ପୃଷ୍ଠା:Galpa swalpa.djvu/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ରାମ ସାଉ ଶାମ ସାଉ ଦୁଇ ଭାଇ । ଭାଇଭାଗ ବଣ୍ଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା । ରାମ ସାଉ ପ୍ରଭୁଙ୍କଠାରେ ମନାସି ଗଲା, ମାମଲା ଡିକ୍ରୀ ହେଲେ କେତେ ଟଙ୍କା ଦେବ, ପାଞ୍ଜିଆ ପାଖରେ ଲେଖି ଦେଇଗଲା । ଶାମ ସାଉ ଆସେ ନାହିଁ । ବୁଝ ବୁଝ ଶାମା କ୍ୟାଁ ଅଇଲା ନାହିଁ । ଜଣେ ଚେଲା ବୁଝି ଆସି ଜଣାଇଲା, "ପ୍ରଭୁ ! କଣ କହିବି, କହିବାକୁ ଡର ମାଡୁଛି । ଆଜ୍ଞା, ଶାମାର ଏଡ଼େ ବହପ, ପାଞ୍ଚ ଜଣଙ୍କ ଆଗରେ ସାଫ ଫିଟେଇ କହିଲା, କଳିକାଳରେ ମହନ୍ତଙ୍କ କରାମତ କାହିଁ ଯେ ମୁଁ ମନାସିବାକୁ ଯିବି ?" ମହନ୍ତ ତେତେବେଳେ ଗଞ୍ଜେଇ ଭିଡ଼ୁଥିଲେ, ରାଗରେ ଖୁବ୍ ବଳରେ ଚିଲମଟା ଭିଡ଼ି ନେଲେ, ଦପ୍ କରି ଜଳି ଉଠିଲା । ମହନ୍ତ ଅଳ୍ପ ଅଳ୍ପ ଭକ୍ ଭକ୍ କରି ପାଟିରୁ ଧୁଅଁ ଛାଡ଼ୁ ଥାନ୍ତି, କଥାଟା ଚିପି ଚିପି କହିଲେ, "ଦେଖ ଚେଲାମାନେ, ଆମେ ହୁକୁମ କରିବୁଁ, ଏହି ଚିଲମ ନିଆଁ କଥା କହିବ ।" ଚେଲାମାନଙ୍କର ତ ଆନନ୍ଦର ସୀମା ନାହିଁ । ସେମାନଙ୍କର ଦୃଢ ବିଶ୍ୱାସ, ମହନ୍ତଙ୍କ ଆଜ୍ଞା ମେଣ୍ଟଣ ହେବାର ନୁହେଁ । ସେହି ଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, "ଧୂଳିଆ ବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି, ସେ ସିଦ୍ଧ ପୁରୁଷ ହୋଇଗଲେଣି, ତାଙ୍କ ଗଞ୍ଜେଇ ଚିଲମ କଥା କହିବ ।" ଥୋକେ ଚେଲା ପ୍ରକାଶ କଲେ, "ନାହିଁ ନାହିଁ ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି ।" ଦଶଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ଶୁଣି ଆସିଲା, ଆଉ ଯାଏ କାହିଁ ? ତହିଁ ଆର ଦିନ ସକାଳୁ ସଞ୍ଜଯାଏ ଶହକୁ ଶହ ଲୋକ ଧାଇଁଛନ୍ତି । କାହାକୁ ବେମାରୀ ଛାଡ଼ୁ ନାହିଁ, କାହାର ବଳଦ ହଜିଛି ମିଳୁନାହିଁ, କାହାର ମାମଲା ଦାଏର ଅଛି, ଡିକ୍ରୀ ହେଉ । ଢେର ଢେର ତିରିଲା ପା'ପୂଜା ପଠାଇଛନ୍ତି, ସେମାନଙ୍କର ପୁଅ ହେଉ ନାହିଁ, ଚିଲମ ପ୍ରଭୁ ବର ଦେଉନ୍ତୁ । ଲୋକେ ପାଦପୂଜା ଟଙ୍କା ଅଧୂଲି ସୁକି ମହନ୍ତଙ୍କ ପାଦତଳେ ଦେଇ ଅଧ୍ୟା ପଡିଛନ୍ତି ।

ମହନ୍ତ ମହାରାଜ ଆଜ୍ଞା କଲେ, "ଉଠ ଉଠ ବାବାମାନେ ! ଆମେ କିଛି କହିବୁ ନାହିଁ, ଏହି ଯେ ଆମ ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୂନି ଥାପନା ହେବ, ସେହି ଧୂନିରେ ଅଗ୍ନି ଦେବତା ବିଜେ କରିବେ, ସମସ୍ତଙ୍କ ଗୁହାରି ଶୁଣି ବର ଦେବେ । ଆସନ୍ତା ଅଗିରାପୂନେଇ ଦିନ ଅଗ୍ନି ଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀ ଭ୍ରମଣ କରିବେ । ଆମ୍ଭଙ୍କୁ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମେ ଧୂନି ଥାପି ତାଙ୍କୁ ବିଜେ କରାଇ ରଖିବୁଁ, ଯାହାର ଯାହା ଗୁହାରି ଥିବ ପୂଜା ଦେଇ ଜଣାଇଲେ ତତକ୍ଷଣାତ୍ ବର ମିଳିଯିବ ।" ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ, ଧୂନିରେ ଶଏ ଆଠ ଆହୁତି ଦିଆଯିବ, ସେଥି ସକାଶେ ଖଣ୍ଡିଏ ନବ ବସ୍ତ୍ର, ପାଞ୍ଚପା ଘିଅ, ପଞ୍ଚୁ ବର୍ଣ୍ଣି ଭୋଗ, ପଞ୍ଚୁ ବର୍ଣ୍ଣି ପୁଷ୍ପ । ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ; କିନ୍ତୁ ପାଞ୍ଚ ସୁକାରୁ ଊଣା ନୁହେଁ ।

ଅଗିରାପୂର୍ଣ୍ଣିମା ଅଧରାତିଠାରୁ ଧୂନି ପୂଜା ଆରମ୍ଭ ହେଲା । ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନି ଦେବତା ବିଜେ ହୋଇଗଲେ । ଧୂ-ଧୂ ହୋଇ ଜଳୁଛନ୍ତି । ଯାହାର ଯାହା ପ୍ରାର୍ଥନା, ହାତ ଯୋଡି ଜଣାଇଲେ ଧୂନି ଭିତରୁ ଅଗ୍ନି ଦେବତା ଗମ୍ଭୀର ସ୍ୱରରେ "ହୁଁ - ନା - ହେବ" ଏହିପରି ଆଜ୍ଞା କରୁଛନ୍ତି । ପ୍ରତ୍ୟକ୍ଷରେ ଅବିଶ୍ୱାସ କଣ ? ଲୋକମାନେ ଶୁଣି ତାଟକା, ଭକ୍ତିରେ ଭୂଇଁରେ ପଡ଼ି ଗଡ଼ି ଯାଉଛନ୍ତି । ହରିଧ୍ୱନିରେ ମଠ ଉଛୁଳି ପଡ଼ୁଛି ।

ଶାମ ସାଉ ସବୁ କଥା ଶୁଣିଲା, ଘର ମଧ୍ୟରେ ଡକା ପାରି ମୁଣ୍ଡ ବାଡ଼େଇ ହେଉଛି । ଲୋକମାନେ ଧୂନି ପୂଜା କରି ବର ଘେନି ଯାଉଛନ୍ତି । ରାମା ଭାଇ ବି ପୂଜା ଦେଇ ବର ପାଇବ, ମୋହର ସର୍ବନାଶ ହେବ । ଇଜମାଲୀ ଧନ ଊଣା ନୁହେ, ଲକ୍ଷକରୁ ବଳି ପଡିବ, ସବୁ ରାମା ଭାଇ ଘେନି ଯିବ । ମହନ୍ତ ମହାରାଜ ଖପା ହୋଇ ଆଜ୍ଞା