Jump to content

ପୃଷ୍ଠା:Hada bagicha.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଙ୍ଗୁଠିକୁ ଦେଖିଲା । ଆଙ୍ଗୁଠିଟା ସୁସ୍ଥ ଅଛିତ । ସୁଇଚଟା ଖରାପ ଅଛି କି? ନା । କଥା ହେଉଛି ଅବକାଶର ଇଚ୍ଛା ନାହିଁ ଜଳାଇବା ପାଇଁ । ଅଗତ୍ୟା ଆଙ୍ଗୁଠିଟାକୁ ଫେରାଇ ଅଣାଗଲା ଏବଂ ଲାଇଟ୍ ଜଳିଲା ନାହିଁ । କେକ୍ଟସ୍ର ଅରଣ୍ୟରେ କିନ୍ତୁ ଅନ୍ଧାର ଘୋଟି ନ ଥିଲା । ଲାଇଟା ଟିକ୍ କରିବା କ୍ଷଣି ଅବକାଶ ସାମାନ୍ୟ ବିସ୍ମିତ ହୋଇ ଚାହିଁଲା ଯେତେବେଳେ ଚିଲିକା ତା ଆଙ୍ଗୁଠିଟା ସୁଇଚ ପାଖରୁ ଫେରାଇ ନେଉଥିଲା । ଛାତକୁ ଦେଖି ନିଃଶ୍ୱାସ ନେଲା କେତେଥର । ହାତ ଦୁଇଟିକୁ ଆର୍ମ ଚୌକିର ପଛପଟେ ମୁଣ୍ଡଉପରୁ କରି କହୁଣି ଠାରୁ ତଳକୁ ଝୁଲାଇ ଦେଲା । ଚୁପଚାପ ସମୟକୁ ଗଡୁଥିବାର ଲକ୍ଷ୍ୟ କଲା । ଦୁଇ ମିନିଟ୍ ତିନି ଚାରି ପାଞ୍ଚ ମିନିଟ୍ ଓ ପ୍ରାୟ ଦଶ ମିନିଟ୍ । ଚିଲିକାକୁ ଦେଖିଲା । ଶୋଇଥିବା ଚିଲିକା କର ଲେଉଟାଇ ନ ଥିଲା । ମୁହଁ ସେ ପଟକୁ କରି କମ୍ବଳ ଘୋଡ଼ାଇ ନିଶ୍ଚୁପ । ଅବକାଶର ଇଚ୍ଛା ହେଲା ନିଜେ ଚା କପେ ତିଆରି କରି ଖାଇବ ଏବଂ ହଠାତ୍ ଚାଦରକୁ ଖୋଲି ଦେଇ ଉଠିଲା । ରନ୍ଧାଘରକୁ ଯାଇ ସୁଇଚରେ ହାତ ଦେଇ ଆଲୁଅ କଲା । ଷ୍ଟୋଭ୍ ଜାଳି ଚା ତିଆରି କଲା ଆଉ କପ୍ଟା ଧରି କେକ୍ଟସ୍କୁ ଫେରି ଆସିଲା । ସମୁଦାୟ ଦଶମିନିଟ୍ । ତାକୁ ଦିଆସିଲି ଖୋଜିବାରେ କିଛି ସମୟ ଅଧିକ ଲାଗିଥିଲା । ଚୁପଚାପ ଚା ଖାଇଲା ନିଃଶବ୍ଦରେ । ଚିଲିକା ଏ ପଟକୁ ମୁହଁକରି ଶୋଇଛି । ତା ମୁହଁରେ ଶୀତ । ତା ଦେହସାରା ଶୀତରେ ଥରୁଥିବା କମ୍ବଳ । ଅବକାଶ ଚିଲିକାର ମୁହଁକୁ ଦେଖୁଛି ଓ ଚା ଖାଉଛି । ଦୁଇ ଓଠର ଧାରେ ଧାରେ କପ୍ର ଓଠକୁ ସଲ୍ଲଜ ଚୁମାଦେବା ପ୍ରକାରେ ଶବ୍ଦ ବିହୀନ ସିପ୍ ନେଉଛି, ଧୀରେ ଧୀରେ । ଚିଲିକାକୁ ଦେଖୁଛି ଶୀତରେ । କେକ୍ଟସର ଅରଣ୍ୟରେ ସମସ୍ତଙ୍କୁ ଶୀତ-ଟେବୁଲ, ଟେବୁଲ କ୍ଲଥ, ଖୋଲାପାଦ, ଖୋଲା ମୁହଁ, ଅକ୍ଟୋପସ୍, କବାଟ ଝରକାର ପରଦା, ବିଛଣା ଓ ଚିଲିକା-- କେବଳ ମାତ୍ର ଚା କପ୍, ସ୍ତ୍ରୀ ଏନୋଫିଲିସ୍ ଓ ପୁରୁଷ କ୍ୟୁଲେକ୍ସ ମଶାଙ୍କ ବ୍ୟତୀତ । ସ୍ତ୍ରୀପୁରୁଷ ବାଚକ ଦୁଇଟି ମଶା ଡେଣାବୁଜି ବସିଲେ ଚିଲିକାର ମଝି ଗାଲରେ । ସେମାନେ ସହବାସ କଲେ, କାମୁଡ଼ିଲେ ନାହିଁ । ସ୍ତ୍ରୀ ବାଚକ ମଶା ଅଣ୍ଡା ଦେଲା । ପୁରୁଷ ବାଚକ ମଶାଟି ଉଷୁମାଇଲା ଏବଂ ଡେଣା ମେଲାକରି ଦୁହେଁ ଆଗପଛ ହୋଇ ଉଡ଼ିଗଲେ । ଅଥଚ ଅବକାଶ ଦେଖୁଛି ତା ଆଖିର ଅବତଳ ଯବକାଚ ବାଟେ ଚିଲିକା ଗାଲରେ ଅଣ୍ଡାର ଗୋଟାଏ ହୁଂକା ଏବଂ ହୁଂକା ଭିତରୁ ନିର୍ଗତ ଏନୋଫେଲିସ୍ ଓ କ୍ୟୁଲେକ୍ସ । ଗୋଟି ଗୋଟି ହୋଇ ଅନେକ, ଅନେକ ଅନେକ ହୋଇ ଅସଂଖ୍ୟ ଏବଂ କେକ୍ଟସ୍ର ଅରଣ୍ୟ ଏବେ ମଶାମୟ ଓ ଅଦ୍ଭୂତ । ଅକ୍ଟୋପସ୍ ଏବେ ମଶାର ଛାଉଣି । କେକ୍ଟସ୍ ଡାଳ ଏବେ ଧୂସର । ସମୁଦାୟ ସ୍ତ୍ରୀ ବାଚକ ଉପରେ ପୁରୁଷ ବାଚକ ମଶା ରତିସିକ୍ତ । କ୍ରମେ କ୍ରମେ ରତିକ୍ଳାନ୍ତ । କେକ୍ଟସ୍ର ଅରଣ୍ୟ ଅଶ୍ଳିଳ ଅଶ୍ଳିଳ ଓ ଅଶ୍ଳିଳ । ପୃଥିବୀରେ ନିଶ୍ଚୟ ମଶାଙ୍କ ସଂଖ୍ୟା ନିହାତି କମିଥିଲା । ତେଣୁ ବସନ୍ତ ଆସିଛି ଖାଲି ମଶାଲାଗି । ଏନୋଫେଲିସ୍ ମଶା ଲାଗି । କ୍ୟୁଲେକ୍ସ ମଶା ଲାଗି । କେକ୍ଟସ୍ର ଅଶ୍ଳିଳ ଅରଣ୍ୟ ଭିତରେ ବସନ୍ତ ଓ ମଶା, ମଶା ଓ ବସନ୍ତ । ଶୀତ ଏବେ କମ୍ବଳ ଭିତରେ, ପରଦା ଆଢୁଆଳରେ । ଅବକାଶ କିନ୍ତୁ ଏବେ ଦେଖୁଛି ହାତଟିଏ କମ୍ବଳ ଭିତରୁ ଉଙ୍କି ମାରିଲା ପିଟି ହେଲା ଗାଲ ଉପରେ । ସେଠି ସାମାନ୍ୟ ରକ୍ତ ଲାଗିଲା କି ନ ଲାଗିଲା ସଂଖ୍ୟାହୀନ ମଶା ଏବେ ଦୃଶ୍ୟହୀନ । ଅବକାଶ ନିଜ ଅଳସ ଆଙ୍ଗୁଠି ନେଇ ଟେକି ଆଣିଲା ମଲା ମଶାକୁ ଏବଂ ଚିଲିକା କର ଲେଉଟାଇଲା । ଶୀତୁଆ କପ୍ରେ କିଛିଭାଗ ଥଣ୍ଡା ଚା’ର ଅବଶିଷ୍ଟାଂଶ । ପୁଣି ବାହାରକୁ ଆସି ଏତେ ଥଣ୍ଡାରେ ଶୀତରେ ବି ଅବକାଶ ତା ପାଦ ଦିଟାକୁ ଧୋଇ ଦେଲା । ପାଦରେ ପାଣିପଡ଼ି ତା ଦେହ ଭିତରକୁ ଶୀତଳ ତରଙ୍ଗଟିଏ ପହଁରିଗଲା । ଅବକାଶ କୁରୁଳି ଉଠିଲା ଏବଂ ତା ନିଦୁଆ ଆଖି ଉଜ୍ୱଳି ଉଠିଲା । ଶୀତୁଆ ପୃଥିବୀ ଆଖି ମେଲା କରି ସାଂକୁଡ଼ି ବସିଛି । ଶୀତୁଆ ଆକାଶ ବି ଜୁଳୁଜୁଳୁ କରି ଅନାଇଛି ଅବକାଶକୁ । ଭିତରକୁ ଯାଇ ବାର୍ ଲାଇଟର ସୁଇଚ୍କୁ ଅଫ୍ କରି ଅରଣ୍ୟକୁ ଓ ଚିଲିକାକୁ ଅନ୍ଧାର କରିଦେଲା । ଟେବୁଲ୍ ଲାଇଟ୍କୁ ପାଖକୁ ଟାଣି କାନ୍ଥରେ ନିଜ ଛାଇକୁ ଦେଖିଲା । ଅସମ୍ଭବ ଧରଣର ମୁଣ୍ଡଟାଏ ଓ ସାମାନ୍ୟ କଣେଇ ଦେଖିଲା କାନ୍ଥର ଧାରକୁ କବାଟ ଶେଷଯାଏ ଲମ୍ବିଥିବା ନାକ । ଅବକାଶ ତା ମୁଣ୍ଡ ଓ ମୁଣ୍ଡର ଛାଇ ସହ ଲୁଚକାଳି ଖେଳିଲା କିଛି ସମୟ । ଟେବୁଲ୍ ଲାଇଟର ସୁଇଚ୍ରେ ବିଶି ଆଙ୍ଗୁଠିଟା ଥୋଇ ଟିକ୍ କଲା ଓ ଦେଖିଲା ନିଜେ ନାହିଁ । ନିଜେ ଲେପି ହୋଇ ଯାଇଛି ଅନ୍ଧାରରେ । ପୁଣି ଟିକ୍ କଲା ଓ ଦେଖିଲା ନିଜେ ଅଛି । ତା ଛାଇ ଅଛି । ପୁଣି ଟିକ୍ ଓ ନିଜେ ହଜିଗଲା । ପୁଣି ଟିକ୍ ଫେରି ଆସିଲା ନିଜେ । ସେ କୌତୁହଳ ହେଲା । ଟିକ୍ କଲେ ନିଜେ ହଜି ଯାଉଛି । କେକ୍ଟସ୍ର ଅରଣ୍ୟ ବି ଦୁର୍ବୋଧ୍ୟ ହୋଇଯାଉଛି । ଚିଲିକାର ମୁହଁଟା ବି ମିଳେଇ ଯାଉଛି । ପୁଣି ଟିକ୍ କଲେ ଯେ ଯାହା ଯାଗାରେ ଯେମିତି ଥିଲେ ସେମିତି । ନିଦା ଓ ଓଜନିଆ, ବହଳ ଓ ଚେତନଶୀଳ । ଅଥଚ ପୁଣି ଟିକ୍ କଲେ କଣ ହୋଇଯାଉଛି ନିଜେ ବୁଝି ପାରୁଛି ତ? ତା କୌତୁହଳ ବଢ଼ିଗଲା । ସେ ପୁଣି ଖେଳିଲା, ଅନ୍ଧାର ଆଲୁଅ, ନିଜେ ଓ ନିଜେ ନୁହେଁ, ବିଂଗ୍ ଓ ନନ୍ବିଂଗ୍ । କିମ୍ବା ବିଂଗ୍ ଓ ନଥିଂଗ୍ନେସ୍ । ଅନ୍ଧାରକୁ ସ୍ଥିର କରିଦେଇ ନ ଥିବା ଚାଦରକୁ ସଜାଡ଼ି ନେଲା ନାଇଁ । ନିଜ