ରଖାଯିବ । ସୂର୍ଯ୍ୟୋପରାଗ ପରେ ଉକ୍ତ ନାଗ-ନାଗୁଣୀ ଓ ତମ୍ବାପାତ୍ରକୁ ପୂଜକକୁ ସମର୍ପଣ କରାଯିବ । ତା’ହେଲେ କନ୍ୟାଟିର ଭବିଷ୍ୟତ ମଙ୍ଗଳ ହେବ । ଉଚ୍ଚବଂଶରେ ବିବାହ ଯୋଗ୍ୟ ରହିବ । ବୁଦ୍ଧିମତୀ ଓ କର୍ମପ୍ରବୀଣା ହେବ । ବିଧବାଯୋଗ ବି ରହିବ ନାହିଁ ।’ ଯେତେବେଳେ ରାଜଜ୍ୟୋତିଷ ଜାଣିଲେ ଯେ ସେ କନ୍ୟା ନୁହେଁ, ଜଣେ ପୁତ୍ରରତ୍ନର ଜାତକ ଦେଖିଥିଲେ, ସେତେବେଳେ ତତ୍କ୍ଷଣାତ୍ ନିଜ ଅବସୋସକୁ ଢାଙ୍କି, କଥା ବଦଳାଇ ପୁଅର ଦୀର୍ଘଜୀବନ, ବିଦ୍ୟା ଆହରଣ ଓ ସପନ୍ତ୍ତି ସଂଯୋଗର କଥା କହିଥିଲେ । ପୁଅର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ମା’ ବାପାଙ୍କୁ ସମସ୍ତ ପ୍ରତିକାର କରିବାକୁ ପଡ଼ିଥିଲା । କିନ୍ତୁ ପୁଅର "ବର୍ତମାନ’ ବଦଳିଲା ନାହିଁ । ସେ ସବୁବେଳେ ଶବ୍ଦର ଖେଳରେ ମାତି ରହିଲା । ଶବ୍ଦ କ’ଣ? ଏତେ ଶବ୍ଦ ଆସିଲା କେଉଁଠୁ? କିଏ ବସ୍ତୁମାନଙ୍କର ନାମକରଣ କଲା? ପ୍ରାଣୀମାନଙ୍କର ନାମକରଣ ବି କେମିତି ହେଲା? ଶବ୍ଦର ଅର୍ଥ କ’ଣ? ଶବ୍ଦ ଠାରୁ ଅର୍ଥର ଦୂରତ୍ୱ କେତେ? "ଅର୍ଥ' ବି ତ ଅନ୍ୟ ଏକ ଶବ୍ଦ, ତାର ଅର୍ଥ କ’ଣ? ଏପରି ଶବ୍ଦରୁ ଅର୍ଥ ଓ ଅର୍ଥରୁ ଅର୍ଥ, ପୁଣି ଅର୍ଥରୁ ଶବ୍ଦ, ପୁଣି ଶବ୍ଦରୁ ଅର୍ଥ, ପୁଣି ଅର୍ଥରୁ ଅର୍ଥ, ଏସବୁ କ’ଣ? ଏହା ଏକ ଲମ୍ବ ରାସ୍ତା ନା ଗୋଲାକାର ରାସ୍ତା, ବଂଶୀଧର ଭାବିପାରେନା । ଯଦି ସିଧା ରାସ୍ତା ତେବେ ଏହା ଅନନ୍ତ ଆଡ଼କୁ । ଯଦି ଏହା ଗୋଲାକାର, ତେବେ ପୁଣି ମୂଳ ଶବ୍ଦକୁ ଫେରିବାକୁ ପଡ଼େ । ଏହି ବୃତ୍ତର ପ୍ରଥମ ଶବ୍ଦଟି, ମୂଳ ଶବ୍ଦଟି କ’ଣ? ମୂଳରେ ଗୋଟିଏ ଶବ୍ଦ ଅଛି ନା ହଜାରେ ଶବ୍ଦ ଅଛି? ଗୋଟିଏ ଶବ୍ଦ, ତାର ଅର୍ଥ, ପୁଣି ତା’ର ଅର୍ଥ, ପୁଣି ଶବ୍ଦ, ଏହିପରି ଗୋଟିଏ ଶବ୍ଦ ପାଇଁ ଗୋଟିଏ ବୃତ୍ତ ଯଦି ହୁଏ, ତେବେ ଲକ୍ଷେ ଶବ୍ଦ ପାଇଁ ଲକ୍ଷେ ବୃତ୍ତ ହେବ । ଏଇ ଛୋଟ ଛୋଟ ବୃତ୍ତ ପୁଣି ଏକ ପ୍ରକାଣ୍ଡ ବୃତ୍ତ ଭିତରେ ରହିବେ । ତାହା ହେବ ଏ ସୌରମଣ୍ଡଳର ପ୍ରଥମ ଶବ୍ଦ । ତାହା କ’ଣ? ତାହା କିପରି ଓ କେଉଁଠୁ ଆସିଲା? ତା’ର ଅର୍ଥ କ’ଣ? ଅର୍ଥଟି ଅନ୍ୟ ଏକ ଶବ୍ଦ ନା ଏକ ଧ୍ୱନି? ଶବ୍ଦମାନଙ୍କର ଏ ପ୍ରକାର ମାୟାଜାଲରୁ ମୁକୁଳିବାର ବାଟ କ’ଣ? ଥରେଥରେ ସେ ପାଣି ଗ୍ଲାସେ ପିଇବା ପାଇଁ ଧରିଲେ ଘଣ୍ଟାଏ କାଳ ଭାବୁଥାଏ ବସି । ପିଇବ ନା ନାଇଁ । ଗୋଟାଏ ବୁନ୍ଦା ଜଳ ନେଇ ନିଜ ଜିଭରେ ପକାଏ ଓ ଭାବେ, ଜଳବିନ୍ଦୁଟି ମରିଗଲା । ଗୋଟାଏ ବୁନ୍ଦା ଜଳ ନେଇ ଆଙ୍ଗୁଠି ଟିପରେ ଶୂନ୍ୟକୁ ଫିଙ୍ଗିଦିଏ ଓ ଭାବେ, ଜଳବିନ୍ଦୁଟି ମରିଗଲା । ଗୋଟିଏ ବୁନ୍ଦା ଜଳ ନେଇ ପାପୁଲିରେ ଧରେ ଓ ଖରାରେ ତା’ ପାପୁଲିକୁ ଦେଖାଏ ଏବଂ ଅପେକ୍ଷା କରେ, ଜଳବିନ୍ଦୁଟି କେତେବେଳେ ମରିବ । ନିଜ ଓଦା ସାର୍ଟକୁ ସେ ତାରରେ ଝୁଲାଇ ରଖେ ଓ ସେଥିରୁ ବିନ୍ଦୁ ବିନ୍ଦୁ ଜଳ ପଡ଼ି ମରି ଯାଉଥିବାର ଦେଖେ । ନିଜେ ବି ଗାଧୋଇ ସାରିଲା ପରେ ଦିନେଦିନେ ପୋଛାପୋଛି ନ ହୋଇ ଖରାରେ ଯାଇ ଠିଆହୁଏ ଓ ଦେହଭର୍ତି ଜଳବିନ୍ଦୁମାନଙ୍କ ମୃତ୍ୟୁକୁ ଅପେକ୍ଷା କରେ । ଦିନେ ବଂଶୀଧର ତା’ ମା’ କୁ କହିଲା, ଇଂରେଜମାନେ ପାଣିକୁ "ୱାଟର’ ନ କହି ବାଟର୍ ବା ମାଟର୍ କହିଥିଲେ କ’ଣ ହୋଇଥାନ୍ତା? ହିନ୍ଦୀରେ "ପାନି’ ନ କହି "ଆନି’ "ଯାନି’ କହିଥିଲେ ଅସୁବିଧା କେଉଁଠି ରହିଥାନ୍ତା, ମୁଁ ତ ଆଦୌ ବୁଝିପାରୁନାହିଁ ।’ ସେଦିନ କିନ୍ତୁ ତା ମା’ କାନ୍ଦି ନ ଥିଲେ । କହିଥିଲେ, "ମୁଁ ବି ବୁଝିପାରୁନିରେ ପୁଅ । ତୁ ସତ୍ୟବାଦୀକୁ ଗଲେ ସେଠି ତୋ ଶିକ୍ଷକ ମାନଙ୍କୁ ପଚାରିବୁ । ସେମାନେ ନିଶ୍ଚେ ବୁଝେଇଦେବେ । ସେଠାକୁ ଗଲେ ଯାହାକୁ ଦେଖିବୁ, ଭୂମିଷ୍ଠ ପ୍ରଣାମ କରିବୁ । ତୋ’ ନାଁ ପଚାରିଲେ କହିବୁ । ତୋ କୁଳ ପଚାରିଲେ ପୂରା ବିବରଣୀ ଦେବୁ । ତୋ’ ଗୋତ୍ର ଜାଣିଛୁ ନା ନାଇଁ? "ଭରଦ୍ୱାଜ’ ଗୋତ୍ର ବୋଲି କହିବୁ । କାହା ସାଙ୍ଗରେ ଲଗାଲଗି କରିବୁ ନାଇଁ । ବେଶି ଗାଧୋଇବୁ ନାଇଁ । ତୋ’ ଦେହରେ ପାଣି ଧରିଯାଏ । ଠିକ୍ ସମୟରେ ଖିଆପିଆ କରିବୁ । ଏ ଭାଗବତ ପୋଥି ଖଣ୍ଡିକରୁ ପ୍ରତିଦିନ ସକାଳବେଳା ଗୋଟିଏ ଅଧ୍ୟାୟ ଗାଇବୁ । ଗାଇସାରି ମୁଣ୍ଡିଆ ମାରିବୁ । ପୁରୋହିତେ ଦେଇଥିବା ଏଇ ଅଷ୍ଟଧାତୁ ହାତରୁ କେବେହେଲେ ଖୋଲିବୁ ନାଇଁ । ମୋ’ ଛାତି ଫାଟି ଯାଉଛିରେ ବାବୁ, ଦଶମୀ ଆଉ ଦୁଇଦିନ ରହିଲା ।’ ରାଜପୁରୋହିତ ଦିନ ଧାର୍ଯ୍ୟ କରିଥିଲେ । ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି, ଦିନ ଦଶଟା କୋଡ଼ିଏ ମିନିଟରୁ ଏଗାରଟା ପନ୍ଦର ମିନିଟ ମଧ୍ୟେ ଦେଶାନ୍ତର ଗମନର ଯୋଗ ଅଛି । ଗତ ସୂର୍ଯ୍ୟୋପରାଗ ସମୟରେ ରୁଦ୍ରାଭିଷେକ କରିବାଦ୍ୱାରା କାଳସର୍ପ ଯୋଗ ବିନାଶ ହୋଇଛି । ତେଣୁ ଦେଶାନ୍ତର ଗମନର କୌଣସି ଅସୁବିଧା ନାଇଁ । ପୁରୋହିତେ ଆହୁରି ବି କୁହନ୍ତି, "ବୁଝିଲେ ରୁଦ୍ରନାରାୟଣ ବାବୁ, ମୁଁ ଦେଖିପାରୁଛି ବଂଶୀଧରର ବିଚକ୍ଷଣ ଦକ୍ଷତା ଅଛି । ସେ ଯାହା ପଚାରୁଛି, ଆମ ବିଦ୍ୟାବୁଦ୍ଧିର ବାହାରେ । ତାକୁ ସତ୍ୟବାଦୀରେ ଭର୍ତି କରାଯିବାଠାରୁ ଆଉ ଉତ୍ତମ ବନ୍ଦୋବସ୍ତ କିଛି ହୋଇପାରେନା । ପିଲାଟି ଆମପାଇଁ ନୁହେଁ, ଏ ଜଗତ ପାଇଁ ଅଛି । ଦେଖିବେ, ସେ କେମିତି ନାଁ କରିବ ।’ ବଂଶୀଧରର ବାପା ବାବୁ ଶ୍ରୀମାନ୍ ରୁଦ୍ରନାରାୟଣ ମୁଣ୍ଡଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ଲେଖିଥିବା ଚିଠି ଦଶଦିନ ହେଲା ଆସିଲାଣି । ସେ ଲେଖିଛନ୍ତି ।
ପୃଷ୍ଠା:Hada bagicha.pdf/୧୪୩
ଦେଖଣା