କି ଲଜ୍ଜା, ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।

ଦିନେ ଡାକ ମୁନସୀ ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କାରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ ।” ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଚୁପ୍‌ ହୋଇ ବସି ପଡ଼ିଲା । କାହାକୁ କହିବ ? ପୁଅ କଥା; ଅଜାଗା ଘା ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ