ପୃଷ୍ଠା:Netrutya O Netrutwa.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୪
ନେତୃତ୍ୱ ଓ ନେତୃତ୍ୱ


କିନ୍ତୁ ବର୍ତ୍ତମାନର ଯୁବକ ବିପ୍ଳବୀ ହେବା ତ ଦୂରର କଥା, ସବୁ କ୍ଷେତ୍ରରେହିଁ ସେ ଆଜି ଗୋଟାଏ ଅର୍ଥହୀନ ଭୀରୁତା ଓ ତୁଚ୍ଛ କାପୁରୁଷତାର ପରିଚୟ ଦେଇଅଛି । ପିତା, ଅଭିଭାବକ, ଶିକ୍ଷକ, ଅଧ୍ୟାପକ କିମ୍ବା ଉପରିସ୍ଥ କର୍ମଚାରୀ ସଙ୍ଗେ ତାହାର ଯେଉଁ ସମ୍ପର୍କ ସେ ଯେପରି ଏକ ପୁଲିସ ଏବଂ ଚୋରର ସମ୍ପର୍କ । ରାଷ୍ଟ୍ର କିମ୍ବା ସମାଜର ବିଭିନ୍ନ କ୍ଷେତ୍ରରେ ନାନା ବିଭାଗରେ ଯେଉଁ ଅଳ୍ପ କେତେ ଜଣ ଭାଗ୍ୟବାନଙ୍କର ଦୈବ-କ୍ରମେ କିଛି କ୍ଷମତା ଓ ଅଧିକାର ହେଇଅଛି, ସେମାନଙ୍କୁ ସେ ଯେପରି ଭୟ କରେ, କୌଣସି ନୂତନ ଚିନ୍ତା ଓ ନୂତନ ପରିବର୍ତ୍ତ‌ନ‌କୁ ମଧ୍ୟ ଅଭିନନ୍ଦନ କରିବା ପାଇଁ ସେହିପରି ସେ ଅକ୍ଷମ । ଶୈଶବରୁ ତାହା ଭିତରେ ଯେଉଁ ଭୟ ବା ଭୂତର ପ୍ରବେଶ ହୋଇଥାଏ, ତାହା ହିଁ ପରବର୍ତ୍ତୀ ଜୀବନରେ ନାନା ରୂପରେ ପ୍ରକାଶ ଲାଭକରେ ।

ଏହି ସଙ୍କୋଚ ଓ ଭୀରୁତା ତାହାକୁ ଏପରି ନିବିଡ଼ ଭାବରେ ଗ୍ରାସ କରେ ଯେ ତାହାର ସମସ୍ତ ଶିକ୍ଷା ଓ ଦୀକ୍ଷା ସେଠାରେ ପରାଜିତ । ଜୀବନଟା ତାକୁ ମୃତ୍ୟୁ ଅପେକ୍ଷା ଅଧିକ ଭୀଷଣ ଏବଂ ସତ୍ୟଟା ମିଥ୍ୟା ଅପେକ୍ଷା ବେଶି ଭୟଙ୍କର ବୋଧହୁଏ । ଯଥାର୍ଥରେ ସେ ଭୟ କରେ ଏହି ଜୀବନ‌କୁ, ଏହି ଅତି ବାସ୍ତବ ଓ ଅତି ସତ୍ୟ ଜୀବନ‌କୁ ।

ସେଥିପାଇଁ ତରୁଣ ବୟସରୁ ସବୁ ଅପାର୍ଥିବ କଳ୍ପନା, ସବୁ ଅବାସ୍ତବ ଦୁଶ୍ଚିନ୍ତାର ଆଶ୍ରୟରେ ନିଜକୁ ଘୋଡ଼ାଇ ରଖିବାର ଚେଷ୍ଟା । ସେଥିପାଇଁ କାବ୍ୟ କବିତା ଆଲୋଚନା ଏତେ ପ୍ରଚୁର, ସେଥିପାଇଁ ଯୁବକ ସମାଜ ଆଜି ଏତେ ବେଶି ଚାକିରି-ପ୍ରାଣ । ଜୀବ-