ଶ୍ରେଣୀ, ଭାଷା ଭାଷୀ ଓ ସଂପ୍ରଦାୟର ଲୋକ ତାଙ୍କୁ ଖୁବ୍ ଭକ୍ତି କରୁଥିଲେ ଓ ସମ୍ମାନ ଜଣା ଉଥିଲେ ।
ଆସ୍କାରେ ପରଶୁରାମଙ୍କର ସୁଖ୍ୟାତି ବୃଦ୍ଧିରେ ଖଲିକୋଟ ରାଜା ରାମଚନ୍ଦ୍ର ଆକୃଷ୍ଟ ହୋଇ ଭଞ୍ଜନଗର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବରେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଖଲ୍ଲିକୋଟ ରାଜା ସେତେବେଳେ ଥିଲେ ଗଞ୍ଜାମ ଜିଲ୍ଲା ବୋର୍ଡ଼ର ସଭାପତି ଏବଂ ଭଞ୍ଜନଗର ହାଇସ୍କୁଲଥିଲା ଜିଲ୍ଲାବୋର୍ଡ଼ ପରିଚାଳନାଧୀନ । ୧୮୮୫ ମସିହାରୁ ଉକ୍ତ ସ୍କୁଲଟି ପ୍ରତିଷ୍ଠିତ ହୋଇଥିଲେ ହେଁ ସ୍କୁଲ ଟିର ଆଶାନୁରୂପ ଉନ୍ନତି ହୋଇନଥିଲା । ସତେ ଯେମିତି ପରଶୁରାମଙ୍କ ଭଳି ଜଣେ ଅଭିଜ୍ଞ ଓ ନିଷ୍ଠାପର ପ୍ରଧାନ ଶିକ୍ଷକଙ୍କୁ ସେ ଅପେକ୍ଷା କରିଥିଲା।
ପରଶୁରାମ ବିଦ୍ୟାଳୟ ରେ ଯୋଗଦାନ କଲାପରେ ଛାତ୍ର ଓ ଶିକ୍ଷକ ମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ତାଙ୍କର ସଂଗଠନ ଓ ସୁପରିଚାଳନାର ଯାଦୁକରୀ ଶକ୍ତି ସମସ୍ତଙ୍କୁ ମୁଗ୍ଧ କଲା । ଅଧ୍ୟାପନା ପରି ଧର୍ମ ଚର୍ଚ୍ଚାରେ ତାଙ୍କର ଆଗ୍ରହ ଓ ନିଷ୍ଠାଥିଲା ଖୁବ୍ ଗଭୀର । ଏମିତିକି ରୋମାନ୍ କ୍ୟାଥଲିକ୍ ସଂପ୍ରଦାୟର ପୁରୋଧା ଓ ପ୍ରଚାରକଙ୍କ ସହିତ ତାଙ୍କର ସୌହାର୍ଦ୍ଦ୍ୟ ଥିଲା ଅତୁଳନୀୟ । ମୁସଲମାନ , ଜିଊ, ବୌଦ୍ଧ ଧର୍ମାବଳମ୍ବୀଙ୍କ ସହିତ ତାଙ୍କର ଖୁବ୍ ସଦ୍ ଭାବ ଥିଲା ।
ସେ ତାପରେ ଖଲ୍ଲିକୋଟ , ଛତ୍ରପୁର ଆଦି ସ୍ଥାନରେ ହାଇସ୍କୁଲ ଗୁଡ଼ିକରେ ସୁଦକ୍ଷ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଦୀର୍ଘ ୩୦ ବର୍ଷ କାଳ ଅଧ୍ୟାପନାରେ ପ୍ରବୃତ୍ତ ରହି ସେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମଣିଷ କରିଥିଲେ । ସେ ହାଇସ୍କୁଲରେ ମୁଖ୍ୟତଃ ଇଂରେଜ ଲେଖାର ଅଧ୍ୟାପନା କରୁଥିଲେ । ତାଙ୍କର ଶିକ୍ଷାଦାନର ଶୈଳୀ ଏତେ ଚମତ୍କାର ଥିଲା ଯେ ଛାତ୍ରଛାତ୍ରୀଗଣ ମନ୍ତ୍ରମୁଗ୍ଧ ପରି ଶୁଣୁଥିଲେ । ଇଂରେଜି ସାହିତ୍ୟରେ ତାଙ୍କର ପ୍ରବେଶ ଥିଲା ଅସାଧାରଣ । ଅବସର ନେଲା ପରେ ବି ସେ ଶିକ୍ଷକ ହୋଇ ରହିଥିଲେ । ଆରାମ କଣ ସେ ଜାଣି ନଥିଲେ । ପୁରୀ ଧାମରେ ଉତ୍ତର ଜୀବନ ଅତିବାହିତ କରିବା ଥିଲା ତାଙ୍କର ଆନ୍ତରିକ ଇଚ୍ଛା । ସେ ତେଣୁ ଯତ୍ କିଞ୍ଚିତ ସଂଚିତ ଅର୍ଥରେ କୁଣ୍ଢେଇବେଣ୍ଟ ସାହିରେ ଏକ ପକ୍କାଘର କିଣିଥିଲେ । ସେ ଭୋର ଚାରିଟାରେ ପ୍ରାୟ ପ୍ରତିଦିନ ଉଠନ୍ତି ଏବଂ ନିତ୍ୟକର୍ମ ସାରି ସମୁଦ୍ର କୂଳରେ ଭ୍ରମଣ କରନ୍ତି । ଅଧ୍ୟୟନ , ଆରାଧନା ଓ ବିଶ୍ରାମରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେଉଥିଲା । ପୁରୀ ସହର ମଧ୍ୟରେ ବହୁ ପାଠଚକ୍ର ପଠନ ଓ ଆଧ୍ୟାତ୍ମିକ ଆଲୋଚନା କରିବାରେ ସେ ମନୋନିବେଶ କରି ପବିତ୍ର ଶାନ୍ତି ଲାଭ କରୁଥିଲେ ।