ପୃଷ୍ଠା:Malunira Fula O Anyanya Galpa.pdf/୮୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭାଗବତ ପଣ୍ଡିତ


ଜଣେ ପଣ୍ଡିତ ରାଜାଙ୍କୁ ଭାଗବତ ପାଠକରି ଶୁଣାଉଥିଲେ । ଖୁବ୍ ବଡ଼ ପଣ୍ଡିତ । ଅନେକ ଶାସ୍ତ୍ର ପଢ଼ିଛନ୍ତି । ଖୁବ୍ ବିଦ୍‌ବତ୍ତା । ରାଜା ମଧ୍ୟ ଜଣେ ଭକ୍ତିମନ୍ତ ପୁରୁଷ । ପଢ଼ିବାବେଳେ ମଝିରେ ମଝିରେ ପଣ୍ଡିତ ରାଜାଙ୍କୁ ପଚାରନ୍ତି, "ମହାରାଜ ! ବୁଝିପାରୁଛନ୍ତି " ? ରାଜା ଉତ୍ତର ଦିଅନ୍ତି, "ପଣ୍ଡିତ ମହାଶୟ ! ପ୍ରଥମେ ଆପଣ ବୁଝନ୍ତୁ ।"

ରାଜାଙ୍କର ମନର ଭାବ ପଣ୍ଡିତ ବୁଝି ପାରନ୍ତି ନାହିଁ । ତାଙ୍କପରି ଏତେବଡ଼ ପଣ୍ଡିତ ଦେଶରେ ଆଉ କେହି ନାହାନ୍ତି । ସେ ନିଜେ ବହୁ ସଂସ୍କୃତ ଶ୍ଳୋକ ରଚନା କରିଛନ୍ତି । ଭାଗବତର ସଂସ୍କୃତ କଥାଗୁଡ଼ିକ ସେ ବୁଝନ୍ତି ନାହିଁ ତ ଆଉ କିଏ ବୁଝେ ?

ଯାହାହେଉ, ପଣ୍ଡିତ ରାଜସଭାକୁ ସଂସ୍କୃତ ପାଠ କରିବାକୁ ଯାଆନ୍ତି । କଠିନ କଠିନ ବିଷୟ ଗୁଡ଼ିକର ଖୁବ୍ ଭଲ ବ୍ୟାଖ୍ୟା କରନ୍ତି । ରାଜା ମଧ୍ୟ ଖୁବ୍ ମନଦେଇ ଭାଗବତ ଶୁଣନ୍ତି । କିନ୍ତୁ ସେ ବୁଝି ପାରୁଛନ୍ତି କି ନାହିଁ ତାଙ୍କ ମୁହଁ ଦେଖି କିଛି ଜଣା ଯାଏ ନାହିଁ । ପଣ୍ଡିତ ପୁଣି ଥରେ ପଚାରିଲେ, "ମହାରାଜ ! ଆପଣ ବୁଝିପାରୁଛନ୍ତି ?" ପୁଣି ସେହି ଉତ୍ତର--"ପ୍ରଥମେ ଆପଣ ବୁଝନ୍ତୁ ।"

ରାଜାଙ୍କ କଥାରେ ପଣ୍ଡିତ ଅବାକ୍ ହୋଇଗଲେ । ସେ ଭାଗବତ ଅର୍ଥ ବୁଝିପାରୁଛନ୍ତି, କିନ୍ତୁ ରାଜାଙ୍କ କଥାର ଅର୍ଥ ବୁଝିପାରୁ ନାହାନ୍ତି । ଘରକୁ ଯାଇ ପଣ୍ଡିତ ଖୁବ୍ ମନ ଦେଇ ଭାଗବତ ପଢ଼ିଲେ । ତା' ଆରଦିନ ପୁଣି ରାଜସଭାକୁ ଆସିଲେ । ପଢ଼ିବା ସମୟରେ ପଣ୍ଡିତ ରାଜାଙ୍କୁ ପ୍ରଶ୍ନ କଲେ । ରାଜା ପୁଣି ସେହି ଉତ୍ତର ଦେଲେ, "ଆପଣ ଆଗ ବୁଝନ୍ତୁ ।"

ପଣ୍ଡିତଙ୍କ ମନରେ ବଡ଼ କଷ୍ଟ ହେଲା । ଘରକୁ ଯାଇ ଏକ ମନ ଧ୍ୟାନରେ ସେ ଭାଗବତ ପଢ଼ିବାକୁ ଆରମ୍ଭ କଲେ । କିନ୍ତୁ ଏ କ'ଣ ହେଲା ପଣ୍ଡିତଙ୍କର ? ଯେତେ ପଢ଼ୁଛନ୍ତି ତାଙ୍କୁ ସେତେ ଭଲ ଲାଗୁଛି । ସେତେ ନୂଆ ନୂଆ ଅର୍ଥ ବାହାରୁଛି । ତାଙ୍କର ମନେ ହେଲା, ପ୍ରକୃତରେ ଏତେଦିନ ଧରି ସେଭାଗବତକୁ ବୁଝିପାରି ନ ଥିଲେ । ସେ ଯେତେ ପଢୁଛନ୍ତି, ତାଙ୍କୁ ସେତେ ଭଲ ଲାଗୁଚି ।

ପଣ୍ଡିତଙ୍କର ରାଜାଙ୍କ ପାଖକୁ ଯିବା ବନ୍ଦ ହୋଇଗଲା । ସେ ସବୁ ଭୁଲିଗଲେ, ଏପରିକି ଖାଇବା ଶୋଇବା ମଧ୍ୟ । ରାତିଦିନ ଭାଗବତ ଧରି ବସିଛନ୍ତି, ପଢ଼ୁଛନ୍ତି, ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି ।

ଦିନେ ଗଲା । ଦି'ଦିନ ଗଲା । ତିନି ଦିନ ଗଲା । ଭାଗବତ ପଣ୍ଡିତ ଆଉ ରାଜବାଟିକୁ ଆସିଲେନି । ରାଜା ଭାବିଲେ, ପଣ୍ଡିତଙ୍କର କ'ଣ ହେଲା ? ଦେଖୁ ଦେଖୁ ଆଉ କିଛି ଦିନ କଟିଗଲା । ଭାଗବତ ପଣ୍ଡିତ ତେବେ ମଧ୍ୟ ରାଜାଙ୍କୁ ଭାଗବତ ଶୁଣାଇବାକୁ ଆସିଲେ ନାହିଁ ।

ରାଜାଙ୍କ ମନରେ ସନ୍ଦେହ ହେଲା । ସେ ଦିନେ ଛଦ୍ମବେଶରେ ଧୀରେ ଧୀରେ ପଣ୍ଡିତଙ୍କର ଘରେ ଆସି ପହଞ୍ଚିଲେ । ଯାଇ ଦେଖିଲେ, ପଣ୍ଡିତ ଏକାକୀ ବସି ଭାଗବତ ପଢୁଛନ୍ତି ଓ ତାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ବହିଯାଉଛି । ରାଜା ଯାଇ ତାଙ୍କ ଆଗରେ ଠିଆହେଲେ । କିନ୍ତୁ ପଣ୍ଡିତଙ୍କର ଖିଆଲ ନାହିଁ । ସେ ଖୁବ୍ ବିଭୋର ହୋଇ ଭାଗବତ ପଢୁଛନ୍ତି । କିଏ ଆସିଲା, ଗଲା ବା ତାଙ୍କ ପାଖରେ କ'ଣ ଘଟିଯାଉଛି, ତାହା ସେ ଜାଣୁ ନାହାନ୍ତି । ଏହି ଅବସ୍ଥା ଦେଖି ରାଜାଙ୍କର ମନରେ ଭକ୍ତି ଆସିଲା ।