ପୃଷ୍ଠା:Malunira Fula O Anyanya Galpa.pdf/୭୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯେ ଜାଣେ, ସେ ଜାଣେ


ଜଣେ ଲୋକ ଗଛ ଉପରେ ଏକ ଜନ୍ତୁକୁ ଦେଖି ପାଟିକଲା, "ଦେଖ, ଦେଖ, ଏହି ଲାଲ ରଙ୍ଗର ଜାନୁଆରକୁ ଦେଖ ।"

ଆଉ ଜଣେ ଲୋକ କହିଲା, "ଆରେ ହଁ, ହଁ, ମୁଁ ସେ ଜାନୁଆରକୁ ଦେଖିଚି । ସେ ତ ଲାଲ ରଙ୍ଗ ନୁହ । ସବୁଜ ରଙ୍ଗ ।"

ଆଉ ଜଣେ ଆସି କହିଲା, "ନା, ନା, ତାହା ଲାଲ ନୁହଁ କି ସବୁଜ ନୁହ, ମୁଁ ଦେଖିଚି, ସେଟା ହଳଦିଆ ରଙ୍ଗର ।"

ଏହିପରି ଆଉ କେହି କେହି ସେହି ଜନ୍ତୁର ରଙ୍ଗ ଉପରେ ବିବାଦ ଆରମ୍ଭ କରିଦେଲେ ।

କିଏ କହିଲା ନୀଳ, କିଏ କହିଲା ବାଇଗଣୀ, କିଏ କହିଲା କମଳାଲେମ୍ବୁ ରଙ୍ଗ, ଏହିପରି ବିବାଦ ଆରମ୍ଭ ହୋଇଗଲା । ଶେଷକୁ ସମସ୍ତେ ମିଶି ଗଛ ନିକଟକୁ ଗଲେ ।

ଗଛ ତଳେ ଜଣେ ସନ୍ନ୍ୟାସୀ ବସିଥିଲେ । ତାଙ୍କୁ ପଚାରିବାରୁ ସେ କହିଲେ, "ମୁଁ ସବୁବେଳେ ଏଇ ଗଛତଳେ ଆସି ବସେ । ତୁମେ ସମସ୍ତେ ଯାହା କହୁଚ, ସତ । ସେ ପ୍ରାଣୀର ନାମ ବହୁରୂପୀ ।

ସେ କେତେବେଳେ ଲାଲ, କେତେବେଳେ ସବୁଜ, କେତେବେଳେ ନୀଳ, କେତେବେଳେ ହଳଦିଆ ହୋଇ ଦେଖାଦିଏ । ମୁଁ ତାକୁ ଦେଖିଚି, ବେଳେବେଳେ କୌଣସି ରଙ୍ଗ ନ ଥାଏ ।"

ବ୍ରହ୍ମ ସେହିପରି କେତେବେଳେ ସଗୁଣ, କେତେବେଳେ ନିର୍ଗୁଣ । ଯେଉଁ ବ୍ୟକ୍ତି ସବୁବେଳେ ଈଶ୍ୱର ଚିନ୍ତା କରେ, ସେ ଜାଣିପାରେ ତାଙ୍କର ସ୍ୱରୂପ କଣ! ସେହି ବ୍ୟକ୍ତି ଜାଣେ, ସେ ନାନାରୂପରେ, ନାନାଭାବରେ ଦେଖା ଦିଅନ୍ତି । ସେ ସଗୁଣ, ପୁଣି ନିର୍ଗୁଣ ।

କବୀର କହୁଥିଲେ, "ନିରାକାର ମୋର ବାପ, ସାକାର ମୋର ମାଆ ।"