ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁଟକେସର ଲୁଗାପଟା ତଳେ ସେ ଟଙ୍କା ରଖିଥିଲା । ବେଶ କିଛି ଟଙ୍କା । ଟୋନି ଯେତେବେଳେ ତାକୁ ଗୋଟିଏ ମୋଟା ଅଙ୍କର ସଂଖ୍ୟା କହିଲା, ଅବିନାଶ ବିଶ୍ୱାସ କରି ପାରିଲା ନାହିଁ । ମାତ୍ର ଦୁଇଦିନ ପାଇଁ ଏତେ ଟଙ୍କା ? ମୋହନ କହିଲା, ଶାନ୍ତା ଭଳି ଝିଅ ଲକ୍ଷେରେ ଜଣେ । ଟେଟାନି କହିଲା, ମୁଁ କେବେ କାହାରି ପାଖରୁ ଅଭିଯୋଗ ପାଇ ନାହିଁ ତା ବିଷୟରେ ; ବରଂ ଅନେକ ଲୋକ ମତେ ଫୋନ କରି ତାଙ୍କର ସନ୍ତେଷ ଜଣାଇଛନ୍ତି ।

ଅବିନାଶର ଆଖି ପଡ଼ିଲା ଟେବୁଲ ଉପରେ କାନ୍ଥ ଆଡ଼କୁ ମୁହଁ କରି ରଖା ଯାଇ ଥିବା ଠାକୁରଙ୍କ ଫଟୋ ଉପରେ । ସେଇଟିକୁ ଉଠାଇ ଆଲୁଅ ତଳକୁ ନେଇ ତାକୁ ଭଲ କରି ଦେଖିଲା ସେ । ଭିନ୍ନ ଭିନ୍ନ ଦେବ ଦେବୀଙ୍କର ଚିତ୍ର ବିନ୍ୟାସ କରି ଲଗା ହୋଇଥିଲା କାଚ ପ୍ରେମ ଭିତରେ । ସେ ଠାକୁରମାନଙ୍କୁ ଚିହ୍ନିବାକୁ ଚେଷ୍ଟା କଲା । ଗଣେଶ, ଲକ୍ଷ୍ମୀ, ସରସ୍ୱତୀ । ବ୍ରହ୍ମ, କୃଷ୍ଣ ଓ ଜଗନ୍ନାଥ । ଆଉ ଅନେକଙ୍କୁ ଚିହ୍ନି ପାରିଲା ନାହିଁ ସେ । ତଳକୁ ଅନାଇ ଦେଖିଲା । ତା ପାଦରେ ଚପଲ ଥିଲା । ଜୋତା ପିନ୍ଧି ଠାକୁରଙ୍କୁ ଛୁଇଁବା ଠିକ ହେଲା ନାହିଁ ବୋଧହୁଏ । ସେ ଗୋଡ଼ରୁ ଚପଲ ଖୋଲି ଫଟୋକୁ ମୁଣ୍ଡରେ ଲଗାଇ ପୁଣି ଟେବୁଲ ଉପରେ ରଖିଦେଲା ।

ହାତରେ କିଛି କାମ ନ ଥିବାରୁ ତାକୁ ଖାଲି ଖାଲି ଲାଗିଲା । ସାଙ୍ଗରେ ଗୋଟାଏ ବହି ଆଣିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରି ଗୋଟିଏ ଝିଅ ସାଙ୍ଗରେ ସମୟ କଟାଇବାକୁ ଆସି ସେ ବହି ପଢ଼ିବା କଥା ଭାବିଥାନ୍ତା ବା କାହିଁକି ? ବର୍ଷା ନ ହେଉଥିଲେ ସେମାନେ ଚାଲିଚାଲି ଜଂଗଲ ଭିତରକୁ କିଛି ଦୂର ବୁଲି ଯାଇ ପାରିଥାନ୍ତେ । ସକାଳକୁ ନିଶ୍ଚୟ ବର୍ଷା ଛାଡ଼ିଯିବ, ଏବଂ ଶାନ୍ତାକୁ ଗାଡ଼ିରେ ନେଇ ସେ ଆହୁରି ଗଭୀର ଜଂଗଲ ଭିତରକୁ ଯିବ । ବର୍ଭମାନ ଏଇ କୋଠରୀଟି ଭିତରେ ତାକୁ ଅଣନିଶ୍ୱାସୀ ଲାଗିଲା । ବାହାରେ ତଥାପି ପ୍ରବଳ ବର୍ଷା । ସେ ବାରଣ୍ଡାରୁ ଚଉକି ଓ ଶାନ୍ତାର ବହି ଭିତରକୁ ନେଇ ଆସିଲା ଓ କବାଟ ବନ୍ଦ କରିଦେଲା । ରୋଷାଇ ଘରେ ଶାନ୍ତା କଣ କରୁଛି ଦେଖା ଯାଇ ପାରେ ।

ବାରଣ୍ଡାରେ ଠିଆ ହୋଇ ସେ ରୋଷାଇ ଘର ଆଡ଼କୁ ଅନାଇଲା । ସେଠାକୁ ଯିବା ଅଳିନ୍ଦରେ ପାଣି ଜମି ଯାଇଥିଲା ଓ ଦି ପାଖରୁ ପାଣି ଛିଟିକା ପଡ଼ୁଥିଲା । ତାର ଇଚ୍ଛା ହେଲା ଯାଇ ଦେଖିବ ଶାନ୍ତା କଣ କରୁଛି ରନ୍ଧା ଘରେ । ବର୍ଷା ଅନ୍ଧାର ଭିତରେ ଏଇ ଟିକିଏ ଜାଗାକୁ ଯିବା ପାଇଁ ତାକୁ କେମିତି ଭୟ ଲାଗିଲା । ପୂରା ଜଂଗଲଟି ଯେପରି ଘନ ଅନ୍ଧାର ଓ ମୂଷଳ ଧାରା ସହିତ ମାଡ଼ି ପଡ଼ୁଛି ଏଇ ଛୋଟ ଘରଟି ଉପରେ । ବାହାର ପୃଥ୍ବୀରୁ ସଂପୂର୍ଣ୍ଣ ବିଚ୍ଛିନ୍ନ । ଯଦି କିଛି ଦୁର୍ବିପାକ ଘଟେ ? ସେ ଶାନ୍ତାକୁ ଡାକିବାକୁ ଯାଉଥଲା, ଏଇ ସମୟରେ

୧୭ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ