Jump to content

ପୃଷ୍ଠା:Hada bagicha.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟିକ୍ କରୁଥାଇ, ଶୋଷ କରୁଥାଇ, ପରା? ପାଣି ପିଇବ? ନା କ୍ଷୀର ପିଇବ? ଅଇଲ ଶିଶୁ, ଆସ, ପାଖରୁ ଆସ, କ୍ଷୀର ଖାଅ, ଶୋଷ ଚାଲିଯିବ, ଆସ, ଆଇଲ, ଶିଶୁ... ତମକୁ ଥଣ୍ଡା କ୍ଷୀର ନୁହେଁ ତଟକା କ୍ଷୀର ଦରକାର । ଶିଶୁ ପଡ଼ୋଶୀ ମା ଛାତିରେ ମୁଣ୍ଡ ଥାପି କାନ୍ଦି ପକାଉଥାଇ । ତା ପରଦିନଠୁ କଣ ହୁଏକି ଏ ମୁଲକରେ ଶିଶୁକୁ ଏଥକୁ ଆଉ ଦେଖିବାକୁ ନ ମିଳୁଥାଇ! ଶ୍ରୀମାନ୍ ଶିଶୁର ଛାତିର ଚଉଡ଼ା କେତେ କି? ଆଉ ତା ଓଜନ କେତେ କି? ଯେତେ ଏକ ଜନ୍ମିତ ଶିଶୁର ହୋଇଥାଇ, ସେତେ । ଶିଶୁର ଅଗହୀର ଛାତି ପାଇଁ ପଡ଼ୋଶୀ ମାର ସ୍ମିତ ହସ ଟିକକ ବି ଏ ମୁଲକରେ ଆଉ ଦେଖିବାକୁ ନ ମିଳୁଥାଇ । କୁମାରୀ କସ୍ତୁରୀ ଦାସ ତାଙ୍କ କଂଚାସୁଆଦି ବୟସରେ କୁମାରୀ କସ୍ତୁରୀ ଦାସ ବଞ୍ଚୁଥିଲେ ଉଦ୍ବେଳିତ ଫୁଲର ତାରୁଣ୍ୟରେ, ବୁଢ଼ିମା କାହାଣୀର ଫରୁଆ ଭିତରେ, ରଙ୍ଗବେରଙ୍ଗ ଫ୍ରକ୍ ପିନ୍ଧୁଥିଲେ । ଦୁଇଟି ବେଣୀକୁ ଛାଟି ଦେଉଥିଲେ ଖୁବ୍ ଜୋର୍ରେ ଯେମିତି ଜଳଭଉଁରି ଭିତରେ ଦୁଇଟି ମଲାସାପ । ଛୋଟ ବିଂଦି ଲଗାଉଥିଲେ । ବାରମ୍ବାର ଦର୍ପଣ ଦେଖୁଥିଲେ, ଦର୍ପଣକୁ ଖତେଇ ହେଉଥିଲେ । ନିଜକୁ ତଦାରଖ କରୁଥିଲେ । ହସୁଥିଲେ ପ୍ରଚୁର । ଛାତି ଉପରେ ଗୁଡ଼ାଏ ବହିଧରି ସ୍କୁଲ ଯାଉଥିଲେ । ଆଗପଟେ ପଡ଼ିଯାଉଥିବା ବେଣୀକୁ ହଜାରବାର ପଛକୁ ଫିଙ୍ଗୁଥିଲେ । ମା ଖାଇବା ପାଇଁ କହିଲେ ଖାଉ ନଥିଲେ । ବାପା ବୁଲିଯିବା ପାଇଁ ମନାକଲେ ବୁଲି ଯାଉଥିଲେ । ଶ୍ରେଣୀରେ ଅନ୍ୟ କିଏ ଫାଷ୍ଟ ହେଲେ ତକିଆରେ ମୁହଁ ଥାପି ଘଣ୍ଟାଏ କାନ୍ଦୁଥିଲେ । କାନ୍ଦିଲେ ବା ହସିଲେ ସଭିଏଁ ପ୍ରଶଂସା କରୁଥିଲେ । କାକା ମାମୁ ବାପା । ମୁଣ୍ଡବଥା ହେଲେ ମୁଣ୍ଡ ଚାରିପଟେ ଟାୱେଲ ବାନ୍ଧି ପଢ଼ିବା ପାଇଁ ବସିଗଲେ ଅନ୍ୟମାନେ ‘ସେ କେତେ ସୁନ୍ଦର ଦେଖା ଯାଉଛନ୍ତି’ ସେ କଥା କହୁଥିଲେ । କୁମାରୀ କସ୍ତୁରୀ ଦାସ ଚିଡ଼ିଯାଇ ‘ଫେଲ ହେଲେ ହେବି’ କହି ମୁଣ୍ଡ ଘୋଡ଼ାଇ ଶୋଇ ପଡୁଥିଲେ । ସ୍କୁଲରୁ ବେଳେବେଳେ ବର୍ଷାରେ ଭିଜିଭିଜି ଘରକୁ ଫେରୁଥିଲେ । ମା ଗାଳି କଲେ ଚୁପ୍ ଚୁପ୍ ହସୁଥିଲେ, ‘ହେଲା ହେଲା ଆଉ ଆସିବି ନାଇଁ’ କହୁଥିଲେ । ଶୀତ ସଂଧ୍ୟାରେ ମୁଣ୍ଡ ଚାରିପଟେ ସ୍କାର୍ଫ ଘୋଡ଼ି ହୋଇ ଫୁଲ ପରି ଫୁଟୁଥିଲେ । ଅଗଣାରେ ଘାସ ଉପରେ ଗୋଡ଼ ଲମ୍ବାଇ ବସୁଥିଲେ । ସାଙ୍ଗମାନଙ୍କ ସାଥିରେ ଚୁପ୍ ଚୁପ୍ କଥା ହେଉଥିଲେ । ତାଙ୍କ କାନ ରିଂ ଓ ବେଣୀ ସଜାଡୁଥିଲେ ଓ କେତେ ହସୁଥିଲେ । ହଠାତ୍ ହସ ବନ୍ଦ କରି ପୁଣି ହସୁଥିଲେ । ଫୁଲ ଛିଣ୍ଡାଇ ଫିଙ୍ଗୁଥିଲେ । ଅନ୍ୟମାନଙ୍କୁ କହୁଥିଲେ ‘ଫୁଲ ତୋଳନା ବାପା ରାଗିବେ’ । ଅଜବ ପ୍ରଶ୍ନ ସବୁ ପଚାରୁଥିଲେ ଅଜବ କାଇଦାରେ । ବାପା, ରାକ୍ଷସ ମାନେ ଧୀରେ ଧୀରେ ହସନ୍ତି ନାଇଁ କାହିଁକି? ବାପା, ଅଜାଙ୍କ ଆଇଙ୍କ ଅସ୍ଥିକୁ ଗଙ୍ଗାରେ ନ ପକାଇ ତା ଉପରେ ପିରାମିଡ଼ଟାଏ ଗଢ଼ିବା କି? ମା ଭଗବାନ ଶ୍ରୀକୃଷ୍ଣ ଗୀତା ଲେଖିଛନ୍ତି ଯଦି ଆହୁରି ଇତିହାସ ଭୂଗୋଳ ବହି ଲେଖିଲେ ନାଇଁ କାହିଁକି? ମା ତମେ ବାପାଙ୍କୁ ପ୍ରଥମେ କେବେ ଭେଟିଥିଲ? ମା ‘ମେହେବୁବା’ ମାନେ କ’ଣ? କୁମାରୀ କସ୍ତୁରୀ ଦାସ ଏମିତି ଡେଣା ପିନ୍ଧି ଘୁରି ବୁଲୁଥିଲେ ଏ ବଗିଚାରୁ ସେ ବଗିଚାରୁ ପହଁରି ଯାଉଥିଲେ । ନିଜେ ନିଜେ ଫୁଲ ଫୁଟୁଥିଲେ । ହସି ହସି ପରାଗରେଣୁ ବିଂଛି ଦେଉଥିଲେ । ନୂଆ ପଂଜାବୀ ସାଲ୍ୱାର ଲଗାଇ କଲେଜ ଗଲା ବେଳକୁ ସାମ୍ପୁ କରା ମୁଣ୍ଡ ଉପରେ ଟପ୍ନଟ୍ କରୁଥିଲେ । ନାକରେ ରିଂ ଲଗାଇବା ଦିନଠୁ ଓଠର ଡାଳରେ ସବୁବେଳେ କଷି ହସ ମେଞ୍ଚାଏ ଝୁଲାଇ ରଖୁଥିଲେ । ପରୀକ୍ଷାଗାରରେ ବେଙ୍ଗକୁ ଏମିତି ଚିପୁଡ଼ି ଦେଉଥିଲେ ଯେ, ବେଙ୍ଗଟି ଭାବାବେଗରେ ମରି ଯାଉଥିଲା । ପିଅନଟା ବାରମ୍ବାର ରାଗୁଥିଲା । ପିଲାମାନେ ଗେହ୍ଲାରେ ତାଙ୍କ ପାଖକୁ ବହି ଆଣି ଦେଉଥିଲେ ଓ କୁମାରୀ କସ୍ତୁରୀ ଦାସ ପରୀକ୍ଷାରେ ଫାଷ୍ଟ ହେଉଥିଲେ । ବାପାଙ୍କଠୁ ଡ୍ରେସ୍ ପାଇଁ କନା ଓ ମାଙ୍କଠୁ ଚେନାଏ ତୃପ୍ତିର ହସ ପୁରସ୍କାର ପାଉଥିଲେ । କୁମାରୀ କସ୍ତୁରୀ ଦାସ ଏମିତି ବ୍ୟସ୍ତ ରହନ୍ତି ଯେ କହି ହୁଏନି । ଡାଲିରେ ଲୁଣ ଲଗାଇବା ବେଳେ, ଚାରେ ଚିନି ଲଗାଇବା ବେଳେ, ଭାତ ବାଢ଼ିଲାବେଳେ, ଛାତରେ ଶୁଖା ହୋଇଥିବା ହରିଡ଼ା ଅଁଳା କାଢ଼ିଲାେବେଳ ମା’ ମା’ ହୁଅନ୍ତି । ଧୋବାଘର ଖାତା ହିସାବବେଳେ, କିରାନା ଦୋକାନର ଖାତା ହିସାବ ବେଳେ, ଚାଉଳ କିଣିବା ବେଳେ, ଜିରାଧନିଆଁ ଡବା ଖଡ଼ ଖଡ଼ କଲାବେଳେ ବା ପିକ୍ନିକ୍ ଯିବାବେଳେ ବାପା ବାପା ହୁଅନ୍ତି । ବାପାଙ୍କଠୁ ଲୁଚାଇ ମା ଝିଅ ଦୁହେଁ ଉଲ୍ କିଣନ୍ତି । ଫେରିବାଲାଠୁ ଶାଢ଼ି କିଣନ୍ତି । କଂସାବାଲାଠୁ ଚାମଚ, ଇଟ୍ଲି ଛାଞ୍ଚ କିଣନ୍ତି । ନିଜପାଇଁ କାର୍ଡିଗନ୍, ସ୍କିଭି ତିଆରି କରନ୍ତି, ଭାଇ ପାଇଁ ବାପା ପାଇଁ ସ୍ୱେଟର ବୁଣନ୍ତି ।