Jump to content

ପୃଷ୍ଠା:Galpa swalpa.djvu/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ
ଧୂଳିଆ ବାବା

ଦେ ଗାଁର ହନୁମାନ୍ ଜୀ ପ୍ରତ୍ୟକ୍ଷ ଦେବତା । ସେ ତ କିଛି ଆଜିକାଲିକା କଳିଯୁଗର ଦେବତା ନୁହନ୍ତି ; ସତ୍ୟଯୁଗରୁ ବିରାଜୁଛନ୍ତି । ମହନ୍ତ ମହାରାଜାଙ୍କ ନାମ ହନୁମାନ୍ ଦାସ । ତାଙ୍କର ବି ସେହିପର ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ । ଯାହାକୁ ଯାହା ଆଜ୍ଞା କରୁଥିଲେ, ତୁରନ୍ତ ଫଳି ଯାଉଥିଲା । ତାଙ୍କ ମହିମା କଥା ପୃଥିବୀଯାକ ଜାରି । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣି ପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡ଼ା ଉପରେ ବସି ଗଞ୍ଜେଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ ଦନ୍ତା ହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡ଼ୁଛି, ଫୌଜଦାର ତା ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, "ହୁଁ - ଚେଲ୍ ବାବା କାନ୍ଥଡ଼ା ଚେଲ୍ ।" ଆଉ କଣ କାନ୍ଥଡ଼ା ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡ଼ା, ଅଧ ବାଟରେ ଭେଟାଭେଟି । ଫୌଜଦାର ଯିମିତି ଅନାଇ ଦେଇଛି, ଆଉ କଣ ହାତୀରେ ବସିପାରେ ! ଖପ୍ କରି ହାତୀରୁ ଡେଇଁପଡି ଲମ୍ ତମ୍ ଗୋଡ଼ତଳେ ପଡିଗଲା । ମହନ୍ତ ମହାରାଜ କଲ୍ୟାଣ କଲେ, "ଜୀତେ ରହୋ - ଜୀତେ ରହୋ - ବଚ୍ଚା, ଉଠ - ଉଠ ।" ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା । ଏହି ମହନ୍ତ ଗାଦିରେ ବସିଥିଲେ - ବାରଶ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପରୁଷ, ଆଉ ପୃଥିବୀରେ ରହିବାକୁ ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ଏହାଙ୍କ ହାତରେ ଗାଦି ଦେଇ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା - ଏ ମହନ୍ତ ବି ସେହିପରି ।

ଏହାଙ୍କ ସମୟରେ ପଡ଼ିଲା ଫିରିଙ୍ଗୀ ଅମଳ ଜାରି । କଟକ ସାହେବ କହିଲା, "କ୍ୟାଁ, ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଅ ଖାଏଙ୍ଗା ? ବୋଲାଓ ଉସ୍କୁ, ହାମ୍ ଦେଖେଙ୍ଗା ।" ପରୁଆନା ପାଇ ମହନ୍ତ ଘୋଡ଼ାରେ ଚଢ଼ି ବାହାରିଲେ । ଆଗରେ ବାନା ବୈରଖ ଉଡୁଛି, ହରିବୋଲ ପଡ଼ୁଛି, କୀର୍ତ୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ, ମହାନଦୀ ଏ କୂଳ ସେ କୂଳ ଖାଉଛି, ବର୍ଷା ତୋଫାନ ବୋଲେ ମୁହିଁ - ନାଉରୀ କହିଲା ନାଆ ଫିଟାଇବ ନାହିଁ । ପାରି ହେଉଛନ୍ତି କିମିତି ? ମହନ୍ତ ମହାରାଜ ଆଜ୍ଞା କଲେ "ପରବା ନାହିଁ !" କାଖରେ ସେ ବାଘ ଛାଲ ଥିଲା, ପାଣିରେ ପାରି ଦେଲେ - ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟ ଛତା ଟେକିଥାଏ । ଦୁଇ ଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆର କୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନ୍ ରେ ଚାହିଁ ଦେଲା, ପାଖ ଲୋକଙ୍କୁ ପଚାରିଲା, "ଏ କ୍ୟାଁ ?" ଲୋକେ କହିଲେ, "ହିନ୍ଦୁ ଫକୀର ବିଜେ ହୋଇ ଆସୁଛନ୍ତି ।" ସାହେବ ଆଉ କଣ ଚୌକିରେ ବସିବ, ନଈ କୂଳକୁ ଧାଇଁ ଅଇଲା । ମୁଣ୍ଡରୁ ଟୋପି ତଳେ ରଖି ତିନି ସଲାମ କଲା । କହିଲା - ହାଲୋ ଫକୀର, ତୁମାରା ଜମିନ୍ ବାହାଲ ।" ଏ ମହନ୍ତ ଦେଢ଼ ହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କ ଉତ୍ତାରେ ଗାଦିରେ ବସିଲେ ଜମ୍ବୁବାନ୍ ମହନ୍ତ ମହାରାଜ । ମନ୍ଦିର ପଛପଟରେ ଯେଉଁ ଦିଫାଙ୍କୁଡିଆ ବୁଢ଼ା ସାହାଡ଼ା ଗଛ ଦେଖୁଛ, ଏଇଟା କଣ ଜାଣ ? ମହନ୍ତ ଦିନେ ସାହାଡ଼ା ଦାନ୍ତ କାଠିରେ ଦାନ୍ତ ଘଷୁଥିଲେ, କାଠିଖଣ୍ଡ ଦାନ୍ତରେ ଚିରି ଛେଲିପକାଇ ଦୁଇଖଣ୍ଡ କାଠି ଯୋଡି ମାଟିରେ ପୋତି ଦେଲେ । ତା ଉପରେ ଯିମିତି ଟୋପାଏ ପାଣି ପକାଇଛନ୍ତି, ସିମିତି ଗଜେଇ ଗଲା ।