ପୃଷ୍ଠା:Odisha Rajanitira Itihasa.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ଏହି ମନ୍ତ୍ରିମଣ୍ଡଳରେ କଂଗ୍ରେସର ବହୁ ପୂର୍ବତନ ମନ୍ତ୍ରୀ ସ୍ଥାନ ପାଇଲେ ମଧ୍ୟ ଶ୍ରୀ ପବିତ୍ର ମୋହନ ପ୍ରଧାନଙ୍କୁ ଗ୍ରହଣ କରାଗଲା ନାହିଁ । ବୋଧେ ରାଜା ମହାରାଜାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଯେଉଁ ତିନିଜଣ ମନ୍ତ୍ରୀ ପ୍ରଥମେ ଶପଥ ଗ୍ରହଣ କରିିଥିଲେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଏହିପରି ହେଲା: ଡକ୍ଟର ହରେକୃଷ୍ଣ ମହତାବ- (ମୁଖ୍ୟମନ୍ତ୍ରୀ) ପଲ୍‍ଟିକାଲ ଆଣ୍ଡ ସର୍ଭିିସେସ୍‍ ବିଭାଗର ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା, ସ୍ୱରାଷ୍ଟ୍ର, ରାଜସ୍ୱ, ଅବକାରୀ ଓ ଶିକ୍ଷାବିଭାଗ; ରାଜେନ୍ଦ୍ର ନାରାୟଣ ସିଂହଦେଓ- ଅର୍ଥ, ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା ବ୍ୟତୀତ ଆଦିବାସୀ ଓ ଗ୍ରାମମଙ୍ଗଳ, ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଆଇନ ଓ ପୁନର୍ବସତି ବିଭାଗ; ରାଧାନାଥ ରଥ- ବିକାଶ, ନିର୍ମାଣ, ବାଣିଜ୍ୟ, ଯାନବାହନ ଓ ଯୋଗାଣ ବିଭାଗ ।

ଶପଥ ଗ୍ରହଣ ଉତ୍ସବ ପରେ ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ମିଳିତ ଭାବରେ ନିମ୍ନଲିଖିତ ବିବୃତି ପ୍ରଦାନ କଲେ । ସେମାନେ କହିଲେ-

"ମୋଟାମୋଟି ଭାବରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ବିଶେଷତଃ ଷଢ଼େଇକଳା ଓ ଖରସୁଆଁ କଥା ଆମମାନଙ୍କ ମନରେ ସର୍ବଦା ରହିବ ଓ ସେସବୁ ଅଞ୍ଚଳକୁ ଓଡ଼ିଶା ସହିତ ପୁଣି ମିଶାଇବା ଲାଗି ଆମ୍ଭଦ୍ୱାରା ଯାହା କିଛି ହେବା ସମ୍ଭବ ଆମେ ସେ ସମସ୍ତ ଉଦ୍ୟମ କରିବୁ । ଏହି ମିଳନକୁ ରାଜନୈତିକ ସୁବିଧା ବୋଲି କେହି କେହି ଅଭିସନ୍ଧି ଆରୋପ କରିଛନ୍ତି । କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ, ଯେଉଁଠାରେ ବ୍ୟବସ୍ଥାସଭା ଭିତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ରହିଛନ୍ତି ଓ କୌଣସି ଗୋଟିଏ ଦଳର ସୁସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନାହିଁ, ସେଠାରେ ଗଣତନ୍ତ୍ର ବ୍ୟବସ୍ଥାକୁ ସଚଳ ରଖିବାକୁ ହେଲେ ମିଳିତ ସରକାର ଗଠନ ହିଁ ଏକମାତ୍ର ସ୍ୱାଭାବିକ ଅପରିହାର୍ଯ୍ୟ ପନ୍ଥା ।"

ବିବୃତିରେ ସେମାନେ ଆହୁରି କହିଲେ ଯେ ବ୍ୟବସ୍ଥାପକ ସଭା ଭିତରେ ଓ ବାହାରେ ଶକ୍ତିଶାଳୀ ସମର୍ଥନ ଥାଇ ଏକ ସୁଦୃଢ଼ ସରକାର ହେବା ଫଳରେ ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଏ ରାଜନୈତିକ ଅଚଳ ଅବସ୍ଥାର ଅବସାନ ଘଟିବ । ରାଜ୍ୟର ବିରାଟ ସମ୍ପଦଗୁଡ଼ିକୁ ଯଥା ସମ୍ଭବ ସ୍ୱଳ୍ପତମ କାଳ ମଧ୍ୟରେ ଅଧିକତମ ପରିମାଣରେ ଉପଯୋଗ କରିବା ଏବଂ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।

ଡକ୍ଟର ମହତାବ ଓ ଶ୍ରୀ ସିଂହଦେଓ ତାଙ୍କ ବିବୃତିରେ ଆହୁରି କହିଲେ ଯେ ବୃହତ୍ତର ରାଜନୈତିକ ଦଳ ଭିତରେ ଲକ୍ଷ୍ୟ ସାଧନର ସୁଦୃଢ଼ ସଂହତିର ଅଭାବ ଘଟିବା ଫଳରେ ଗତ କେତେବର୍ଷ ହେଲା ଓଡ଼ିଶା ରାଜନୈତିକ ଅନିଶ୍ଚିତତା ଭିତରେ ଘୋଷାରି ହେଉଥିଲା । ଓଡ଼ିଶା ପରି ଏକ ଅନୁନ୍ନତ ରାଜ୍ୟ ପକ୍ଷରେ ସେଭଳି ପରିସ୍ଥିତି ସହ୍ୟ କରାଯାଇ ନ ପାରେ । ପ୍ରାକୃତିକ ସମ୍ପଦ ଓ ଲୋକଶକ୍ତିରେ ଓଡ଼ିଶା ଗରିବ ନୁହେଁ । ଏହି ସମ୍ପଦ ସମୂହର ଯଥାର୍ଥ ବିିନିଯୋଗ କରିବାରେ ଯେଉଁ ଶକ୍ତି ପ୍ରୟୋଗ କରାଯିବା ଉଚିତ୍‍ ଥିଲା, ତାହା ଦୁର୍ଭାଗ୍ୟ କ୍ରମେ ସୀମାହୀନ ଓ ନିରର୍ଥକ ରାଜନୈତିକ ବାଦବିବାଦ ଭିତରେ ନଷ୍ଟ ହୋଇଯାଇଛି । ସେଭଳି ଅବସ୍ଥାର ଅବସାନ

୧୩୦ . ଓଡ଼ିଶା ରାଜନୀତିର ଇତିହାସ