ପୃଷ୍ଠା:Odisha Itihasa.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ଶୁଭକର ଦେବଙ୍କ ଉତ୍ତରାଧିକାରୀ ଦ୍ୱିତୀୟ ଶିବକର ଦେବଙ୍କ ସମୟରେ ଗୌଡ଼ (ବଂଗ) ରାଜା ଦେବପାଳ କଳିଙ୍ଗ ଆକ୍ରମଣ କରି ତୋଷାଳୀ ସମେତ ଅନ୍ୟାନ୍ୟ ରାଜକୁଳକୁ ପରାଜିତ କରିଥିଲେ ବୋଲି ଏକ ସ୍ତମ୍ଭଲେଖରେ ଉଲ୍ଲେଖ ରହିଛି। ଏହି ପରାଜୟ ପରେ ଭୌମକରମାନେ ଗୌଡ଼ର ଅଧୀନସ୍ଥ ହେଲେ, ଯଦିଓ ସେମାନଙ୍କ ରାଜ୍ୟରେ ପାଳମାନଙ୍କର ପ୍ରତ୍ୟକ୍ଷ ଶାସନ ଲାଗୁ ହୋଇନଥିଲା। ଏଥିରୁ ମନେହୁଏ ଯେ, ଆଞ୍ଚଳିକ ସ୍ତରରେ ଭୌମମାନେ ଶକ୍ତିଶାଳୀ ମନେ ହେଲେ ହେଁ, ବହିରାକ୍ରମଣର ସମ୍ମୁଖୀନ ହେବା ଭଳି ଶକ୍ତି ସେମାନଙ୍କର ନଥିଲା ସମସାମୟିକ ରାଷ୍ଟ୍ରକୂଟ, ପାଳ ଆଦି ଶକ୍ତିଶାଳୀ ରାଜ୍ୟର ଦୃଷ୍ଟିର ଅନ୍ତରାଳରେ ହିଁ ସେମାନେ ନିଜ ପ୍ରଭୁତ୍ୱ ବଜାୟ ରଖି ପାରୁଥିଲେ।

ଭୌମ ରାଜା ତୃତୀୟ ଶୁଭକର ଦେବଙ୍କ ମୃତ୍ୟୁ ପରେ ଯୁବରାଜ ନାବାଳକ ଥିବାରୁ ରାଜମାତା ପ୍ରଥମ ତ୍ରିଭୁବନ ମହାଦେବୀ ୮୪୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ ଏବଂ ଯୁବରାଜ ସାବାଳକ ହେବା ପର୍ଯ୍ୟନ୍ତ ଦକ୍ଷତାର ସହିତ ରାଜତ୍ୱ କଲେ। ସମ୍ଭବତଃ ସେ ହେବେ ଓଡ଼ିଶା ଇତିହାସର ପ୍ରଥମ ମହିଳା ଶାସକ। ତ୍ରିଭୁବନ ମହାଦେବୀ ବିଷ୍ଣୁ ଭକ୍ତ ଥିଲେ। ତାଙ୍କୁ ଜଣେ ଦକ୍ଷ ଶାସକ ଭାବରେ ସମସାମୟିକ ଆରବୀୟ ଓ ପାରସୀ ଭୂଗୋଳବିତ୍‍ମାନେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆରବ ଭୂଗୋଳବିତ୍‍ ଖୁର୍ଦ୍ଧାଧବି ୮୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ବିବରଣୀରେ କହିଛନ୍ତି ଯେ 'ଦହମ' (ଭୌମ) ରାଜ୍ୟରେ 'ରାଇନା' (ରାଣୀ) ନାମରେ ପରିଚିତ ଜଣେ ମହିଳା ଶାସନ କରୁଥିଲେ। ତାଙ୍କ ରାଜ୍ୟ ସ୍ୱାଧୀନ ଥିଲା ଏବଂ ରାଜ୍ୟର ପ୍ରଭୂତ ସୈନ୍ୟବଳ ରହିଥିଲା।

ପ୍ରଥମ ତ୍ରିଭୁବନ ଦେବୀ ତାଙ୍କ ନାତି ସାବାଳକ ହେବା ଯାକେ ଶାସନ ଭାର ବହନ କରିଥିଲେ। ତାଙ୍କ ପରେ ଦ୍ୱିତୀୟ ଭୌମକର ରାଣୀ ଥିଲେ ପୃଥ୍ୱୀ ମହାଦେବୀ ବା ଦ୍ୱିତୀୟ ତ୍ରିଭୁବନ ମହାଦେବୀ (୮୯୦-୮୯୬ ଖ୍ରୀଷ୍ଟାବ୍ଦ)। ପୃଥ୍ୱୀ ମହାଦେବୀ ରାଜା ଚତୁର୍ଥ ଶୁଭକରଦେବଙ୍କ ରାଣୀ ଥିଲେ। ରାଜାଙ୍କର ଅକାଳ ମୃତ୍ୟୁ ପରେ ରାଜଭ୍ରାତା ତୃତୀୟ ଶିବକର ୮୮୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ମାତ୍ର ଅଳ୍ପକାଳ ପରେ ତାଙ୍କର ମଧ୍ୟ ମୃତ୍ୟୁ ହେବାରୁ ବିଧବା ରାଣୀ ପୃଥ୍ୱୀ ମହାଦେବୀ ରାଜତ୍ୱ କଲେ। କୋଶଳର ସୋମବଂଶୀ ରାଜା ଯଯାତିଙ୍କର ସେ ଭଉଣୀ ଥିଲେ। ତେଣୁ, ତାଙ୍କ (ପୃଥ୍ୱୀ ମହାଦେବୀଙ୍କ) ରାଜତ୍ୱ କାଳରେ ତୋଷାଳୀ ଉପରେ କୋଶଳର ଆଧିପତ୍ୟ ବୃଦ୍ଧି ପାଇଲା। ପଞ୍ଚମ ଶୁଭକର ଦେବଙ୍କ ମୃତ୍ୟୁ ପରେ ଗୌରୀ ମହାଦେବୀ, ଦଣ୍ତୀ ମହାଦେବୀ, ବକୁଳ ମହାଦେବୀ ଓ ଧର୍ମମହାଦେବୀ ନାମରେ ଚାରିଜଣ ରାଣୀ କ୍ରମାଗତ ଭାବେ ଭୌମ ରାଜ୍ୟରେ ରାଜତ୍ୱ କରିଥିଲେ। ଭୌମ ରାଣୀମାନଙ୍କର ସିଂହାସନ ଆରୋହଣ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ପୁରୁଷ ଉତ୍ତରାଧିକାରୀର ଅଭାବରେ ଅଥବା ପୁରୁଷ ଉତ୍ତରାଧିକାରୀ ସାବାଳକ ହେବା ପର୍ଯ୍ୟନ୍ତ କେବଳ ସେମାନେ ସିଂହାସନ ଆରୋହଣ କରିଥିଲେ। ଉଦାହରଣ ସ୍ୱରୂପ, ପୃଥ୍ୱୀ ମହାଦେବୀ ପତିଙ୍କ ମୃତ୍ୟୁ ପରେ ପତିଙ୍କ ଭ୍ରାତା ତୃତୀୟ ଶିବକରଙ୍କ ସିଂହାସନ ଆରୋହଣକୁ ମଧ୍ୟ ପୂର୍ଣ୍ଣ ସମ୍ମତି ଦେଇଥିଲେ। ତୃତୀୟ ଶିବକରଙ୍କର ମଧ୍ୟ ଅଳ୍ପ ଦିନ୫୨ . ଓଡ଼ିଶା ଇତିହାସ