ପୃଷ୍ଠା:Saikelara Kahani.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ଗୋଟିଏ ଖେଳନା ଭଳି ଯନ୍ତ୍ର, ଯେଉଁଥିରେ ଦୁଇଟି ଚକ ଆଗ ପଛ ହୋଇ ରହିଥିଲା ଏବଂ ତା ଉପରେ କଡ଼ିକାଠଟିଏ ଲାଗିଥିଲା । ଚଢ଼ାଳିଙ୍କୁ କଡ଼ିକାଠ ଉପରେ ବସି ଦୁଇଗୋଡ଼ରେ ସ୍କେଟିଙ୍ଗ୍ କଲା ପରି ଠେଲି ଠେଲି ଗାଡ଼ିଟିକୁ ଚଲେଇବାକୁ ପଡ଼ୁଥିଲା । ମେସିନକୁ ବୁଲାଇବାକୁ ହେଲେ ତାକୁ ଟେକିକରି ତା’ର ଆଗ ଚକକୁ ଘୋଷାଡ଼ିବାକୁ ପଡୁଥିଲା । ଅଳ୍ପ ସମୟ ପାଇଁ ମଧ୍ୟ ମାଟି ଉପରୁ ଦୁଇ ଗୋଡ଼ ଉଠାଇ ନେଲେ ଏହା ସିଧା ରହୁନଥିଲା ।
ଏହି ଅବାଗିଆ ମେସିନରେ ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ଉନ୍ନତି ଅଣାଗଲା ୧୮୧୭ ମସିହାରେ । ଗୋଟିଏ ହାଣ୍ଡଲ୍ ସାହାଯ୍ୟରେ ଏହାର ଆଗ ଚକଟିକୁ ଏପଟ ସେପଟ କରି ବୁଲାଇବାର ବ୍ୟବସ୍ଥା କରାଗଲା । ଏହି ମେସିନକୁ ତ୍ରାଇସିଏନ୍, ଖେଳଘୋଡ଼ା ବା ଭେଲୋସିଫେର୍ ଆଦି ବିଭିନ୍ନ ନାଁ ଦିଆଯାଇଥିଲା । ଜର୍ମାନୀର ବ୍ୟାରନ୍ ଭନ୍ ଡ୍ରାଇସ୍ ଏହାର ଉଭାବକ ବୋଲି ଧରାଯାଉଥିଲେ, ତେଣୁ ଏହି ଯନ୍ତ୍ରକୁ ତାଙ୍କ ନାଁ ଅନୁସାରେ ତ୍ରାଇସିଏନ୍ କୁହାଯାଉଥିଲା । ଏହି ଯନ୍ତ୍ରଟି ଖୁବ ଶୀଘ୍ର ଧନୀ ତଥା ବିଳାସୀ ଲୋକଙ୍କ ଭିତରେ ପ୍ରିୟ ହୋଇଗଲା । ବୁଲି ପାରୁଥିବା ଆଗ ଚକ ଏହି ତ୍ରାଇସିଏନ୍ ଯନ୍ତ୍ରର ସବୁଠାରୁ ବଡ଼ ନୂତନତା ଥିଲା ଏବଂ ଏହା ଫଳରେ ସେଥିରେ କିଛି ମାତ୍ରରେ ସ୍ଥିରତା ଆସିପାରିଲା । ଏହାପରେ ତ୍ରାଇସିଏନ୍ ଚାଳକ ଲମ୍ବା ଯାତ୍ରାରେ ମଧ୍ୟ ଦଉଡ଼ୁଥିବା ମଣିଷ ଏବଂ ଘୋଡ଼ାଗାଡ଼ିଠାରୁ ଅଧିକ ବେଗରେ ଯାଇପାରିଲା । କିନ୍ତୁ ଚାଳକର ଅଖାଡ଼ୁଆ ଢଙ୍ଗରେ ବସିବା ଯୋଗୁଁ ଲୋକେ ପରିହାସ କରୁଥିଲେ ଏବଂ ନିଦା ଚକ ଉପରେ ବସି ଆବଡ଼ା ଖାବଡ଼ା ରାସ୍ତାରେ ଯିବାର ଧକଡ଼ କଚଡ଼ ଯୋଗୁଁ ଅନେକ ଲୋକଙ୍କୁ ଅନ୍ତ୍ରବୃଦ୍ଧି ବା ହାର୍ଣ୍ଣିଆ ରୋଗ ହେଲା । ଏହି କାରଣରୁ ସାଇକେଲ ବିକାଶ କିଛି ଦୂର ବାଧା ପାଇଲା ।