ପୃଷ୍ଠା:Odisha Rajanitira Itihasa.pdf/୧୬୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତଦଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ

ବୀରେନ୍‍ ମିତ୍ରଙ୍କ ମେରୀ ରାୟ ଶାସନ ତ‌ଥା ତାଙ୍କୁ ସବୁକଥାରେ ବିଜୁବାବୁଙ୍କ ସମର୍ଥନ ଯୋଗୁଁ ଶାସନ କ୍ଷେତ୍ରରେ ଅନେକ ବିଶୃଙ୍ଖଳା ଦେଖାଦେଲା । ଓଡ଼ିଶାର ଜଣେ ଖଣି ମାଲିକ ମହମ୍ମଦ ସିରାଜ ଉଦ୍ଦିନ୍‍ଙ୍କଠାରୁ ବୀରେନ୍‍ ମିତ୍ର ଦେଢ଼ଲକ୍ଷ ଟଙ୍କାଚାନ୍ଦା ଉଠାଇ ଥିବା ଘଟଣାକୁ ନେଇ କଂଗ୍ରେସ ଦଳରେ ତୁମ୍ବିତୋଫାନ ଦେଖାଦେଲା । ଆଗରୁ ମହତାବ ଗୋଷ୍ଠୀର ପବିତ୍ର ପ୍ରଧାନ ଆଦି ବିଜୁ ଓ ବୀରେନଙ୍କର ବିରୋଧୀ ହୋଇସାରିଥିଲେ । ସେମାନେ ବିଜୁ ଓ ବୀରେନଙ୍କ ନାମରେ ଏପରି ଅନେକ ଘଟଣା କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ବରାବର ଆଣିବାରେ ଲାଗିଲେ । ସେତେବେଳେ କଂଗ୍ରେସ ସଭାପତି ଥାଆନ୍ତି କେ.କାମରାଜ ନାଦର । ଉତ୍କଳ ପ୍ରଦେଶ କମିଟିର ସଭାପତି ବିଜୟ କୁମାର ପାଣି । କାମରାଜ ନାଦର ଓଡ଼ିଶା ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଓ ଅନ୍ୟମାନଙ୍କ ନାମରେ ପାଇଥିବା ଅଭିଯୋଗ ପତ୍ରଗୁଡିକୁ ପ୍ରଦେଶ କମିଟି ସଭାପତିଙ୍କ ପାଖକୁ ପଠାଇଦେଲେ । ତଦନ୍ତକରି ଶୀଘ୍ର ଏକ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ ।

ପବିତ୍ରବାବୁଙ୍କୁ ଆକ୍ରମଣ :

ପ୍ରଦେଶ କଂଗ୍ରେସ ସଭାପତି ବିଜୟାନନ୍ଦ ପାଣି ତଦନ୍ତ ଉଦ୍ଦେଶ୍ୟରେ ୧୯୬୪ ମସିହା ଅଗଷ୍ଟ ମାସ ୨୩ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ବୈଠକ ଡକାଇଲେ । ସଭାରେ ମହତାବ ଗୋଷ୍ଠୀରୁ ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନ କେବଳ ଦୁଇଜଣ ଆସି ଯୋଗଦେଲେ । ସଂଧ୍ୟା ୭ଟା ବେଳକୁ ଅନ୍ୟ ସଭ୍ୟମାନେ ଆସି ଉପସ୍ଥିତ ହୋଇଗଲେ । ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ସଭାରେ ଉପସ୍ଥିତ ହୋଇ ସଭା ଆରମ୍ଭ ହେବା ଆଗରୁ ବାହାନା ଦେଖାଇ ଚାଲିଗଲେ ।

୧୬୦ . ଓଡ଼ିଶା ରାଜନୀତିର ଇତିହାସ