ପୃଷ୍ଠା:Odishara Itihas.pdf/୧୨୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୭
ଷଷ୍ଠ ଅଧ୍ୟାୟ ।

ଓଡ଼ିଶାରେ ମୋଗଲ ଅଧିକାର-୧୫୭୩ ଖ୍ରୀଷ୍ଟାବ୍ଦରେ ସଲିମାନ ମାନବଲୀଳା ସମ୍ୱରଣ କଲେ । ବାଜିଦ ତାଙ୍କ ଜ୍ୟେଷ୍ଠ ପୁତ୍ର ସିଂହାସନର ପ୍ରକୃତ ଉତ୍ତରାଧିକାରୀ ଥିଲେ ସୁଦ୍ଧା ପଠାଣ ସରଦାରମାନେ ସଲିମାନଙ୍କର କନିଷ୍ଠପୁତ୍ର ଦାଉଦଙ୍କୁ ସିଂହାସନରେ ଅଧିଷ୍ଠିତ କଲେ । ଦାଉଦ ରାଜା ହୋଇ ତାଙ୍କର ୧୪୦୦୦୦ ପଦାତିକ, ୪୦୦୦୦ ଅଶ୍ୱାରୋହୀ, ୨୦୦୦୦ ତୋପ, ୩୬୦୦ ଘର ହାତୀ ଥିବାର ଦର୍ଶନ କଲେ । ମୋଗଲ ସମ୍ରାଟଙ୍କର କୌଣସିପ୍ରକାର ଅଧୀନତାରେ ନ ରହିବା ସକାଶେ ତାଙ୍କର ଇଚ୍ଛା ଜନ୍ମିଲା । ସଲିମାନ ଯେଉଁ ରାଜ୍ୟ ଦେଇ ଆକବରଙ୍କର ଅନୁରାଗଭାଜନ ହୋଇଥିଲେ, ଦାଉଦ ସେ ରାଜ୍ୟକୁ ପୁନର୍ବାର ସ୍ୱରାଜ୍ୟଭୁକ୍ତ କଲେ (୧୫୩୪) । ସମ୍ରାଟ୍ ଆକବର କ୍ରୋଧପରବଶ ହୋଇ ମୁନିମଖାଁ ଓ ରାଜା ତୋଦରମଲଙ୍କୁ ସୈନ୍ୟ ସହିତ ଦାଉଦଙ୍କ ବିରୁଦ୍ଧରେ ପଠାଇଲେ । ଦାଉଦଲଖାଁ ମୁନିମଙ୍କଦ୍ୱାରା ପାଟନା ନଗରରେ ଅବରୁଦ୍ଧ ହେଲେ । କିନ୍ତୁ ମୁନିମ ସହଜରେ ପାଟନା ଜୟ କରି ପାରିଲେ ନାହିଁ । ସମ୍ରାଟ୍ ଆକବରଙ୍କୁ ନୂତନ ସୈନ୍ୟ ସମ‌ଭିବ୍ୟାହାରରେ ପାଟନାଠାକୁ ଆସିବା ନିମନ୍ତେ ସେ ପତ୍ର ଲେଖିଲେ । ଆକବର ଅବିଳମ୍ୱେ ନୌକାଦ୍ୱାରା ଯୁଦ୍ଧକ୍ଷେତ୍ର ନିକଟରେ ଆସି ଉପସ୍ଥିତ ହେଲେ । ଅବଶେଷରେ ପାଟନା ମୋଗଲ ସୈନ୍ୟଙ୍କର ହସ୍ତଗତ ହେଲା । ଦାଉଦ ଓଡ଼ିଶାକୁ ପଳାୟନ କଲେ । ମୋଗଲ ସମ୍ରାଟଙ୍କର ସେନାପତି ଦ୍ୱୟ ମଧ୍ୟ ତାଙ୍କର ପଶଚାଦ୍ଗାମୀ ହେଲେ । ଜଳେଶ୍ୱଲ ନିକଟବର୍ତ୍ତୀଟକ୍‌ରଏ ବା ମୋଗଲମାରୀ ନାମକ ସ୍ଥାନରେ ୧୫୭୫ ଖ୍ରୀଷ୍ଟାଦ ମାର୍ଚ୍ଚମାସ ୨୫ ତାରିଖ ଦିନ ଘୋର ଯୁଦ୍ଧ ହେଲା । ମୋଗଲ ସେନାଏ ପରାଭୂତ ହେବା ଉପରେ ବସିଥିଲେ । ସେମାନଙ୍କ ପକ୍ଷର ଖାଁ ଖାଲମ ନାମକ ଜଣେ ସୈନ୍ୟାଧ୍ୟକ୍ଷ ଯୁଦ୍ଧରେ ଭୂମିଶାୟୀ ହେଲେ । ମୁନିମ ଖାଁଙ୍କର ଅଶ୍ୱ ପଳାୟନ କଲା । ସୈନ୍ୟମାନେ ଭଗ୍ନହୃଦୟ ହୋଇ ଉଠିଲେ; କିନ୍ତୁ "ଆମ୍ଭମାନଙ୍କର ଜୟ ହେବ, ଆମ୍ଭମାନଙ୍କର ଜୟ ହେବ" ତୋଦରମଲଙ୍କର ଏହି ଉତ୍ସାହବାକ୍ୟ ସମସ୍ତ ମୋଗଲ ସୈନ୍ୟଙ୍କୁ ଏକତ୍ରିତ ରଖିବା ସକାଶେ ସମର୍ଥ ହୋଇଥିଲା । ଅବଶେଷରେ ଦାଉଦ ଯୁଦ୍ଧରେ ପରୀଭୂତ ହୋଇ, କଟକ ଆଡ଼କୁ ପଲାଇଲେ । ମୋଗଲ ସେନାପତିଏ କଟକ ପର୍ଯ୍ୟନ୍ତ ତାଙ୍କୁ ଅନୁଧାବନ କଲେ, ତହୁଁ ଦାଉଦ ଉପାୟାନ୍ତର ନ ଦେଖି ଆତ୍ମସମର୍ପଣ କଲେ ଓ ଅବଶେଷରେ ମୋଗଲଙ୍କୁ ବଙ୍ଗପ୍ରଦେଶ ଛାଡ଼ି ଦେଇ କଟକରେ ମୋଗଲଙ୍କ ପ୍ରଭୃତ୍ୱାଧୀନ ଶାସନକର୍ତ୍ତା ହୋଇ ରହିଲେ । ଦାଉଦ ଖାଁ ବାଧ୍ୟ ହୋଇ ବଙ୍ଗଦେଶ ମୋଗଲଙ୍କୁ ଅର୍ପଣ କରିଥିଲେ ସତ୍ୟ, କିନ୍ତୁ ତାଙ୍କ ହୃଦୟରୁ ରାଜ୍ୟଜିପ୍‌ସା ତିରୋହିତ ହୋଇ ନ ଥିଲା । ୧୫୭୫