ପୃଷ୍ଠା:Jati, Jagruti o Pragati.pdf/5

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମୁଖବନ୍ଧ

“ଆମ ଭାଷା ଆମଠାରୁ ଯାଇସାରିଲାଣି । ଆମ ସଂସ୍କୃତି, ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ । ଖାଲି ବଞ୍ଚି ରହିଛି ଭୂମି ଖଣ୍ଡିକ । ତାକୁ କ’ଣ ହରାଇଦେବା ଆମ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ !”

ସୁବ୍ରତର ଏହା ଓଡ଼ିଶାର ଭବିଷ୍ୟତ ନେଇ ଏକ ଆତଙ୍କିତ ଶୀହରଣ, ଏକ ନିଷ୍ଠୁର ସତ୍ୟର ଉଦ୍‌ଘାଟନ । ବୟସରେ ଯୁବକ, ଉଚ୍ଚଶିକ୍ଷାର କବଚ ଅଛି ପାଖରେ । ତେଣୁ ଏ ପ୍ରକାର ଖେଦୋକ୍ତି ପଛରେ ପ୍ରଚଳିତ କାଳଖଣ୍ଡର ଘଟଣାପ୍ରବାହରୁ ସେ ସଂଗ୍ରହ କରିଛନ୍ତି ଅନୁଭବ । ଘଟଣାର କ୍ରମପ୍ରବାହ ଭିତରେ ସବୁଠି ଦିଶୁଛି ଗୋଟିଏ ଚିତ୍ର-ଓଡ଼ିଶା ଝଡ଼ି ପଡୁଛି । ତା’ର ଶୋଭନାଙ୍ଗ ହେଉଛି ମଳିନ, ବିଭଙ୍ଗ । ଭିତରେ ଏକ ଅନ୍ତକ୍ରନ୍ଦନର ସ୍ରୋତ । ବିଦୀର୍ଣ୍ଣ ହେଉଛି ଅନ୍ତରାତ୍ମା ।

ପ୍ରଥମତଃ ଓଡ଼ିଶାକୁ ଜଳ, ସ୍ଥଳ ଆଡୁ ଆକ୍ରମଣର ପଞ୍ଝା ମେଲି ଆସୁଛି । ଆନ୍ଧ୍ରର ସୀମା ମାଡୁଛି ଓଡ଼ିଶାକୁ । ଓଡ଼ିଶାର ଜଳ ସମ୍ପଦ ଉପରେ ଅଧିକାର ନିଶା ଘାରୁଛି । ଓଡ଼ିଶା ମାଟି ତଳେ ଲୁଚିଥିବା ସମ୍ପଦ ଉପରେ ବହୁଦେଶୀୟ କମ୍ପାନୀମାନଙ୍କ ଛଞ୍ଚାଣ ଆଖି । ନାନା ପ୍ରକାର ଶିଳ୍ପର ଆଳରେ ଖଣିଖାଦାନ ନେବାର ଚକ୍ରାନ୍ତ, ହଜାର ହଜାର ଏକର ଜମି ନିଜ ବାଡ଼ବନ୍ଦୀରେ ରଖିବାକୁ ସେମାନେ ତ‌ତ୍ପର । ବାକି ଥିଲା ଯାହା ଏବେ ଶିକ୍ଷାର ଆଳରେ ବେଦାନ୍ତ ଓ ରବିଶଙ୍କର ଆସିଗଲେଣି । ଅଥଚ ଓଡ଼ିଆଏ କେବେ ପ୍ରଶ୍ନ କରିନାହାନ୍ତି ଏ ଭୂମିର ପୁଅ କେତେ ହେବ ଲାଭବାନ । ଓଡ଼ିଶାରେ ଚାରିଶହ ଖଣି ମାଲିକରୁ ତିନିଶହ ପଚାଶ ଜଣ ଅଣଓଡ଼ିଆ । ସେମାନଙ୍କ ଛତା ତଳେ ଓଡ଼ିଆଙ୍କ ସଂଖ୍ୟା କେତେ ତା’ର ହିସାବ ଦେଇପାରିବେ ନାହିଁ ଓଡ଼ିଶା ସରକାର ।

ଆନ୍ଧ୍ରରୁ ଆମଦାନୀ ବଢ଼ୁଛି । ଓଡ଼ିଶା ଗୋଟିଏ ଆମଦାନୀ ପ୍ରିୟ ରାଜ୍ୟ । ଏଠୁ କ’ଣ ରପ୍ତାନୀ ହୁଏ ଯଦି ପ୍ରଶ୍ନ କରାଯାଏ, ସେନେଇ ଓଡ଼ିଆଏ ସନ୍ଦେହରେ ପଡ଼ିବେ । ଯାହା ରପ୍ତାନୀ ହୁଏ ସେଥିରୁ ଆୟର ପରିମାଣ କେତେ ? ଅଙ୍କ କଷା ଚାଲିବ କିରାଣି ମହଲରେ । ନେତାଙ୍କ ବାକ୍‌ବାଣରେ ସତ ଧରାପଡ଼ିବ ନାହିଁ । ମାଛ କୁହ, ଅଣ୍ଡା କୁହ ଏପରିକି ଲଙ୍କାମରିଚ କି ଅଦା ଅବା କଦଳୀ, କୁକୁଡ଼ା, ଅଣ୍ଡା, ଭଣ୍ଡା, ଆଳୁ ପିଆଜ-ନିତିିଦିନିଆ ଦରକାରୀ ଦ୍ରବ୍ୟ ଆନ୍ଧ୍ର ବା ବଙ୍ଗଳାରୁ ଆସେ । ଓଡ଼ିଶା ଭୂଇଁ ପଡ଼ିଆ ପଡ଼େ, ପାଣି ନଥାଏ । ପାଣି ଯାହା ମିଳେ ବନ୍ୟାରେ । ଏବେ ଦୁଇଟଙ୍କିଆ ଚାଉଳର କଲ୍ୟାଣରୁ ଆହୁରି ଭୂଇଁ ପଡ଼ିଆ ପଡ଼ିବ । ଘରେ ଥିବ ସରକାରୀ ଚାଉଳ, ନଥିବ ପାଣି । ନଳକୂଅ ଖୋଳା ହୋଇଥିବ, ସେଥିରେ ନଥିବ ଢିଙ୍କିଆ ବା ପାଣି ବାହାରିଲେ ଆସିଯାଉଥିବ ପଙ୍କ । ହୁଏତ ତା’ ଭିତରେ ମିଳିଯିବ କନ୍ୟାର