ଆଉ ଆଖି ଦୁଇଟି ଛଡ଼ା ସେ ମଣି ସହିତ କେତେ ମିଶାଇଲା, ମାତ୍ର ମିଶାଇ ପାରିଲା ନାହିଁ । ସେହି ଗୋବରଗୋଟେଇ ମଣି ସ୍ୱର୍ଗର ଅପ୍ସରୀ, ତାକୁ ଅସମ୍ଭବ ମନେ ହେଲା । ତା ମୁଣ୍ଡ ତଳକୁ ନଇଁଗଲା । ଦେଖିଲା, ଦେହରେ ଗହଣାର ସତ୍ତା ନାହିଁ- ହାତରେ ଚୁଡ଼ି ଦିଦିପଟ, କାନରେ ଗୋଟିଏ ଅତି ସୁନ୍ଦର କାଚ ବସା ଫୁଲ, ବେକରେ ଗୋଟିଏ ବହୁମୂଲ୍ୟ ହାର । ବାଳ ଗୁଡ଼ିକ ତରଙ୍ଗାୟିତ । ତାହା ଫାଟି ଯାଇଚି, ଗୋଟିଏ ବାଇଗଣି ରଙ୍ଗର ଶାଢ଼ୀ, ତାର ଧଡ଼ିରେ ସବୁ ସୁନାର ଫୁଲ ଫୁଟିଛି, ମୁଣ୍ଡରେ ଫୁଲରେ ତିଆରି ପରି କଣ ଗୋଟିଏ ଦ୍ୱିତୀୟା ଚନ୍ଦ୍ର ଭଳି ଗହଣା, ଦେହରେ ସେ ଇସ୍କୁଲିଆ ପିଲାଙ୍କ ପରି କଣ ଗୋଟିଏ ପିନ୍ଧିଛି । ସେ ଚେପଟା ଶୁଖିଲା ଗାଲ ଆଜି ନାହିଁ, ସେ କଙ୍କିପରି ଦେହ ଆଜି ନାହିଁ; ଆଜି ସେ ସୁନ୍ଦର ରାଇଜର ରାଣୀ । କେତେ ବଡ଼ଲୋକ ଦୁଆରେ ସେ ଭିକ ମାଗିଚି, ସେ କତେ ଝିଅ ଦେଖିଚି, ମାତ୍ର ଏପରି ଆଖି ସାଙ୍ଗକୁ ଦିହ, ଦିହ ସାଙ୍ଗକୁ ମୁଣ୍ଡ ପୁଣି ବାଳ ସବୁ ଅଂଶ ସମାନ ସୁନ୍ଦର କରି ପିଲା ସେ କେଉଁଠି ଦେଖି ନାହିଁ । ଓଡ଼ିଆ ମାଈ-ପଶ୍ଚିମା ଗାଈ, ବଙ୍ଗାଳି କେଶ-ତେଲଙ୍ଗା ବେଶ, କଥାଟା ସତ । ପୁଣି ଦୟାର ଜୀବନ୍ତ ବିଗ୍ରହ ଏପରି କେଉଁଠି ତା ଭାଗ୍ୟକୁ ଯୁଟି ନ ଥିଲା ।
"ମା ମା, ତୁ ସତେ ଜେମାମଣି ! କ୍ଷମାକର ମା, ଏ ବୃଦ୍ଧ ତୋତେ କେତେ ଦଣ୍ଡ ଦେଇଚି- କେତେ ହଟହଟାରେ ପକାଇଚି; ଆଜି ତାର ଏ ଦୁର୍ଦ୍ଦଶା ଦେଖି ଭୁଲିଯା । ତାକୁ କ୍ଷମା ଦେ- ନଚେତ୍ ସେ ପୁଣି ପର ଜନ୍ମରେ ଗଭୀର ଦୁଃଖ ଭୋଗ କରିବ ।" ବୁଢ଼ା କହୁ କହୁ ରଡ଼ି ଛାଡ଼ିଲା । ମଣି ବୁଢ଼ାକୁ ତୋଳିଧରି ବହୁତ ଆଶ୍ୱାସନା ଦେଲା । ଆଉ ଭାଇଙ୍କୁ କହି ତାକୁ ଖଣ୍ଡିଏ ବସା ଦେଇ ଜୀବ ଥିବାଯାଏ ଖାଇବା ପିଇବାକୁ ଦେଇ ରଖିଲା । ବୁଢ଼ା ବେଶୀଦିନ ବଞ୍ଚିଲା ନାହିଁ । ପ୍ରାୟ ୪/୬ ମାସ ପରେ ସଂସାର ଛାଡ଼ିଲା । ମଣି ତାପାଇଁ ଅଜସ୍ର ଟଙ୍କା ବ୍ୟୟ କରି ତାର