Jump to content

ପୃଷ୍ଠା:Odisha Rajanitira Itihasa.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ପଠାଣ ଓ ମୋଗଲ ରାଜତ୍ୱ କାଳ ହେଲା ୧୫୬୮-୧୭୫୧ ଖ୍ରୀଷ୍ଟାବ୍ଦ । ଏହି ସମୟରେ ଉତ୍କଳ ବଙ୍ଗଳାର ନବାବ ଓ ମୋଗଲ ଶାସନାଧୀନ ଥାଇ ବହୁ ଅତ୍ୟାଚାର ଭୋଗ କରୁିଥିଲା । ବିଦ୍ରୋହ ଓ ଯୁଦ୍ଧ ଆଦିରେ ଲିପ୍ତ ହୋଇ ଉତ୍କଳରାଜ୍ୟ ଅନ୍ତଃସାରଶୂନ୍ୟ ହୋଇଗଲା । ୧୫୬୯ ମସିହାରେ ଉତ୍କଳର ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ଘଟିଲା । ଉତ୍କଳ ରାଜସିଂହାସନ ଶୂନ୍ୟ ପଡ଼ିଲା । ଏହାର ସୁବିଧା ଉଠାଇଲେ ମୁକୁନ୍ଦଦେବଙ୍କ ପ୍ରଧାନମନ୍ତ୍ରୀ ଭୋଇ ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁତ୍ର ରମାଇ ରାଉତରା । ସେ ରାମଚନ୍ଦ୍ର ଦେବ ନାମ ଧାରଣ କଲେ । ଆଉ ନିଜକୁ ରାଜବଂଶର ଉତ୍ତରାଧିକାରୀ ଘୋଷଣା କରି ଉତ୍କଳ ସିଂହାସନ ଆରୋହଣ କଲେ । ୧୫୮୦ ମସିହାର କଥା । ସେତେବେଳେ ଦିଲ୍ଲୀ ସମ୍ରାଟ ଥାଆନ୍ତି ଆକବର । ତୋଡର ମଲ୍ଲ ଆକବରଙ୍କ ସେନାପତି । ସେ ପଠାଣମାନଙ୍କ ବିରୁଦ୍ଧରେ ଉତ୍କଳ ଜୟ କରିବା ନିମନ୍ତେ ଆସିଲେ । ରାମଚନ୍ଦ୍ର ଦେବଙ୍କୁ ସେ ରାଜା ବୋଲି ସ୍ୱୀକାର କଲେ । ସ୍ୱୀକାର କରିବା ସହ ରାମଚନ୍ଦ୍ର ଦେବଙ୍କୁ ସମଗ୍ର ଖୋରଧା, ରାହାଙ୍ଗ, ଚବିଶକୁଦ, ସିରାଇ ଓ ଲେମ୍ବାଇ ପ୍ରଗନାମାନ ନିସ୍କର ଭାବରେ ଛାଡ଼ିଦେଲେ । ଏସମସ୍ତ ଅଞ୍ଚଳର ଆୟତନ ଥିଲା ୧୫୪୭ ବର୍ଗମାଇଲ । ଏସବୁ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳ ଗୁଡ଼ିକ ମୋଗଲମାନଙ୍କ ଶାସନ ଅଧୀନରେ ରହିଲା ।

ତୋଡ଼ରମଲ୍ଲଙ୍କ ଦ୍ୱାରା ୧୫୮୨ ଖ୍ରୀଷ୍ଟାବ୍ଦରେ ଉତ୍କଳରେ ବନ୍ଦୋବସ୍ତ ବା ଜରିବ କାର୍ଯ୍ୟ ସମ୍ପନ୍ନ ହେଲା । ପଠାଣମାନେ ପୁନର୍ବାର ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିିବାରୁ ଦିଲ୍ଲୀ ଆକବରଙ୍କ ଦରବାରର ରାଜା ମାନସିଂହ ୧୫୯୦ ମସିହାରେ ଓଡ଼ିଶା ଆକ୍ରମଣକରି ବିଦ୍ରୋହ ଦମନ କରିବା ସହ ଆହୁରି ୧୨୯ କିଲ୍ଲା ରାମଚନ୍ଦ୍ର ଦେବଙ୍କୁ ପ୍ରଦାନ କଲେ । ଏହା ଛଡ଼ା ୩୦ଟି ଗଡ଼ଜାତ ମଧ୍ୟ ତାଙ୍କ ଅଧୀନରେ ରହିଲା । ମୋଗଲ ଦରବାରରେ ତାଙ୍କୁ ଉଚ୍ଚ ସମ୍ମାନ ପ୍ରଦାନ କରାଗଲା । ସେ 'ମାନ୍‍ସୁବେଦାରୀ' ଉପାଧିରେ ଭୂଷିତ ହୋଇ ମୋଗଲ ସାମ୍ରାଜ୍ୟର କରଦରାଜ୍ୟ ଭାବରେ ରହିଲେ । ମୋଗଲ ରାଜତ୍ୱ କାଳରେ ଓଡ଼ିଆଭାଷା ସାହିତ୍ୟର ଶ୍ରୀବୃଦ୍ଧି ଘଟିଥିଲା । ଏ ଯୁଗର ଓଡ଼ିଆ କବିମାନେ ହେଲେ ଦୀନକୃଷ୍ଣ, ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ଓ ବିଶ୍ୱନାଥ ଖୁଣ୍ଟିଆ ଆଦି କବି ଓ ପଣ୍ଡିତଗଣ । ଉତ୍କଳର ଶାସନ ଦାୟିତ୍ୱରେ ଯେଉଁ ମୋଗଲ ସୁବେଦାରମାନେ ଥିଲେ, ସେମାନେ ହେଲେ:

ହକିମ ଖାଁ- ୧୬୦୭-୧୧
କଲ୍ୟାଣ ସିଂହ (ତୋଡ଼ରମଲ୍ଲଙ୍କ ପୁତ୍ର) - ୧୬୧୧-୧୭
ମକରମ ଖାଁ - ୧୬୧୭-୨୩
ମିର୍ଜା ଅହମ୍ମଦ ବେଗ୍‍ ଖାଁ - ୧୬୨୩-୨୪
ବାଖର ଖାଁ - ୧୬୨୮-୩୨
ମତାକଦ ଖାଁ - ୧୬୩୨-୪୧
ଶାକଓ୍ୱାଜ ଖାଁ - ୧୬୪୧-୪୨
ମହମ୍ମଦ ଜମନତିହାରାନି ଖାଁ - ୧୬୪୨-୪୫

୧୦ . ଓଡ଼ିଶା ରାଜନୀତିର ଇତିହାସ