ପୃଷ୍ଠା:Odisha Rajanitira Itihasa.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଲେ । ସେଠାରେ ପଣ୍ଡିତ ନେହେରୁଙ୍କ ରହିବା ପାଇଁ ସମୁଦ୍ର କୂଳରେ ସ୍ୱତନ୍ତ୍ର ବଙ୍ଗଳାଟିଏ ସ୍ଥାପନ ହେଲା । ନେହେରୁ ସେଇଠି ଅବସ୍ଥାନ କଲେ । ସେହି ବଙ୍ଗଳାର ନାମ 'ନେହେରୁ ବଙ୍ଗଳା' । ଏବେ ବି ତାହା ପାରାଦ୍ୱୀପର ଉଚ୍ଚଶ୍ରେଣୀୟ ବଙ୍ଗଳା ଭାବରେ ଖ୍ୟାତ ।

ବନ୍ଦର ହୋଇଗଲେ ତାହା କିପରି ପରିଚାଳିତ ହେବ ? ଏଇ ଚିନ୍ତା ବିଜୁବାବୁଙ୍କ ମୁଣ୍ଡକୁ ଘାରିଲା । ଖଣି ଖାଦାନରେ ଭରପୁର ଦୈତାରି ଅଞ୍ଚଳରୁ ଖଣିଜ ପଦାର୍ଥ ବାହାରକୁ ଯିବା ନିମନ୍ତେ ନିର୍ମାଣ ହେଲା ଦୈତାରିରୁ ପାରାଦ୍ୱୀପ ଯାଏ ସବୁଦିନିଆ ଏକ୍ସପ୍ରେସ୍‍ ହାଇଓ୍ୱେ । ଖଣିଜ ପଦାର୍ଥ ପାରାଦ୍ୱୀପରୁ ବିଦେଶକୁ ରପ୍ତାନି ହେବା ନିମନ୍ତେ ଏହି ରାସ୍ତା ଦେଇ ଟ୍ରକରେ ବୁହାହୋଇ ଆସିଲା ।

ପାଠ୍ୟପୁସ୍ତକ ଜାତୀୟ କରଣ ଏହି ସମୟର ଏକ ଉଲ୍ଲେଖନୀୟ ଘଟଣା । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍ତରରେ ଏକ ପ୍ରକାର ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରଚଳନ ନିମନ୍ତେ ସରକାର ଚିନ୍ତାକଲେ । ଏଥିପାଇଁ "ପାଠ୍ୟ ପୁସ୍ତକ ରଚନା ବୋର୍ଡ" ଗଠିତ ହେଲା । ଏହାର ସଭାପତି ରହିଲେ ନିଜେ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ, ଉପସଭାପତି ରହିଲେ ଶିକ୍ଷାମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ । ଏହି କମିଟି ତ‌ଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକ ଗୁଡ଼ିକ ତ୍ରିରଙ୍ଗୀ ହେଲା । ସରକାର କମ୍‍ ମୂଲ୍ୟରେ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ଛାତ୍ର ଛାତ୍ରୀମାନଙ୍କୁ ଯୋଗାଇ ଦେଲେ । ଏଥିପାଇଁ ସରକାରଙ୍କ ତରଫରୁ ଏକ ପ୍ରେସ୍‍ ଭୁବନେଶ୍ୱରଠାରେ ସ୍ଥାପିତ ହେଲା । ସରକାରଙ୍କର ଏହି ଉଦ୍ୟମ ସଫଳ ହେଲା । ପୂର୍ବରୁ ଘରୋଇ ପ୍ରକାଶକମାନେ ଏହି ସବୁ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟମାନଙ୍କୁ ଯୋଗାଉଥିଲେ । ଗୋଟିଏ ଗୋଟିଏ ଜିଲ୍ଲା ପାଇଁ ଚାରି ପାଞ୍ଚଟି ପୁସ୍ତକକୁ ମଞ୍ଜୁର କରାଯାଇଥିଲା । ଫଳରେ ସ୍କୁଲ ବିଭାଗୀୟ ଇନ୍‍ସପେକ୍ଟରମାନେ ଦୂଷିତ ଓ ଦୁର୍ନୀତି ପରାୟଣ ହେଉଥିଲେ । ପୁଣି ଏହି ବହି ଗୁଡ଼ିକ ଦୁଇ-ତିନି ବର୍ଷରେ ଥରେ ବଦଳି ଯାଉଥିଲା । ଅଭିଭାବକମାନେ ବହି କିଣି କିଣି ଖର୍ଚ୍ଚାନ୍ତ ହେଉଥିଲେ ।

ଜାତୀୟକରଣ ପୁସ୍ତକ ପ୍ରକାଶନ ହେବା ପରେ ତାହା ବର୍ଷ ବର୍ଷ ଧରି ଚାଲିଲା । ଫଳରେ ଅଭିଭାବକମାନେ ପ୍ରଥମ ପିଲାପାଇଁ ବହି କ୍ରୟ କରି ତାକୁ ଦ୍ୱିତୀୟ, ତୃତୀୟ ସନ୍ତାନ ପାଇଁ ମଧ୍ୟ ସାଇତି ରଖିଲେ । ଏହି ଜାତୀୟକରଣ ପୁସ୍ତକ ବ୍ଳକ୍‍ ସ୍ତରରେ ବିକ୍ରୀ ଆରମ୍ଭ ହେଲା । ଏହା ସରକାରଙ୍କର ଏକ ସଫଳ ଯୋଜନା । ଅଦ୍ୟାବଧି ସେହି ଢାଞ୍ଚାରେ ପୁସ୍ତକ ପ୍ରସ୍ତୁତି, ପ୍ରକାଶନ ଓ ଯୋଗାଣ ଅବ୍ୟାହତ ରହିଛି । ପଞ୍ଚାୟତ ସ୍ତରରେ ଶିଳ୍ପ ପ୍ରତିଷ୍ଠା ମଧ୍ୟ ଏହି ସମୟରେ ଏକ ନୂତନ ଯୋଜନା ।

ରାଜ୍ୟପାଳ ପରିବର୍ତ୍ତନ :

ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ୧୯୬୨ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ରାଜ୍ୟପାଳ ଡକ୍ଟର ଅଯୋଧ୍ୟା ନାଥ ଖୋସଲା ଯୋଗଦେଲେ । ସେ ଓଡ଼ିଶାର ପ୍ରଗତି ପଥରେ ବିଶେଷ

୧୫୦ . ଓଡ଼ିଶା ରାଜନୀତିର ଇତିହାସ