ପୃଷ୍ଠା:Saikelara Kahani.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଏହି ବହିରେ ସେହିସବୁ ମଜାଦାର କଥା ବିଷୟରେ ଲେଖା ହୋଇଛି । ଏଥିରେ ସାଇକେଲର ବିକାଶ ଇତିହାସ ଏବଂ ଗଠନ, କାର୍ଯ୍ୟଧାରା ଓ ବିଭିନ୍ନ ତତ୍ତ୍ବର ବର୍ଣ୍ଣନା ରହିଛି । ଏଥିରେ କିଛି ତତ୍ତ୍ବ କିଟିମିଟିଆ ଲାଗିପାରେ । ତଥାପି ସାଇକେଲକୁ ବୁଝିବାକୁ ହେଲେ ସେସବୁ ବୁଝିବା ଦରକାର । ଆଶାକରୁଛୁ ଏଥର ସାଇକେଲ ଚଳାଇବା ବେଳେ ନିଶ୍ଚୟ ଚିନ୍ତା ଆସିବ କେଉଁ ଅଂଶଟି କିପରି କାମ କରୁଛି । କୌଣସି ଜିନିଷକୁ ବୁଝି ବ୍ୟବହାର କଲେ ତା’ର ମଜା ଟା ଆହୁରି ବଢ଼ିଯାଏ ! ଆହୁରି ମଧ୍ୟ ବହିଟି ପଢ଼ିଲା ପରେ ଜାଣିହେବ ଯେ ଆମର ସରଳ ସାଇକେଲଟି ମଧ୍ୟ ବିଜ୍ଞାନ ଓ ସମାଜକୁ ବୁଝିବା ପାଇଁ କିପରି ଗୋଟିଏ ମାଧ୍ୟମ ହୋଇପାରିବ ।

କୌଣସି ଜିନିଷ ବିକଶିତ ହେବା ପାଇଁ କେବଳ ଜଣକର ଅବଦାନ ନଥାଏ । ଏଥିରେ ଅନେକ ଲୋକଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କିଛି ନା କିଛି ଭୂମିକା ରହିଥାଏ । ସେହିପରି ସାଇକେଲର ଆଜିର ଅବସ୍ଥା ପଛରେ ଅନେକ ଲୋକଙ୍କର ଚିନ୍ତା ଓ କାମ ରହିଛି । ପ୍ରତି ପାଦର ଅସୁବିଧାକୁ ଅନୁଭବ କରି, ବୁଝି, ସୁଧାରି ଆଜିର ଉନ୍ନତ ସାଇକେଲ ତିଆରି ହୋଇପାରିଛି ।

ସାଇକେଲର କାହାଣୀ ବହିଟିର ମୂଳ ଇଂରାଜୀ ରୂପ ପ୍ରଥମେ ନୂଆଦିଲ୍ଲୀର ବିଜ୍ଞାନ ପ୍ରସାର ତରଫରୁ ପ୍ରକାଶିତ ହୋଇଥିଲା । ଏହି ଓଡ଼ିଆ ସଂସ୍କରଣର ପ୍ରକାଶନ ପାଇଁ ସେମାନେ ସମ୍ମତି ଦେଇଥିବାରୁ ତାଙ୍କ ପାଖରେ ଆମେ କୃତଜ୍ଞ । ବିଜ୍ଞାନ ପ୍ରସାର ଓ ସୃଜନିକାର ଏଭଳି ବିଭିନ୍ନ ଉଦ୍ୟମ ଆଗକୁ ବଢ଼ିଚାଲିବ ବୋଲି ଆମେ ଆଶା କରୁଛୁ । ଅବଶ୍ୟ ଏହା ନିର୍ଭର କରିବ ଆପଣଙ୍କ ଭଳି ବିଜ୍ଞାନପ୍ରେମୀଙ୍କ ଉପରେ । ଏହା ଉପରେ ଆପଣଙ୍କ ମତାମତ ଅପେକ୍ଷାରେ ରହୁଛୁ ।