ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୧୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିତରୁ ଔଷଧ ରଖିଥିବା ବ୍ୟାଗଟି ବାହାର କରି ସେ ଟେବୁଲ ଉପରେ ତାକୁ ଖେଳାଇ ଦେଖଲା । ଆଜି ସକାଳେ ଯେଉଁ ଟ୍ୟବେଲଟ୍‌ଟି ଖାଇବାର ଥିଲା, ସେ ତାକୁ ଖାଇବାକୁ ଭୁଲି ଯାଇଥଲା । ସେ ପାଣି ନେଇ ସେଇଟିକୁ ଖାଇଲା । ତା ପରେ ସେ ଔଷଧ ସବୁକୁ ଦେଖିଲା । ଦି ଦିନ ପାଇଁ ଯାହା ଦରକାର ହୋଇପାରେ, ସବୁ ଔଷଧ ତା ପାଖରେ ଥିଲା । ଥଣ୍ଡା ଜରର ମଧ୍ୟ ।

ଅବିନାଶ ସୁଟକେସରୁ ହିସ୍କି ବୋତଲଟି ବାହାର କରି ଟେବୁଲ ଉପରେ ରଖିଲା । ପାଖରେ ଦୁଇଟି ଗ୍ଲାସ ଥିଲା । ବର୍ଷା ନ ହେଉଥିଲେ ସେ ଖବର ନେଇଥାନ୍ତା ପାଖରେ କୋଉଠି ସୋଡ଼ା ମିଳିବ । ଖାଇବା ଘରେ ରେଫ୍ରିଜରେଟରରେ ବରଫ ଥାଇପାରେ । ଲଞ୍ଚ ଖାଇଲା ବେଳେ ପଚାରି ପାରିଥାନ୍ତା । ପିଇବା ସହିତ ଖାଇବା ପାଇଁ କିଛି ପ୍ୟାକେଟ ବି ସେ ଆଣି ପାରିଥାନ୍ତା ସାଙ୍ଗରେ । କିନ୍ତୁ ଏତେ କଥା କଣ ଭାବିହୁଏ ନିଜର ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୁଚି ଛପି ପଳାଇ ଆସିବା ବେଳେ ? ତା ପୁଣି ଏକ ଗର୍ହିତ କାର୍ଯ୍ୟକ୍ରମ ହାତରେ ନେଇ ?

ଓଦା ଲୁଗାରେ ଶାନ୍ତା ଭିତରକୁ ଆସି କହିଲା, ପୁରାପୁରି ଭିଜିଗଲି । ମୁଁ ଯାଉଚି ବାଥରୁମରେ ଲୁଗା ବଦଳାଇ ଦେଇ ଆସେ । ଅବିନାଶ କହିଲା, ତମେ ଓଦା ଲୁଗା ଶୁଖାଇବ କେମିତି ?

କାଲି ଯେତେବେଳେ ଛମ ଛମ ଖରା ହେବ, ବାହାରେ ନେଇ ଶୁଖାଇ ଦେବି ।

ଯଦି କାଲି ବର୍ଷା ନ ଛାଡ଼େ ?

ତେବେ ମୋ ପାଖରେ ପଲିଥିନ ବ୍ୟାଗ ଅଛି, ସେଇଥିରେ ନେଇଯିବି ।

ଏ ଝିଅର କୌଣସି ଚିନ୍ତା ନାହିଁ, ବୋତଲ ପାଖରେ ଗ୍ଲାସକୁ ସଜାଇ ପାଖକୁ ଦୁଇଟି ଚଉକି ଟାଣି ରଖୁ ରଖୁ ଭାବିଲା ଅବିନାଶ । ସେ କଣ କେବେ ବି ଏ ଭଳି ନିଶ୍ଚିନ୍ତ ହୋଇ ପାରିବ ? ପୁଣି ଭାବିଲା, ସେ ଝିଅକୁ ତ ହିସାବ କରିବାକୁ ପଡୁ ନାହିଁ ଘର ପରିବାର ଅଫିସ ଟଙ୍କା ପଇସା କଥା । ଦିନରୁ ଦିନକୁ ବୋଧହୁଏ ଜୀଉଁଛି ଏ ଝିଅଟି । ସେଥିପାଇଁ ତା କଥା ଅଲଗା ।

କିଛି ସମୟ ପରେ ଶାନ୍ତା ଯେତେବେଳେ ଗାଧୋଇ ପାଧୋଇ ଲୁଗା ବଦଳାଇ ସଲୱାର କୁର୍ତ୍ତା ପିନ୍ଧି ଗାଧୁଆ ଘରୁ ବାହାରିଲା, ସତରେ ସୁନ୍ଦର ଦେଖା ଯାଉଥିଲା । ଅବିନାଶର ଇଚ୍ଛା ହେଲା ଉଠି ଯାଇ ତାକୁ ଭିଡ଼ି ଧରି ବିଛଣା ଉପରକୁ ଟାଣି ନେବ ଏବଂ ଖାଇବା ପିଇବା କଥା ଭୁଲିଯାଇ ସେମାନେ ଆଲୁଅ ବନ୍ଦ କରି ବର୍ଷାର ନିର୍ଘୋଷ ଶୁଣୁଶୁଣୁ ଶୋଇଯିବେ ।

୧୯ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ