ବିଶ୍ୱବିଦ୍ୟାଳୟକୁ ଗଲୁ । ସେଠାରେ ଅତିଥି ଭବନ (ଗେଷ୍ଟ ହାଉସ)ରେ ମୋର ରହିବା ବ୍ୟବସ୍ଥା ହେଲା । କିଛି ସମୟ ଦୁଃଖ ସୁଖ ହେଲା ଭିତରେ ସେ କହିଲେ – ଦୁଇ ଦିନ ଧରି ମୁଁ ଖୁବ ଚିନ୍ତାରେ ପଡ଼ିଥିଲି । ଆପଣ ଆସି ପାରିବେ କି ନାହିଁ । ଏଠାରେ ଗଣ୍ଡଗୋଳ । ପୁଣି ଏଇ କେତେ ଦିନ ପରେ ଦିଲ୍ଲୀରେ ଆମର ମିଟିଂ । ସେଥିପାଇଁ ନାନା ପ୍ରସ୍ତୁତି ।
ମୁଁ କିନ୍ତୁ ଆସାମକୁ ଆସିବା ପାଇଁ ମୋର ଆଗ୍ରହ ଏବଂ ଆସିଲା ପରେ ଖୁବ ଆନନ୍ଦ ପ୍ରକାଶ କଲି । ସେ ମଧ୍ୟ ଖୁସି ହେଲେ । କାମାକ୍ଷା ଷ୍ଟେସନରୁ ବିଶ୍ୱବିଦ୍ୟାଳୟ ୧୦ କିଲୋମିଟର ଦୂର । ମାତ୍ର ଅତିଥିଭବନଠାରୁ ତାହା ଜମା ୪ କିଲୋମିଟର । ତେବେ ଘଣ୍ଟାକ ପରେ ଗାଡ଼ି ପଠାଇଦେବେ କହି ସେ ନିଜ ଘରକୁ ଗଲେ ।
ମୁଁ ଘଣ୍ଟାକ ମଧ୍ୟରେ ନିତ୍ୟକର୍ମ ସାରିଦେଲି । ୩ଟାରେ ମୋତେ ଗୋଟିଏ ଭାଷଣ ଦେବାକୁ ହେବ । ମୁଁ ଦୁଇଟା ମଧ୍ୟରେ ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲି । ମାତ୍ର ଡ୍ରାଇଭର ଆସିବାରେ ବିଳମ୍ବ ହେବାରୁ ମୁଁ ବାହାରକୁ ଆସି ବୁଲାବୁଲି କଲି । ଦୂର ଦିଗବଳୟରେ ସୁନୀଳ ଉଚ୍ଚ ପାହାଡ଼ ଲମ୍ବି ଯାଇଛି । ମଥାନରେ ତା’ର କଳାହାଣ୍ଡିଆ ବାଦଲର ବୋଝ । ହତାରେ ସନ୍ତସନ୍ତିଆ ଭୂଇଁ । ପଙ୍କ କାଦୁଅଭରା । ସେଠାରେ କେହି ଯତ୍ନ ନେଲାପରି ଜଣାଗଲା ନାହିଁ । ତେବେ ହତା ମଝିରେ ଗୋଲାପ, ହେନା ଆଦି ଫୁଲଗଛମାନ ମୁଣ୍ଡଟେକି ଠିଆ ହୋଇଛନ୍ତି ।
ଦୁଇଟା ପନ୍ଦର ମିନିଟରେ କାର ଆସିଲା । ମୁଁ ବିଜ୍ଞାନ କେନ୍ଦ୍ରର କ୍ୟାଣ୍ଟିନରେ କିଛି ଖାଇ ତାଲିମ କେନ୍ଦ୍ରକୁ ଗଲି । ସେଠାରେ କିଛି ସମୟ ବସିଲା ପରେ ଶର୍ମା ଆସିଲେ । କୋଅର୍ଡ଼ିନେଟର ଭଟ୍ଟାଚାର୍ଜୀ ଶ୍ରେଣୀରେ କ’ଣ ଆଲୋଚନା କରୁଥିଲେ । ଆସିଲେ । ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଆୟୋଜନ । ମୋତେ ସେମାନେ ବସିବାକୁ ଅନୁରୋଧ କଲେ । ଫଟୋ ଉଠିଲା ।