Jump to content

ପୃଷ୍ଠା:Odisha Rajanitira Itihasa.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ହଠାତ୍‍ ଦିନେ 'ପୌରୁଷ'ର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଅସିତବାବୁଙ୍କ ହାତରେ ମୋତେ ଡକାଇ ପଠାଇଲେ । ଡରିଡରି ଗଲି । ଭାବିଲି, ଲେଖାରେ ବୋଧହୁଏ କେଉଁଠି କିଛି ତ୍ରୁଟି ରହିଯାଇଛି । ମାତ୍ର ଶୁଣିିଲି, ସେ ଲେଖକମାନଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ପାଖରେ ପହଞ୍ଚି ତାହା ହୃଦୟଙ୍ଗମ କଲି । ଆମ ସହିତ ପ୍ରାୟ ୪୫ ମିନିଟ୍‍ରୁ ଊର୍ଦ୍ଧ୍ୱକାଳ 'ଓଡ଼ିଶା ଅଧ୍ୟାୟ'ରେ ପ୍ରକାଶ ପାଇଥିବା ରାଜନୀତି ସମ୍ପର୍କିତ ବିଭିନ୍ନ ଲେଖା ଉପରେ ସେ ଆଲୋଚନା କଲେ । ତାଙ୍କ ମନରେ ଗୋଟିଏ ଦୁଇଟି ସ୍ଥାନରେ ଟିକିଏ ସନ୍ଦେହ ଥିଲା, ଆଲୋଚନା ମାଧ୍ୟମରେ ତାହା ଦୂରୀଭୂତ ହେଲା । ସେ ବହୁତ ଖୁସି ହେଲେ । ତାଙ୍କଠାରୁ ଆଶୀର୍ବାଦ ଓ ପ୍ରେରଣା ମଧ୍ୟ ପାଇଲି । ଜାଣିଲି, ଲେଖାଗୁଡ଼ିକୁ ସେ ପଢ଼ନ୍ତି ଓ ଅନୁଧ୍ୟାନ ମଧ୍ୟ କରନ୍ତି । ଏଥିପାଇଁ ନିଜକୁ ଧନ୍ୟ ମନେ କଲି । ଏହି ଘଟଣାର କିଛି ଦିନ ପରେ ସେ ଆସାମର ରାଜ୍ୟପାଳ ହେଲେ । ୧୯୩୬ରୁ ୨୦୦୦ ଯାଏ ଓଡ଼ିଶାର ରାଜନୀତିକ ଘଟଣାବଳୀକୁ ନେଇ ମୋର ଲେଖା ୨୫ଟି ପରିଚ୍ଛେଦରେ ସମ୍ପୂର୍ଣ୍ଣ ହେଲା ।

ଆମ ଭିତରେ ଆଲୋଚନା ହେଲା, ଲେଖାଗୁଡ଼ିକୁ ନେଇ ଗୋଟିଏ ବହି କରାଯାଉ ! ମୁଁ ବି ତାହା ଚାହୁଁଥିଲି । ଲେଖାଗୁଡ଼ିକୁ ଏକାଠି କରି 'ଆମ ଓଡ଼ିଶା'ରେ ନେଇ ଦାଖଲ କରିଦେଲି । ପ୍ରଥମ ପରିଚ୍ଛେଦରେ "୧୯୩୬ର ରାଜନୈତିକ ପୃଷ୍ଠଭୂମି" ଶୀର୍ଷକ ଅଧ୍ୟାୟଟି ଯୋଡ଼ିଲି । ପୁଣି ଶେଷ ଅଧ୍ୟାୟରେ ୨୦୦୪-୨୦୧୩ ମସିହାର ରାଜନୈତିକ ଚିତ୍ରପଟ ଏବଂ ସବା ଶେଷରେ "ପରିଶିଷ୍ଟ" ମଧ୍ୟ ସଂଯୋଗ ହେଲା । ଏସବୁ ପୂର୍ବରୁ ପ୍ରକାଶ ପାଇନଥିଲା । ଆଜି ଏହି ପୁସ୍ତକ ଆକାରରେ ସେସବୁ ପ୍ରକାଶ ପାଉଛି, "ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩)" ନାଆଁରେ । ଏଥିପାଇଁ "ଆମ ଓଡ଼ିଶା' ପ୍ରକାଶନ ବିଭାଗର ସଂପାଦନାମଣ୍ଡଳୀକୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବୈଷ୍ଣବ ପ୍ରସାଦ ମହାନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ଗବେଷଣା ଅଧିକାରୀ ରବିନାରାୟଣ ପଲେଇ, ଓଡ଼ିଶା ଅଭିଲେଖାଗାରର ପୂର୍ବତନ ଅଧ୍ୟକ୍ଷା ସବିତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟ ନିମନ୍ତେ ମୋତେ ପ୍ରତ୍ୟକ୍ଷ ଭାବରେ ବହୁ ସାହାଯ୍ୟ ଓ ସହଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ମୋର ପିତା, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅନନ୍ତ ଚରଣ ନାୟକ ସାଇତି ରଖିଥିବା ଅନେକ ପୁସ୍ତକର ସହାୟତା ଏହି ବହି ପାଇଁ ମୁଁ ନେଇଛି । ଏଣୁ ମୋର ସ୍ୱର୍ଗତ ପିତାଙ୍କ ନିକଟରେ ମୁଁ ଋଣୀ ।

ପୁସ୍ତକଟିକୁ ରାଜନୀତି-ବିଶାରଦ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଅର୍ପଣ କରି ମୁଁ ନିଜକୁ ଧନ୍ୟ ମନେକରୁଛି । ଆଶା, ପୁସ୍ତକଟି ଛାତ୍ର, ଶିକ୍ଷକ, ଗବେଷକ, ଅଧ୍ୟାପକ, ରାଜନୀତିଜ୍ଞ ଓ ସାଧାରଣ ପାଠକପାଠିକାଙ୍କ ନିକଟରେ ବିଶେଷ ଭାବରେ ଆଦୃତ ହେବ ।

ସ୍ୱାଧୀନତା ଦିବସ, ୨୦୧୩
ମହିମାଗାଦି, ଢେ଼ଙ୍କାନାଳ