ଚିଲିକା ଖେଳୁଥିଲା ଗ୍ରୀନହୋଲ ସାଥୀରେ । ଗ୍ରୀନହୋଲ ମାନେ ଅବକାଶର ଟୋପି । ତାକୁ ନିଜ ମୁଣ୍ଡରେ ଥୋଉଥିଲା । କାଢୁଥିଲା ପୁଣି ଥୋଉଥିଲା । ପୁଣି ଆଙ୍ଗୁଠି ଟିପରେ ଥୋଉଥିଲା, ଘୁରାଉଥିଲା । ନିଜ ମୁଣ୍ଡର ମାପ ଦେଖୁଥିଲା । ବେଣୀକୁ ବାମପଟେ ଆଣି ଡାହାଣ କାନ୍ଧ ପଛକୁ ଫିଙ୍ଗୁଥିଲା । ଡାହାଣ ପଟେ ଆଣି ବାମ ପଟେ ଫିଙ୍ଗୁଥିଲା । ଅବକାଶ ଖେଳୁଥିଲା ଗୋଟେ ମାଛି ସାଥିରେ ଗୋଟେ ବିରକ୍ତିକର ରାତ୍ରୀଚର ମାଛି ତାକୁ ଅସ୍ତବ୍ୟସ୍ତ କରୁଥିଲା ପ୍ରଥମେ ପ୍ରଥମେ । ମାତ୍ର ପରେ ପରେ ସେ ଅଭ୍ୟସ୍ତ ହୋଇଗଲା । ମାଛିଟା ଆସି ତା ନାକ ଉପରକୁ ଚାଲି ଚାଲିଯାଇ ବାଁ ଗାଲପଟୁ ଥୋଡ଼ି ଏବଂ ଡାହାଣ ଗାଲରୁ କପାଳକୁ ଯାଇ ପୁଣି ନାକ ଉପରେ । ବିନ୍ଦୁଟିଏରୁ ବାହାରି ବ୍ୟାସାର୍ଧ ସୃଷ୍ଟି କରି ବୃତ୍ତ ଏବଂ ପୁଣି ସେଇ ବିନ୍ଦୁ ସୃଷ୍ଟି କରିଗଲା । ଅବକାଶ କୁତୁକୁତୁ ଅନୁଭବ କରୁଥିଲା । ଖୁବ୍ ଖୁସୀରେ ତା ମୁହଁର କଳାପଟାରେ ବୃତ୍ତଟିଏ ଟଣା ହେଉଥିବାର ଅନୁଭବ କରି ସେ କୁରୁଳି ଉଠୁଥିଲା । ଏବେ ମାଛିଟା ଚାଲୁନାଇଁ କି ଉଡୁନାଇଁ । ବସିରହି ଲୋମ କୂପକୁ ଖୁମ୍ପୁଛି । ଖୁମ୍ପୁଥାଉ, ବିଚରା ମାଛି । ବହୁଦିନରୁ ଭୋକରେ ଥିବ କାଳେ । ଅବକାଶ ଦେଖିବା ପାଇଁ ଚେଷ୍ଟା କଲା । ତାକୁ କ’ଣ କହୁଛି କି? କାନପାଖକୁ ହେଲେ ଯାଆନ୍ତା । ଏବେ ସେ ଉଡ଼ିଗଲା ଏବଂ ଅବକାଶର ହାତଟା ସାଉଁଟି ଆଣିଲା ନିଜ ମୁହଁର କୁତୁକୁତୁ ଭାବକୁ । ସେ ରହିଗଲା ଏକା । ସାମନାରେ ଚିଲିକା ବି ଏକା । ଦୁହେଁ ଅଛନ୍ତି ପରସ୍ପର ଆଗରେ କିନ୍ତୁ ଭିନ୍ନ ଭାବରେ । ନିଜଠାରୁ ଅନ୍ୟର ଦୂରତା କେତେ ବେଶୀ! ନିଜଠାରୁ ନିଜର ଦୂରତା ବି ଯଥେଷ୍ଟ । ଅନ୍ୟଠାରୁ ଦୂରତା ଯେମିତି, ଦୂରତା ଠାରୁ ଦୂରତା ବି ସେମିତି । ସବୁଠି ଦୂରତ୍ୱ, ସବୁଠି ଡିଷ୍ଟେନ୍ସ୍ ଓ ଡିଷ୍ଟେନସ୍ । ମୁହୂର୍ତ ମୁହୂର୍ତ ହୋଇ ଅନନ୍ତ ମୁହୂର୍ତ ସବୁ କଚାଡ଼ି କଚାଡ଼ି ହୋଇ ବର୍ଷି ଚାଲିଛି ଆଉ ସୃଷ୍ଟି କରୁଛି ଅସରନ୍ତି ସମୟର ଦୀର୍ଘତମ ମାପ-ସେକେଣ୍ଡ । ସେକେଣ୍ଡ ସେକେଣ୍ଡ ହୋଇ ଦୀର୍ଘେଇ ଯାଉଛି ମିନିଟ ଓ ମିନିଟ ମିନିଟ ହୋଇ ଘଣ୍ଟା ଏବଂ ମିନିଟ ଘଣ୍ଟା ଦିନ ମାସ ମିନିଟ ଘଣ୍ଟା ଦିନ ମାସ ମିନିଟ ମିନିଟ ଘଣ୍ଟା ଘଣ୍ଟା ଦିନ ଦିନ ମାସ ମାସ ଟିକ୍ ଟିକ୍ ଟିକ୍ ଟିକ୍ ଓ ସୃଜି ଯାଉଛି ନାତିଦୀର୍ଘ ବର୍ଷଟିଏ । ଅନନ୍ତ ଆବହମାନ ବର୍ଷ । ସେକେଣ୍ଡ ଗୁଡ଼ାକ ଖୁବ୍ ଦୀର୍ଘ ଖୁବ୍ ଲମ୍ବାଳିଆ ରବର ପରି-ସ୍ରୋତ ପରି । ଅଥଚ ବର୍ଷଟିଏ ଖୁବ୍ ଛୋଟ । କାଲିପରି ଲାଗେ ସବୁ କଥା । ଯେମିତି ଗତକାଲି ପରି ଲାଗୁଛି ସବୁ କଥା । ଅବକାଶ, ତମେ ଚୁଟି ଧରୁଥିଲ । ତମର ବାଳକଟା ହେଲା । ତମେ ଝିଅ ହୋଇଥିଲ ତୁମକୁ ପୁଅ କରାଗଲା । ତମେ ଖଟରେ ତୁତୁ କରୁଥିଲ । ତମର ମୁତୁରି କନ୍ଥାକନା ସବୁ ଖରାଜାଳି ଶୁଖାଉଥିଲା । ତମେ ହାପ୍ପେଂଟ ହାପ୍ସାର୍ଟ ଲଗାଇ ଛୋଟ ଛୋଟ ବାଳ କୁଣ୍ଡାଇହୋଇ ସ୍କୁଲ ଗଲ । କେମିତି କାଲିପରି ଲାଗୁଛି ସବୁ କଥା । ତମେ ସରସ୍ୱତୀ ପୂଜା ଗଣେଶପୂଜା କରୁଥିଲ । ନୂଆ ପେଣ୍ଟସାର୍ଟ ଲଗାଇ ନୂଆ ସ୍ଲେଟ୍ ଖଡ଼ି ନେଇ ଭୋଗ ନେଇ ସିନ୍ଦୂର ମାଖି ଆଇସ୍କ୍ରିମ ଖାଇ ଏବଂ ପରୀକ୍ଷା ବେଳେ ଗଣିତରେ ଶୂନ ରଖୁଥିଲ । ସେଦିନ କେମିତି ପାଠ ଆରମ୍ଭ କରିବାବେଳେ ବୁଢ଼ା ଶିକ୍ଷକ ଜଣକ କହୁଥିଲେ, ତୁମ ଗାଲକୁ ଛୁଇଁ, ‘ଶ୍ରୀ ଶ୍ରୀ ଶ୍ରୀ ଶ୍ରୀ ନବକୋଟି କର୍ଣାଟ ଉତ୍କଳକଳବର୍ଗେଶ୍ୱ ବୀରାଧିବୀରବର ଅଭିରାଏ ଭୂତ ଭୈରବ ଉତ୍କଳ କେଶରୀ ବାପା ଅବକାଶ କୁହତ ରାମାୟଣ କିଏ ଲେଖିଛି?’ ତମେ ଖୁବ୍ ଭାବିଚିଂତି କହୁଥିଲ ‘ମୁଁ ତ ଲେଖିନାହିଁ ସାର୍ ।’ କେମିତି ସବୁକଥା କାଲି ପରି ଲାଗୁଛି । ଚଉଦ ବର୍ଷତଳେ ତମ ଚଉଦ ବର୍ଷ ବୟସରେ ତମ ଜନ୍ମଦିନରେ ସେଇ ମୁହଁ ମନେ ନଥିବା କଳା ବିକୃତିଆ ସତ୍ୟାନାଶିଆ ସମ୍ବାଳୁଆ ପରି ପିଲାଟା ତମକୁ ହାମା ପାଇଁ କହୁଥିଲା ଏବଂ ତମେ ହାପ୍ପେଂଟକୁ ହାତରେ ଧରି କାନ୍ଦି କାନ୍ଦି ଦୌଡ଼ି ଦୌଡ଼ି ଆଲୁଅକୁ ଚାଲି ଆସିଥିଲ । ତମର ମନେ ନାଇଁ? ତା ଘର ଲୋକେ ଉଠି ପଡ଼ିବାରୁ ହଇଚଇ ହୋଇଥିଲା । ସବୁ କାଲିର କଥା । ବର୍ଷଟା ସବୁବେଳେ ଛୋଟ । ତମେ ଏତେ ଭୟ ପାଇଥିଲ ଯେ ଗୁଣିଆ ଡାକିବାଯାଏ କଥା ଯାଇଥିଲା । ସବୁ କାଲିପରି ଲାଗୁଛି । ତମେ କେମିତି ତମର ପନ୍ଦର ବର୍ଷ ବୟସରେ କୁମାରୀ ପି ପି ପଟନାୟକ ଦଶମ ଶ୍ରେଣୀକୁ ପ୍ରେମ କରିବା ଆରଂଭିଲ । ତିନିବର୍ଷ ପ୍ରେମ କଲ ଚିଠି ଲେଖିଲ କବିତା ଲେଖିଲ । ପୁଣି ତିନିବର୍ଷ ଫ୍ରଷ୍ଟ୍ରେଟେଡ ହେଲ, ଦୟନୀୟ ଭାବେ ବୁଲାବୁଲି କଲ, ନିଶଦାଢ଼ି ରଖିଲ । ନିଶଦାଢ଼ିର ଫଟୋ ଉଠାଇ କାନ୍ଥରେ ଟାଙ୍ଗିଲ । କଣ ନ କଲ । ସବୁ ଗତକାଲିର କଥା । ଛ’ବର୍ଷ ଯାଏ ତମର ଖାଲି ବୁଲାବୁଲି ଲୁଂଗୁରୁ ପୁଂଗୁରୁ ହେବା ସାର ହେଲା । କେତେ ରାତି ତମେ ଛଟପଟେଇ ଛଟପଟେଇ ଶୋଇ ପାରିନାହଁ । ରକ୍ଷା ହୋଇଛି ତମେ ବଞ୍ଚିଛ ଏଯାଏଁ । ତମ ଫ୍ରଷ୍ଟ୍ରେଟେଡ ବୟସରେ ତମ ବାପା ପାଞ୍ଚଶତ ପଞ୍ଚସ୍ତରୀ ଟଙ୍କା ଦରମା ପାଉଥିଲେ । ଅଥଚ ତମେ ବଞ୍ଚି ଯାଇଛ ସେଇଟା ବଡ଼କଥା । ଅବଶ୍ୟ ତମର କିଛି ଦୋଷ ନାଇଁ ଯେ । ସମୟଟା ହିଁ ଏପରି ସତ୍ୟାନାଶିଆ ଅଳପେଇଶା । ଯାହେଉ ସବୁ କାଲିର କଥା । ସଙ୍କୁଚିତ ବୟସର କଥା । ନ୍ୟୁନତମ ବର୍ଷର ଇତି କଥା । ତଥାପି ବସିଛନ୍ତି କାନ୍ଥ କବାଟ ଚିଲିକା ଚୌକି ଅବକାଶ ପଲଙ୍କ ଓ ଅନ୍ୟମାନେ ଚୁପଚାପ ଚୁପଚାପ । ହଠାତ୍ ଏପରି ହେଲା ସମସ୍ତେ ନିଜ ନିଜ ଥାନରୁ ଉଠି ବୁଲାବୁଲି କଲେ ।
ପୃଷ୍ଠା:Hada bagicha.pdf/୨୯
Appearance