ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅତ୍ୟନ୍ତ ପ୍ରସନ୍ନ ବୋଲି କହିବାକୁ ହେବ । ନ ହେଲେ ତାକୁ କିପରି ମିଳିଥାନ୍ତେ ଏ ଭଳି ଏକ ସୁବିଧା ଜାଗାରେ ପୈତୃକ ଘର, ହରି ମାଷ୍ଟରଙ୍କ ଭଳି ଭଡ଼ାଟିଆ, ଚାଲିଚାଲି ପହଞ୍ଚି ଯାଇ ପାରୁଥିବା ଦୂରତ୍ୱରେ ବଜାର ? ଆହୁରି ସୌଭାଗ୍ୟର କଥା କହିବାକୁ ହେବ ତାଙ୍କ ଗାଁ ପାଖ ଦେଇ ଇସ୍ପାତ କାରଖାନାକୁ ଯାଉଥିବା ଲୁହାପଥର ସରବରାହର ରାସ୍ତା ଏବଂ ଟ୍ରକ ଚଳାଉଥବା ଲୋକଙ୍କ ପାଇଁ ଛକ ଉପରେ ଢାବା ଓ ମଦ ଦୋକାନ ।

ଲୁଗା ବଦଳାଇ ସେ ବାହାରକୁ ଯିବାକୁ ବସିଛି, ପିଲାଟି ତା ଆଗରେ ଆଣି ଜଳଖିଆ ରଖିଦେଲା । ଛକ ଦୋକାନରେ ତାକୁ ଖାଇବାକୁ ମିଳିଯାଏ, ତେବେ ମାଷ୍ଟରଙ୍କ ଘରୁ ଠିକ୍ ସମୟରେ ଖାଇବା ପହଞ୍ଚିବାରେ କେବେ ବି ଅବହେଳା ହୁଏ ନାହିଁ । ଭଲ ହେଲା ; କାହିଁକି ସେ ବଜାର ଜିନିଷ ଖାଇଥାନ୍ତା ? ଖାଇ ସାରି ମୁହଁହାତ ଧୋଇ ସେ ଥାଳିକୁ ବାରଣ୍ଡାରେ ରଖିଦେଲା ଓ କବାଟ ଝରକା ବନ୍ଦ କରି, ତାଲା ଦେଇ ବାହାରକୁ ଆସିଲା । ଖଣ୍ଡେ ବାଟ ଗାଁ ରାସ୍ତା ପାରି ହେଲେ ହିଁ ହାଇ ୱେ ; ଅନ୍ୟ ଏକ ପୃଥିବୀ ।

ରାସ୍ତାରେ ଯାତାୟତ ଆରମ୍ଭ ହୋଇଗଲାଣି । ଗୋଟିଏ ପରେ ଗୋଟିଏ ଲୁହାପଥର ବୋଝେଇ ଟ୍ରକ । ସେ ନ ମନେପକାଇବାକୁ ଚାହୁଁଥିବା ସତ୍ତ୍ୱେ ପୁଣି ଧାଡ଼ିଏ କବିତା ତା ମନ ଭିତରକୁ ଧସି ପଶି ଆସିଲା : ପ୍ରାଗୈତିହାସିକ ଲୌହ ପ୍ରସ୍ତରର ଶେଷ ପରିତ୍ରାଣ । ତା ପର ଧାଡ଼ିଟି ଠିକ ମନେ ନାହିଁ । ଆଦିମ ସମୟ, ଶାପଗ୍ରସ୍ତ, ଇତ୍ୟାଦି ଶବ୍ଦ ପରେ ଶେଷକୁ ଅଛି ଘାତ ପ୍ରତିଘାତ, ଇସପାତ ଇସପାତ । ସେ କୋଉ ଯୁଗର କଥା ହେଲାଣି । ସେତେବେଳେ ଓଡ଼ିଶାର ଚିନ୍ତା ଚେତନାର କେନ୍ଦ୍ରବିନ୍ଦୁ ହୋଇ ଯାଇଥିଲା ଇସପାତ ; ଇସପାତ କାରଖାନା ଦାବିରେ ସରଗରମ ହୋଇ ରହୁଥିଲା ସାମାଜିକ ରାଜନୀତିକ ବାତାବରଣ । ବନ୍ଦେ ଉତ୍କଳ ଜନନୀ ସାଙ୍ଗରେ ସହଜରେ ମିଶି ଯାଉଥିଲା ଇସପାତର ଦାବି । ସେ ସ୍ୱପ୍ନ ବି ସକାର ହେଲା ସମୟ କ୍ରମେ । କାରଖାନା ଆସିଲା । ତାଳତମାଳ ଶୋଭିତ ତୀର ଓ ଘନଘନ ବନଭୂମି ନୂଆ ରୂପ ନେଲା । ରାସ୍ତା ଦି ପାଖ ସବୁଜ ଉପରେ ବର୍ତ୍ତମାନ ଲୁହାପଥର ଧୂଳିର ଲାଲ ଆସ୍ତରଣ ।

ମଦ ଦୋକାନ ଏ ସମୟରେ ଖୋଲିବା କଥା ନୁହେଁ, ତେବେ ଏଇ ସକାଳୁ ସକାଳୁ ଗ୍ରାହକ ପହଞ୍ଚିଗଲେଣି । ହୁଏ ତ ଏଠାରେ ମଦ ଦୋକାନର ଅବସ୍ଥିତି ହିଁ ବେଆଇନ । ହୁଏ ତ ପୂରାପୂରି ବେଆଇନ ଏଇ ଛକର ଗହଳଚହଳ ଭରା ଉଠା ବଜାରଟି । ଦେବନାଥର ମନେ ହୁଏ ଏଇଟି ଯେପରି କେଉଁ ବାରବୁଲା ଲୋକଙ୍କର କେତେ ସମୟ ମାତ୍ରର ସାମୟିକ ଛାଉଣି । ହଠାତ ଆଜି ସକାଳେ ହିଁ ଗଢ଼ି ଉଠିଛି ଏକ ଅଢେଇ ଦିନିଆ ବ୍ୟସ୍ତସମସ୍ତ ଚଳଚଞ୍ଚଳ ଡେରା । ପୁଣି କାଲି ସକାଳେ ସେ ଯେତେବେଳେ ଆସିବ, କିଛି ବି ନ ଥିବ ଏଠାରେ ; ଖାଁ ଖାଁ କରୁଥିବ ଲାଲମାଟିର ଖୋଲା ପଡ଼ିଆ ।
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୭୧