ଫକୀରମୋହନ ଗ୍ରନ୍ଥାବଳୀ
ଆଉ କିଛି ଜ୍ଞାନ ନଥାଏ – ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ ।
ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଞ୍ଚ ମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍ ଦିନ ଦୁଇ ପ୍ରହର ବେଳେ ବାସୁ ଦୁଆରେ ଡାକିଲା । ଏତେବେଳେ ସେ କୌଣସି ଦିନ ଆସେ ନାହିଁ । ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା । ବାସୁ କହିଲା – “ଜେଜୀମା’, (ବାସୁ ବୁଢ଼ୀକୁ ଜେଜୀମା’ ବୋଲି ବରାବର ଡାକେ) ଦିପୋଟି ଇନ୍ସ୍ପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ’ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚଦିନ ଲାଗିବ ।” ରେବତୀ କବାଟକଣରେ ଛିଡ଼ା ହୋଇ ଶୁଣୁଥିଲା, ଲଠ୍କରି ବସି ପଡ଼ିଲା, ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା । ବାସୁ ପାଞ୍ଚଦିନ ସକାଶେ ଚାଉଳ, ଲୁଣ,ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇ ଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜବେଳେ ବାହାରିଲା । ବୁଢ଼ୀ କହିଲା, “ବାପା, ଖରାରେ ବୁଲିବୁ ନାହିଁ, ଦେହପାଆକୁ ଚାହିଁବୁ, ବେଳରେ ଦି’ଟା ତୁଣ୍ଡରେ ଦେବୁ।” ଏହା କହି ନିଶ୍ୱାସଟାଏ ପକାଇଲା । ରେବତୀ ଏକଧ୍ୟାନରେ ବାସୁକୁ ଚାହିଁଥାଏ, ଆଜିକା ଚାହାଁଣି ଅନ୍ୟ ରକମ । ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ, ଏକଧ୍ୟାନରେ ବାସୁକୁ ଚାହିଁ ରହିଛି । ବାସୁର ଯେମନ୍ତ ଖୁବ୍ ଇଚ୍ଛା – ରେବତୀକୁ ଭଲକରି ଦେଖିବ; କିନ୍ତୁ ଅନାଇପାରେ ନାହିଁ । ଆଜି ଚାରି ଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲି ଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରି ଗଲାଣି । ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁଅଛି । ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।
ରେବତୀ ବସି ଦିନ ଗଣୁଛି, ଆଜି ଛ ଦିନ। ବାପ ମା’ ଗଲା ଦିନୁ ଦାଣ୍ଡ ଦୁଆର ଦେଖି ନଥିଲା, ଆଜି ସକାଳୁ ଦାଣ୍ଡଦୁଆରେ ଦୁଇ ଥର ମୁହଁମାରି ଗଲାଣି । ବେଳ ଅନ୍ଦାଜ ଛ ଘଡ଼ି, ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲା ବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା, ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ଚାଲିଗଲେ । ଗ୍ରାମଲୋକମାନେ ହାୟ ହାୟ କଲେ, ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି କାନ୍ଦି ପକାଇଲେ। କେହି କହିଲା – ଆହା କି ରୂପ ରେ ! କେହି କହିଲା – କି ଧୀର ରେ ! କେହି କହିଲା – ଦାଣ୍ଡରେ ଚାଲି ଯାଉଥିବ ଯେ ମାଛିଟିକି ମର କହିବ ନାହିଁ।
ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା । ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠ ରୁଦ୍ଧ ହୋଇଗଲା, ଆଉ କାନ୍ଦି ପାରିଲା ନାହିଁ, ଶେଷରେ ଉଠି କହିଲା – “ଆହା ବାପା, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁ ରେ !” ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନୋହିଲେ କେଭେ ମରି ନଥା’ନ୍ତା । ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି, ସୋର ଶବ୍ଦ ନାହିଁ । ସେ ଦିନଟା ଗଲା, ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନଦେଖି ପାଟି କରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ବୁଢ଼ୀ ବାୟାଣୀ ପରି ହୋଇ ଗଲାଣି, କାନ୍ଦ ବୋବାଳି ନାହିଁ; କେବଳ ରାଗରେ ଦିନ ରାତି ରେବତୀକୁ ଗାଳି । ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ