ବଂଶୀବାଦକ କେଡ଼େ କଥାଟିଏ ନ କଲା । ପ୍ଲେଗ ନେଇ ଚାଲିଗଲା । ଘୃଣା ବିତୃଷ୍ଣା ବିକୃତି ଶତୃତାର ମହାମାରୀ, ଭଣ୍ଡାମୀର ମହାମାରୀ । କହିଗଲା ବଂଶୀର ସୁର ଗୁଣ, ଉଠ, ବଂଚ, ଜିଇଁଯାଅ ହେ ଶବଗଣ, ମହାମାନ୍ୟ ମୁର୍ଦାରଗଣ । ସେଇ ବଂଶୀବାଦକର ସ୍ୱର ତମେ ଶୁଣିଛ? ଗପ ଶୁଣିବା ପରେ ବି ଲୋକେ ବିଶ୍ୱାସ କଲେ ନାଇଁ, ଅବିଶ୍ୱାସ କଲେ ନାଇଁ, ସନ୍ଦେହ ବି କଲେ ନାଇଁ । ଦେଖିଲେ ଚାହିଁଲେ ଏପରି ଯେପରି ଅବକାଶ ଗୋଟେ ଡାଇନୋସର ଓ ଚିଲିକା ଗୋଟେ ଲେଂଡସ୍କେପ୍ । ‘ମୂଷାମାନେ-ମଲାବେଳେ- କେତେ-କଷ୍ଟ-ପାଇ-ନଥିବେ-ଆହା!’ ଦୃଷ୍ଟିରେ ଲୋକ ଗୁଡ଼ାକ ତଥାପି ଦେଖୁଥିଲେ । ଲୋକେ ବି କଥା କହନ୍ତି ଅଜବ କାଇଦାରେ । ଖବର କାଗଜରେ ଚିଲିକାର ଧର୍ଷଣ ଖବର ଦେଖି ସେମାନେ ତାକୁ ‘ହଟନ୍ୟୁଜ୍’ ଭାବିଥିଲେ । ଖୁବ୍ ଆଗ୍ରହ ବଢ଼ିଥିଲା ଲୋକଙ୍କ ମନରେ । କହୁଥିଲେ, ‘ଆରେ ଭାଇ ଆଜିର ଖବରକାଗଜ ଦେଖିଲଣି? ଦେଖ, ଦେଖ ।’ ‘ଦେଶଟାକୁ ଦେଖ କେତେ ରସାତଳକୁ ଗଲାଣି । ଆମ ବେଳକୁ ଏମିତି ନ ଥିଲା, ଛି ଛି ଛି ଛି ।’ ଲୋକେ ଏମିତି ହିନ୍ହିନେଇ ଦିଅନ୍ତି କବାଟ ଫାଙ୍କରେ ନଚେତ୍ କାଚ ଝରକା ଭିତର ପଟେ । ବାହାରେ ଝଡ଼ ଆସିଲେ କାଚ ଛୁଇଁଦେଇ ଫେରିଯାଏ । ରକ୍ତ ଛିଟା ନିଜ ପୋଷାକରେ ଲାଗେନା । ବାମ ହାତକୁ ଡାହାଣ ହାତ ସନ୍ଧିରେ ଡାହାଣ ହାତରୁ ବାମ ହାତ ସନ୍ଧିରେ ଛାତିରେ ଛନ୍ଦି ଦେଇ ଗୁଡ଼ାଏ ଚନ୍ଦ୍ରବିନ୍ଦୁ ହିନ୍ହିନେଇ ଦିଅନ୍ତି । ତା ଭିତରେ ଲୁଚିଯାଏ ଆକାଶ । ଘୁଞ୍ଚିଯାଏ ପୃଥିବୀ । ବାହାର ଦୁନିଆଁକୁ ଗୋଟେ ଦୁଇଟି ପ୍ରୋଭାର୍ବ ଦ୍ୱାରା ଛିଞ୍ଚାଡ଼ି ଦିଅନ୍ତି । ସୂର୍ଯ୍ୟ ଚନ୍ଦ୍ର ସାଉଁଟି ଆଣିବା ଲୋକ ଏମାନେ । ପ୍ରତିଦିନ ମୁହୂର୍ତ ମୁହୂର୍ତ କରି ବିକାରଗ୍ରସ୍ତ ଭାବେ ବଞ୍ଚୁଥିବା ଚିଲିକା ପାଇଁ ଏମାନେ ଗୁଣିଆ ଡାକିଥିଲେ । ଗୁଡ଼ାଏ ଲୋକଙ୍କ ମଝିରେ ଛିଡ଼ା ହେଲେ ଯେତେବେଳେ ତାର ଝାଳ ନିଗିଡ଼ି ପଡୁଥିଲା, ଭୟରେ ଯେବେ ସେ ଓଠ କାମୁଡ଼ି ପକାଉଥିଲା, ଦୌଡ଼ି ପଳାଇବାକୁ ଉଦ୍ୟତ ହେବାବେଳେ ଦେହଟା ଥରି ଥରି ଯାଉଥିଲା, ସାମାନ୍ୟ ଅନ୍ଧାରକୁ ଛୁଇଁଦେଲେ ଯେବେ ତା ଉପରକୁ କେହି ମାଡ଼ି ଆସୁଛି ପରି ଲାଗୁଥିଲା, ଯେବେ ସେ ଥକି ପଡୁଥିଲା, ଭାଙ୍ଗି ପଡୁଥିଲା, ଚମକି ପଡୁଥିଲା ସେତେବେଳେ ଏଇ ସମ୍ପର୍କର ଡୋର ଲାଗିଥିବା ଲୋକେ କୁହାକୁହି ହେଉଥିଲେ, ‘ଦେଖ ଝିଅଟା କେମିତି ଖଡ଼ିକା ପରି ହେଲାଣି । ତା ଜାତକ ସୁଦ୍ଧି କରାଅ । ଖଡ଼ି ପାଂଜି ଦେଖାଅ । ମନ୍ଦିରରେ ବେଲପତ୍ର ଚଢ଼ାଅ, ଲକ୍ଷେ ଦୀପ ଜାଳ ।’ ୟୁସ୍ଲେସ୍ ଫୋକ୍ । ଏଣୁ ଏଣିକି ଆମେ ସବୁ ଜେନିଟିଷିସ୍ଟ୍ ମାନଙ୍କ ଥିଓରିକୁ ଖଣ୍ଡ ଖଣ୍ଡ କରି କାଟି ଦୃଢ଼ ଘୋଷଣା କରିପାରୁ ଯେ ଆମ ବଡ଼ବାପା ମାନଙ୍କ ଶରୀର ପବିତ୍ର ଗଙ୍ଗାଜଳରେ ତିଆରି । ଅଥଚ ଆଜିକାଲି ପିଲାଙ୍କ ଶରୀର ବାଡ଼ି ପଟ ଗାଡ଼ିଆଜଳରେ ଭର୍ତି । ଛି ଛି ଛି ଛି । କିଛିଦିନ ଆସନ୍ତାକାଲି ପାଇଁ ବଞ୍ଚିବାର ପ୍ରତିଶ୍ରୁତି ତାର ନ ଥିଲା । ନିଜ ପ୍ରତି ଭୟଙ୍କର ଘୃଣା, ଅସମ୍ଭବ ଭୟ, ବିକାରଗ୍ରସ୍ତ ମନ, ରାଗ ଓ ଅସହାୟତା ତା ଅଭ୍ୟଂତରକୁ ଖାଇ ଯାଉଥିଲା ଖିନ୍ଭିନ୍ କରି । ଚରି ଯାଉଥିଲା ଏସିଡ଼୍ ପରି । କ’ଣ କରିବ? କୁଆଡ଼େ ଯିବ? ଭାବି ପାରୁ ନ ଥିଲା । ଏଠି ସେ ଆଉ କାହିଁକି ଅଛି? କୁଆଡ଼େ ଯିବ ଯଦି କେମିତି ଯିବ? ଏମିତି ନିରର୍ଥକତା, ଅନିଶ୍ଚିତତା, ନିଃସଂଗତା ଏବଂ ମୂଲ୍ୟହୀନତା ଏ ସବୁ ସହିତ ଯୁଦ୍ଧ କରୁଥିଲା ପ୍ରତି ମୁହୂର୍ତରେ; ପ୍ରତି ସେକେଣ୍ଡରେ ପ୍ରତି ମିନିଟ୍ରେ । ତା ସାଙ୍ଗମାନେ ଘରକୁ ଆସୁ ନ ଥିଲେ । ବନ୍ଧୁବାନ୍ଧବ ଦେଖାଇ ଶୁଣାଇ ଅନେକ କଥା କହୁଥିଲେ ‘ତାକୁ କିଏ କହୁଥିଲା ଏକା ଯିବାକୁ? ତାକୁ କାହିଁକି ପାଠ ପଢ଼ାଇବାକୁ ପଠାଇଲେ? ଏତେ ଦିନ ଯାଏ ତାକୁ କାହିଁକି ବାହା କରାଇଲେ ନାଇଁ?’ ବାପା ମା ଭାଇଭଉଣୀ ସମସ୍ତେ ଅପମାନିତ ହେଉଥିଲେ । କାହାରି ସାନ୍ତ୍ୱନା ଆଶ୍ୱାସନାରେ ସେ ଶିହିରି ଉଠୁଥିଲା । କାହାରି ସ୍ପର୍ଶରେ ଦେହରେ ତାର ତଡ଼ିତ ପ୍ରବାହିତ ହେଉଥିଲା । ଥରକୁ ଥର ପୋଲିସ କିମ୍ବା ଡାକ୍ତର କିମ୍ବା ଓକିଲଙ୍କ କେତୋଟି ନିର୍ଦିଷ୍ଟ ପ୍ରଶ୍ନ ବାରମ୍ବାର ପଚାରୁଥିବାରୁ ସେ ପାଗଳପ୍ରାୟ ରଡ଼ି ଛାଡୁଥିଲା । ତା ଭିତରେ ସେ ଅସଂଖ୍ୟ ଲୋକଙ୍କୁ ଗାଳିଦେଇଛି, ଅଭଦ୍ର ବ୍ୟବହାର କରିଛି, ପାଟି ଫଟାଇ ତଡ଼ି ଦେଇଛି । ଲୋକଙ୍କ କଣେଇ ଚାହିଁବା, ଚୁପ୍ ଚୁପ୍ ହସ, ଚୁପ୍ ଚୁପ୍ କଥା ତା ଦେହକୁ ଫୋଡ଼ି ବିଦାରି ଦେଉଥିଲା । କଲିଂବେଲର ଶବ୍ଦ ଶୁଣିଲେ ସେ ଚମକି ପଡୁଥିଲା । ଡରି ଯାଉଥିଲା । ଅଥଚ ଲୋକେ ସବୁ ଘଟନାକୁ ଏକାଠି କରି ନିଜକୁ କେତେ ସହଜରେ ଆଡ଼େଇ ଦିଅନ୍ତି । ଗୋଟେ ଦୁଇଟି ମନ୍ତବ୍ୟ ଦେଇ ନିଜ ଦାୟିତ୍ୱକୁ ଘୋଡ଼ାଇ ଦିଅନ୍ତି । ମନ୍ତବ୍ୟ ଦେବା ଏକ ଅଭ୍ୟାସ । ଧର୍ଷଣ-ବେଳେ-ଚିଲିକା-କେତେ-କଷ୍ଟ-ପାଇ-ନଥିବ-ଆହା! ମୂଷା-ମାନେ-ମଲାବେଳେ-କେତେ-କଷ୍ଟ-ପାଇ-ନଥିବ-ଆହା! ଜଗତଟାକୁ ଛିଞ୍ଚାଡ଼ି ଦେବା ଏକ ଅଭ୍ୟାସ । ଓଦା ହାତର ପାଣି ଯେମିତି ଝାଡ଼ି ଦିଆଯାଏ । ସେମିତି ଆଙ୍ଗୁଠିରେ ଓଟାରି ଝାଡ଼ି ଦିଆଯାଏ କାଦୁଅର ଛିଟା । ସେମିତି ବି ଛିଞ୍ଚାଡ଼ି ଦିଆଯାଏ ଓଦାଳିଆ ଘଟନା ଅଘଟନା ଦୁର୍ଘଟନା ।
ପୃଷ୍ଠା:Hada bagicha.pdf/୨୪
Appearance