ତାଙ୍କ ମତରେ ଅନୁଭୂତ ବାସ୍ତବ ସତ୍ୟକୁ ଡରୁଥିବା ଅତ୍ୟାଧୁନିକ ଲେଖକ ମୋଟାମୋଟି ଦୁଇଭାଗରେ ବିଭକ୍ତ । ଥୋକେ ହାଲୁକା ଭାବରେ କଥାଟାକୁ ଛିଣ୍ଡେଇ ଦେବାକୁ ଚାହାନ୍ତି, ସାମାନ୍ୟତମ ଆମୋଦର ମୁର୍କିହସା ପାଇଁ । ଅବା ଏଇ ଫାଣ୍ଟାସି, ଗୋଟାଏ ମିଛିମିଛିକା ରହସ୍ୟ ସୃଷ୍ଟି କରିବା ଆଳରେ । ତା ସାଙ୍ଗକୁ କବିତ୍ୱର ଛଇ ଦେଖେଇ ପାରନ୍ତି କେତେକେ । ଯାହାହେଉ ଏଇ ଗପଟି ଗୋଟିଏ ରୀତିମତ ଫାଣ୍ଟାସି ବୋଲି ମନେ ହେଉଛି । ସତେକି ମୁଁ ଯେଉଁ ଅତିବାସ୍ତବ ଅଣବାସ୍ତବର ସଫେଇ ବାଢ଼ିଦେଲି ଏଇ କ୍ଷଣି । ତା’ର ସତ ମିଛକୁ ପରୀକ୍ଷା କରିହେବ ଏଇ ଗପଟିକୁ ନେଇ । ଦେଖିବା । ଗୋପାଳବାବୁ ଗପଟିକୁ ମନ ଦେଇ ପଢ଼ିଲେ ଏବଂ ବୁଝିଲେ ଯେ ତା’ର ସାରାଂଶ ଏହିପ୍ରକାର-- ବିବାହିତା ତରୁଣୀଟିଏ ଭୀଷଣ ଡରେ ପୋକମାନଙ୍କୁ । ଚିର୍ଚିରେଇ ହୋଇ ଉଠେ ମୁଣ୍ଡରେ ବଜ୍ର ପଡ଼ିଲାପରି । ହେଲେ ସେ ଜୀବନ୍ତ ଜୀବନରେ ଆଗ୍ରହୀ । ଏଭଳି କେଉଁ ଦୃପ୍ତ ଓ ସତେଜ ଜୀବନ, ଯାହାକୁ ଦେଖିେଲେ ଆଖି ଠାକି ଯିବ, ଏବଂ ତାକୁ ପାଇବାକୁ ମନ ହେବ । ସତେକି ଇଏ ହେଉଛି ହୀନଘୃଣ୍ୟ ପୋକମାନଙ୍କୁ ଡରୁଥିବାର ଅପର ପାଖ । ସେହିକ୍ରମରେ ନାନାଦି ଜୀବନ୍ତ ଜୀବନର ପ୍ରତିକୃତିକୁ ତାର ସ୍ନେହୀ ସ୍ୱାମୀର ଜରିଆରେ ଘରକୁ ଆଣି ଠୁଳ କରିସାରିଲା ପରେ ତା’ର ମନ ଉଚ୍ଚାଟ ହେଲା ଗୋଟାଏ ଛକରେ ରଖାହୋଇଥିବା ‘ଧାବମାନ’ ଘୋଡ଼ାର ମୂର୍ତ୍ତି ଉପରେ ଚଢ଼ିବ । ଏମିତି ଗୋଟାଏ ଉଦ୍ୟତ, ବଳବନ୍ତ, ଚିକ୍କଣ କଳା ଘୋଡ଼ା, ଯିଏ ସତେ ହିନ୍ହିନ୍ ହେଉଛି, ଲାଞ୍ଜ ଛାଟୁଛି, ଆଉ ପୃଥିବୀକୁ ଜୟକରି ଆସିବ ବୋଲି ବାହାରିଛି । ତା’ର ଖାଲି ଦରକାର ଗୋଟାଏ ସବାର୍ । ମନୋଜ ପଣ୍ଡାଙ୍କ ହିରୋଇନ୍ ଇଚ୍ଛିଲା ଯେ ସେଇ ହେବ ତା’ର ସବାର୍ ଏବଂ ସ୍ୱାମୀ ସେଇ ଦୃଶ୍ୟର ଗୋଟାଏ ଫଟୋ ଉଠେଇବ । ପାଖ ଚା ଦୋକାନୀ ପ୍ରଥମେ ରାଜି ହେଉ ନଥିଲା ଛୋଟ ଷ୍ଟୁଲଟିଏ ଦେବା ପାଇଁ । କିନ୍ତୁ ତା’କୁ ରାଜି କରାଗଲା । କୁହାଗଲା ଯେ ଦୁଇମିନିଟ୍, ମାତ୍ର ଦୁଇମିନିଟ୍ ପାଇଁ ମାଡାମଙ୍କର ଦରକାର ସେଇ ଅପୂର୍ବ ଅନୁଭବଟିକକ । ତେଣୁ ପ୍ଲିଜ୍-- ହଉ ତା’ ହେଲେ । ଧନ୍ୟବାଦ । ଝିଅର ମୁଖମଣ୍ଡଳ ଉଦ୍ଭାସିତ ହୋଇଉଠିଲା । ଏବଂ ସେ ଚଢ଼ିଲା ତା’ ଉପରକୁ । ଗୋଟାଏ ଷ୍ଟୁଲ୍ ଉପରେ ପାଦ ରଖି ଏବଂ ସ୍ୱାମୀର କାନ୍ଧରେ ଭରା ଦେଇ । ସୂର୍ଯ୍ୟ ଉଇଁ ଆସୁଛନ୍ତି ଆକାଶରେ । ଏବଂ ମନେ ହେଲୋ ଅଶ୍ୱାରୋହିଣୀ ତାଙ୍କରି ଆଡ଼କୁ ଛୁଟେଇ ଚାଲିଛି ତା’ର ଅଶ୍ୱ, ସତେ ତାଙ୍କ ମୁକାବିଲା କରିବ କି କଅଣ । ମୁହଁରେ ଅସାମାନ୍ୟ ଦୀପ୍ତି । ତା’ର ସକଳ ମନସ୍କାମନା ପୂର୍ଣ୍ଣ ହେବ । କିନ୍ତୁ ଇଏ କ’ଣ ହେଲା? ତା’ର ସୁଦୀପ୍ତ ମୁହଁରେ ହଠାତ୍ ଏଇ ଯନ୍ତ୍ରଣା କେଉଁଥିପାଇଁ, ଆଉ ଏଇ ରୁନ୍ଧି ହୋଇଯାଉଥିବା ଚିକ୍ରାର? ବୁଝୁବୁଝୁ ଦେଖାଗଲା ଯେ ଝିଅଟା କ୍ରମଶଃ ପଥର ପାଲଟି ଯାଉଛି । କ୍ରମଶଃ... ପାଦରୁ ଅଣ୍ଟାଯାଏଁ, ସେଇଠୁ ବେକଯାଏଁ, ସେଇଠୁଁ... ହେ ଭଗବାନ! ହେଲେ, କ୍ରମ ସରିଗଲା । ଏଇକ୍ଷଣି ଦେଖ ତା ମୁହଁକୁ । ସେଥିରେ ଦୀପ୍ତି ନାହିଁ କି ଯନ୍ତ୍ରଣା । ଆବେଗ କି ଉଦ୍ବେଗ । କେବଳ ଏଇ ନିଶ୍ଚିତ ଓ ସମାହିତ ଏବଂ ସେହେତୁ ଭାବଶୂନ୍ୟ ସ୍ଥିତି । କାରଣ ସେ ପୂରାପୁରି ପଥର ପାଲଟି ଯାଇଛି । ସଫଳତାର ପ୍ରତିମୂର୍ତ୍ତି । ଗୋପାଳବାବୁ ପ୍ରଥମେ ହସିଲେ । ଯେ ଏଭଳି ଗୋଟାଏ ଫାଣ୍ଟାସି ତିଆରିକରି ପାରନ୍ତି ଆଜିକାଲିକା ଲେଖକ । ଯାହାର କିଛି ହେଲେ ଅର୍ଥ ନାହିଁ, ମୁଣ୍ଡ ନାହିଁ, ଗଣ୍ଡି ନାହିଁ । କିନ୍ତୁ ହସୁ ହସୁ ତାଙ୍କର ରାଗ ଆସିଲା ମନୋଜପଣ୍ଡାଙ୍କ ଉପରେ । କ’ଣ ଦୋଷ କରିଥିଲା ସୁକୁମାରୀ ଝିଅଟା ଯେ ତାକୁ ଏମିତି ଠକେଇଲ, ଏତେ କଷ୍ଟ ଦେଲ ଯେ? ଜୀବନ ପ୍ରତି ଟିକିଏ ବେଶି ସରାଗ ଦେଖେଇଲା, ବେଶି ଲୋଭ କଲା ତାକୁ ପାଇବା ପାଇଁ, ପୂରାପୂରି ପାଇବା ପାଇଁ, ତା’ର ରୂପ, ରଙ୍ଗ, ଆଉ ତେଜ, ଏଇ ହେଲା ତା’ ଦୋଷ? କହିଲ- ଦେଖେ ଲୋ ରାଣୀ, ମୋ ରମଣୀମଣି, ତୋର ସବୁ ଇଚ୍ଛା କେମିତି ପୂରଣ କରିଦେଲି, ତା’ର ଅପହୁଞ୍ଚ ସମେତ । ସଂପୂର୍ଣ୍ଣ ସଫଳତାଟାଏ ବଢ଼େଇଦେଲି ତୋ’ ହାତକୁ । ଅର୍ବାଚୀନ ତରୁଣ ଲେଖକ ହସୁଛି । ଗୋପାଳବାବୁ ରାଗିଲେ ତା ଉପରେ, ଏବଂ ହଠାତ୍ ପାଟି କରି ଉଠିଲେ - ନା! କିନ୍ତୁ କିଏ କହିବ, ସେ କୋଉ ଭାବଭାବନାର ଦାନବ ଉପରେ ରାଗୁଛନ୍ତି ଏମିତି? କାରଣ ସେତେବେଳେ ସେ ତାଙ୍କ ଷ୍ଟଡିରୁମ୍ର ଝରକାବାଟେ ଅନେଇଥିଲେ ବାହାରକୁ । ତାଙ୍କ ପୈତୃକ ଘରର ପ୍ରଶସ୍ତ ହତା ଆଡ଼କୁ । ଯେଉଁଠି କେଇଟା ପିଲା ଆନନ୍ଦରେ ଗୁଡ଼ି ଉଡ଼ାଉଥିଲେ । ତେଣୁ ମନେହେବ ଯେ ଘରମାଲିକ ତାଙ୍କରି ଉପରେ ପାଟି କରି ଉଠୁଛନ୍ତି । ଯେ, ହ୍ୟାପ କ’ଣ ବୋଲି ଭାବିଛ କି ମୋ’ ଘରକୁ? ଇଏ କ’ଣ ତମର ଖେଳପଡ଼ିଆ?
ପୃଷ୍ଠା:Hada bagicha.pdf/୨୦୨
ଦେଖଣା