ପୃଷ୍ଠା:Hada bagicha.pdf/୧୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିତର ଘରେ କଉଡ଼ି ଖେଳ ହୁଏ, ପୁଅଟି ହାରିଯାଏ, ଲକେଟ ସହ ସୁନା ଚେନ୍ ଟିଏ ଦେବ ବୋଲି ସ୍ୱପ୍ନ ଦେଖାଏ, ଝିଅଟି ସ୍ୱପ୍ନ ଦେଖିବା ଛାଡ଼ି ଦେଇଥାଏ କେବେଠୁ, ଘରଟା ମହଲଣ ପଡ଼େ, ତଡ଼ିଆଣେ, ଶେଥା ଦିଶେ, ପ୍ରଭିଡେଂଟ ଫଂଡ ପୁରାପୁରି ସରିଯାଇଥାଏ, ଜେନେରାଲ ଷ୍ଟୋରର ଛ’ଶହ ଟଂକା ବାକିଥାଏ, ହାତ ଉଧାରୀ ଚବିଶ ଶହ ଟଂକା ବାକିଥାଏ, ଫୁଲ ଗମଲା ଗୁଡାକ ଇତସ୍ତତଃ ଗଡ଼ୁଥାଏ, ପୁରସ୍କାର ପାଇଥିବା ସିଲ୍ଡଟି କାଠ ଗଦା ଉପରେ ପଡ଼ିଥାଏ, ବାଡ଼ ବାହାରେ ଅଳିଆଗଦା ଭିତରକୁ ଉଂକି ମାରୁଥାଏ, ଦହନାର ମା ଦୁଇଟି ଶାଢ଼ି ପାଇଥାଏ, ଓ କାମକୁ ପାରୁ ନ ଥାଏ, ସ୍ତ୍ରୀଟି ଦେଖୁଥାଏ ଯେ ମିତା ଗମଲାପାଖରେ ଠିଆ ହୋଇନାଇଁ, ରଂଧାଘରୁ ବାହାରି ଆସୁନାଇଁ, ଭାତ ଗାଳୁନାଇଁ, କି ଭିତର ଘରେ ଶୋଇ ହାଇମାରୁ ନାହିଁ, ତା ଆଖି ଜକେଇ ଆସେ, ବଂଚିବା ଏକ ଅଭ୍ୟାସ ଯେମିତି ହାଇ ମାରିବା ଏକ ଅଭ୍ୟାସ ଯେମିତି ଅଳଂଧୁ ଝାଡ଼ିବା ଏକ ଅଭ୍ୟାସ ଯେମିତି ଖବର କାଗଜ ପଢ଼ିବା ଏକ ଅଭ୍ୟାସ ଯେମିତି ପ୍ରତି ମୁହୂର୍ତରେ ମରିବା ଏକ ଅଭ୍ୟାସ, ପକ୍ଷୀ ଅଇଁଠା ପିଜୁଳି ଗୋଟାଇ ଅଳିଆଗଦା ବଢ଼ାଇବା ଯେମିତି ଏକ ଅଭ୍ୟାସ, ବଂଚିବା ଏକ ଅଭ୍ୟାସ, ରାହୁଳ ଚୁପ୍ଚାପ୍ ବାହାହୋଇ ଭଡ଼ାଘରେ ରହେ ବାପାକୁ ବୁଢ଼ା କହେ ମାକୁ ବୁଢ଼ୀ କହେ ସ୍ତ୍ରୀ ଓ ପିଲାପିଲି ନେଇ ନୂଆଘରେ ଅଳଂଧୁ ବଢ଼ାଏ ଜଂଜାଳ ବଢ଼ାଏ ତେଲ ଲୁଣ ଫାଇଲ ରେଭିନୁ୍ୟ ଷ୍ଟାଂପ ନେଇ ବ୍ୟସ୍ତ ରହେ, ସ୍ତ୍ରୀବାଚକଟି କିଛିଦିନ ଡାକ୍ତରଖାନାରେ ରହେ, ପୁଂବାଚକଟି ମୁଂଡ ପଟେ ବସି ତାମୁହଁ ପୋଛୁଥାଏ ରାତିସାରା ଦିନସାରା ରାତିସାରା ଦିନସାରା ଥପ୍ ଥପ୍ ବିଂଦୁ ବିଂଦୁ ଥପ୍ ଥପ୍ ବିଂଦୁ ବିଂଦୁ ଲାଳରକ୍ତ ଲାଲ ବେଂଡେଜ ଲାଲ କେପ୍ସୁଲ ଲାଲ କେପସୁଲ ଲାଲ ବେଂଡେଜ ଲାଲ ରକ୍ତ ଦେଖୁଥାଏ ଏବଂ ଦେଖୁଥାଏ, ଅଭ୍ୟାସ ବଶତଃ ଦୀର୍ଘଶ୍ୱାସ ଟାଣୁଥାଏ ଏବଂ ଟାଣୁଥାଏ ଅକସିଜେନ୍ ଅକସିଜେନ୍ ଡାକ୍ତର ଡାକ୍ତର ନର୍ସ ନର୍ସ ହୋଇ ପାଟି କରୁଥାଏ, ନର୍ସ ଆସି ଧଳା ଚାଦରଟିଏ ମୁହଁଯାଏ ଘୋଡ଼ାଇ ଦେଲେ ଜୀବନ ଦାସ ଶ୍ମଶାନ ବାଟେ ନଂଡା ହୋଇ ଦଶଦିନ ପରେ ଫେରେ, ଏକା ଏକା, ଦର୍ପଣର ଶିଥିଳଚର୍ମକୁ ଖତେଇ ବି ହୋଇ ପାରେନା, ସରକାରୀ କଂବଳରେ ଘୁଣଖିଆ ଅବୟବକୁ ଢାଂକି ବି ପାରେନା, ଘର ଛାତରେ ସୂର୍ଯ୍ୟ ଚଂଦ୍ରକୁ ଘୋଡ଼ାଇ ପାରେନା, ଶେଷଥର ପାଇଁ ସଲାମ୍ କରିବା ଲାଗି ପାଂଚଆଂଗୁଠି ସଜାଡ଼ି ପାରେନା, ଖରାଦିନେ ପାଦ ଦୁଇଟିକୁ ମାଟି ଉପରେ ଥାପି ପାରେନା, ହାତଗୋଡ଼ ଶିରାପ୍ରଶିରା କାଉଁରୀକାଠି ପଂଜରାହାଡ଼ ସବୁକୁ ସଜଡ଼ାସଜଡ଼ି କରିପାରେନା, ସାଉଁଟି ପାରେନା, ଅବଶିଷ୍ଟାଂଶ ହୃତପିଂଡ଼, ଅବଶିଷ୍ଟାଂଶ ଦାଂତ, ଅବଶିଷ୍ଟାଂଶ ଜୀବନକୁ ସଂଭାଳି ପାରେନା, ପିଜୁଳି ଗଛରେ ପତ୍ର ସବୁ ଝଡ଼ି ଯାଉଥାଏ, ନୂଆପତ୍ର କଅଁଳୁଥାଏ, ଅଇଁଠା ପିଜୁଳି ଝଡ଼ୁଥାଏ,