ପୃଷ୍ଠା:Hada bagicha.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟାପାରରେ ମୁହ୍ୟମାନ ଦୁଇ ହାଡ଼ ବଗିଚା ଅସମ୍ଭାଳି ଯାଉ ଥାଆନ୍ତି । ନିଜକୁ ସମ୍ଭାଳି ନେବାରେ ସାହାଯ୍ୟ କରୁଥାଆନ୍ତି ଚୁରୁଟ, ଚଷମା, ଆଙ୍କୁଶ, ଧୋତି, ପଂଜାବୀ, ଚଟି, ଛାତ, ପାହାଚ, ପୁଅ, ବୋହୁ, ଉଷୁମ ଖରା, ଦୁଇଟି ଇଉକାଲିପଟାସ୍ର ଦୈତ୍ୟଭଳି ଛାଇ, ଘରଚଟିଆର କିଚିର୍ ମିଚିର୍ ମାଡ଼, ତଳେ ଖେଳୁଥିବା ଦଳେ ପିଲେ, ଖୁବ୍ ଦୂରରେ ପାହାଡ଼, ଅନତି ଦୂରରେ ବାଦୁଡ଼ି ପାଇଁ ଖେଳା ହୋଇଥିବା ଜାଲ, ଫଡ୍ ଫଡ୍ ଡେଣାର କଳା ଚାବୁକ, ଦଳେ ଶିକାରୀଙ୍କ ହୁଟ୍ସ୍ ହୁଟ୍ସ୍ ହୁର୍ର୍ରା ହୁର୍ର୍ରା, ନିଜକୁ ସମ୍ଭାଳି ନେବାରେ ଆହୁରି ବି ସାହାଯ୍ୟ କରୁଥାନ୍ତି ରୁମ୍ ଝୁମ୍ ନୂପୁରର ନିକ୍ୱଣ ଓ ତାକୁ ବାଧା ଦେଉଥିବା ଚଟିଶବଦ, ରଣଝଣ ଚୁଡ଼ି ଓ ତାକୁ ବାଧା ଦେଉଥିବା ଷ୍ଟୋଭର ଗଁ ଗଁ ସଁ ସଁ, କପ୍ପ୍ଲେଟ୍ର ଟୁଂଟାଂ, ଦିଆସିଲି କାଠିର ଚର୍ ଚର୍ ଓ ଚୁରୁଟର ଧୂଆଁ ଭିତରେ ଅନିବାର୍ୟ୍ୟ ଆକାଶ, ଝପ୍ଟି ଆସୁଥିବା ଚିଲ, ଏବଂ ସର୍ବୋପରି- ଈଶ୍ୱର, ଈଶ୍ୱର ଅଛନ୍ତି ବୋଲି ଏମାନେ ଅଛନ୍ତି, ଶିଶୁ ଯେମିତି ବାପାଙ୍କ ସହ ରହେ ନିର୍ଭୟରେ, ଏମାନେ ରହନ୍ତି ବି ସେମିତି ଇଶ୍ୱରଙ୍କ ସହ । ତଳୁ ଉପରକୁ ପାହାଚ ବାଟ ଦେଇ ହସ ପିନ୍ଧି, ମହକପିନ୍ଧି, ରଙ୍ଗମାଖି, ସ୍ୱାଦମାଖି, ଚୁଡ଼ିପିନ୍ଧା, ନଖପିନ୍ଧା ହାତରେ ଆଣନ୍ତି ଚା ଓ ଉତ୍ତାପ, ମାଛ ଗାଲିସିର ଲାଲ ହସ ଚଟକିନି ଏ ଓଠରୁ ସେ ଓଠକୁ ପହଁରି ଯାଉଥାଏ, କୋଷ ପଞ୍ଜରା ଥରାଇ ଦେଉଥାଏ ଗୋଟାଏ ଅଜବ୍ ମହକ, ଖସ୍ ଖସ୍ ଶାଢ଼ିର କୁଞ୍ଚ ଭିତରୁ ଆସୁଥାଏ ଅଜବ ଏକ ଝରାପତ୍ରର ଗୀତ, ବୋହୂ ପୁଣି ଫେରୁଥାନ୍ତି ଉପରୁ ତଳକୁ, ଯେମିତି କୁହୁଡ଼ି ଅପସରି ଯାଏ କେତେବେଳେ । ବେଳେବେଳେ ଏମିତି ହୁଏ ଜଣେ ନିଜକୁ ସାଉଁଟି ନ ପାରି ଛାତଯାଏ, ଚୌକି ଯାଏ ଆସି ପାରନ୍ତି ନାଇ, ଧୋତି, ଲୋଚାକୋଚା ଢେଉର ଚର୍ମ, ଫସ୍ଫରସ୍ ସାଇତା ହାଡ଼, ଉତ୍କଟ ଲାଲ ରଙ୍ଗର ରକ୍ତ, ଫୁସଫୁସର କାନ୍ଥ, ଚଟାଣ, ଦ୍ୱାର ଝରକା ସଜାଡ଼ି ନ ପାରି, ଛାତି ତଳର ଖାଁ ଖାଁ ଭାବ, ଘର ଭିତରର ଗଂଭିରୀ ଗୁମ୍ଫା, ଶ୍ୱାସନଳୀର ଉତ୍ତାପ,ଖଁ ଖଁ କାଶ ଠକ୍ ଠକ୍ ହାଡ, ଶ୍ଳେଷ୍ମା ଓ ନର୍ଦମା ଏବଂ ନିଜକୁ ନିଜେ ହିଁ ତଡ଼ି ଆଣୁଥିବା ଆତଙ୍କଗ୍ରସ୍ତ ଜୀବନକୁ ସମ୍ଭାଳି ନ ପାରି ଗୋଟିଏ ହାଡ଼ ବଗିଚା ଉଭାନ ହୁଏ, ବେଳେବେଳେ ଏମିତି ହୁଏ । ସେଦିନ ଗୋଟାଏ ହାଡ଼ ବଗିଚାର ଅନୁପସ୍ଥିତିରେ ଅନ୍ୟ ଜଣକ ତିନିକପ୍ ଚା ପିଉଥାଏ, ଭକ୍ ଭକ୍ ଚୁରୁଟର ଧୂଆଁରେ ମେଘ ବନାଉଥାଏ, ସତର ଥର ପକାଉ ଥାଏ ଆଙ୍କୁଶ, ହାତଗୋଡ଼ ଥରି ଯାଉଥାଏ, କିଛି ମନେ ରହୁ ନ ଥାଏ, ପୁଅ ବୋହୂଂକ ତାଗିଦ୍ ବାକ୍ ଦୃଷ୍ଟି ଶ୍ରବଣର ତାଗିଦ୍ ମେଦ ମାଂସ ହାଡ଼ର ତାଗିଦ୍ ଲାଲରକ୍ତର ନଈରେ ବନ୍ୟା ଆସେ, ଉତ୍ତାଳ ସମୁଦ୍ରରେ ଝଡ଼ ଆସେ, ହାଡ଼ ବଗିଚାର ହିଡ଼ରେ ବିନ୍ଦୁ ବିନ୍ଦୁ ଝଡ଼ିପୋକର ଧାଡ଼ି, ଯେମିତି ଜଣ୍ଡିଶ୍ ରୋଗୀ ସେମିତି ଆକାଶ, “ହେ ଗଛବୃଚ୍ଛ ପାଦପାଦପ ଶ୍ୱାନଶୃଗାଳ ତମେ ତାଙ୍କୁ ଜାଣ? ହେ ପକ୍ଷୀ ପତଙ୍ଗ ଦଶଦିଗପାଳ ସଂହାରକ, ତାଙ୍କୁ ଡାକ, ଚା ଖାଇ ଚାଲିଯିବେ, ବୋହୁକୁ ଟିକେ ଦେଖିଦେଇ ଚାଲିଯିବେ, ଆରେ ହେ ପିଲେ, ଗାଁ ବାଲେ, ବାଟୋଇ ଗାଡ଼ିବାଲେ, ପକ୍ଷୀବାଲେ, ଆବର୍ଜନା ବାଲେ, ଯାଅ ସୈନ୍ୟ ସୈନିକ ଗଣ, ପାରିଷଦ ବିଦୁଷକ ଗଣ ତାଙ୍କୁ ଡାକ ବୋହୂ ଚତୁର୍ଥ ଚା କପ୍ ଆଣ, ଉତ୍ତାପ ଆଣ ଉତ୍ତାପ, ଏମାନେ କେହି କିଛି ଶୁଣୁ ନାହାନ୍ତି’’, ହାଡ଼ ବଗିଚାର ଛାତିରେ ଶବ୍ଦ ସବୁ ତୁହାଇ ତୁହାଇ ସପାଟ ସପାଟ ଚାବୁକ୍ ପିଟୁଥାଏ, ହାତୁଡ଼ି ମାଡ଼ରେ ଖିନ୍ ଭିନ୍ ହେଉଥାଏ କଲିଜା, ନିରବରେ ଶୁଣୁଥାଏ ନିଜକୁ ନିଜେ, ଚା ଓ ଦେହ ଶିତଳ ହୋଇଯାଉଥାଏ ଅସମ୍ଭବ ପ୍ରକାରେ । ପିଚ୍ଛିଳ ଶବ୍ଦ ବାନ୍ତି = ବାପା? ବାପା? ବାପା?? ବାପା?? =ଉଁ... =ଉଠ, ବସ, ଔଷଧ ଖାଇବ, ଉଠୁଛ? ଉଠ ଉଠ । = ଉଁ...