ପୃଷ୍ଠା:Kathalahari (RN Das, 1927) opt.pdf/୬୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୯
ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା ।

ଡାକ, ଧାଈକୁ ଡାକ, ଏମାନେ ସବୁକଥା କହିବେ । ଏମାନଙ୍କୁ ଡାକରା ହେଲା, ଏମାନଙ୍କ ଆଗରେ ରାଜାପୁଅ ସବୁ କହିଗଲା, ଯେପରି ସେ ଜନ୍ମ ହେବାବେଲେ ଧାଈ କାଠକଣ୍ଢାଇଟାଏ ଦେଖାଇ ତାକୁ ଖତଗଦାରେ ପକାଇଦେଲା, କୁକ୍କୁର, କୂଅ, କାଳୀଗାଈ, ପକ୍ଷିରାଜ ଘୋଡ଼ା ଯେପରି ତାକୁ ବଞ୍ଚାଇ ମନିଷ କଲେ, ସବୁ କଥା କହିଗଲା । ଏ ସବୁ କଥା ମାନିଗଲା । ରଜା ପୁଅବୋହୂକୁ ଘରକୁ ନେଲେ, ଘୋଡ଼ାଶାଳ ଲାଣ୍ଡିକୁ ଆଣିଲେ, ତାକୁ ସଫାସୁତୁରା କରାଇ ତାଟପୀତାମ୍ବର ପିନ୍ଧାଇ ଘରକୁ ନେଲେ । ଗୋଟାଏ ଟୋପର [୧] ଖୋଳାଇ ଏ ଛଅଭଉଣୀକି ଧାଈକି ତହିଁରେ ପକାଇଦେଲେ, ତଳକଣ୍ଟା ଉପର କଣ୍ଟା ଛାଟିଦେଲେ, ମାଟି ଚଢ଼ାଇ ଦେଲେ । ରାଜା ପୁଅବୋହୂ ଘେନି ଘରଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।


ହଳାହଳକୁମର ବା ଶଶିସେନା
ଅଭିମନ୍ୟୁ କଥା ।

ଗୋଟୀଏ ଦେଶରେ ରାଜାଟିଏ, ତାର ଗୋଟିଏ ଝିଅ । ଝିଅଟି ନାଁ ଶଶିସେନା । ସେହି ଦେଶରେ ଗୋଟିଏ ଚକୁଳିଆପଣ୍ଡା ଥାଏ, ତାର


  1. ଖାତ ।