Jump to content

ପୃଷ୍ଠା:Saptascharya.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏସବୁ ଭିତରେ ଆର୍ଟେମିସିଆଙ୍କ ମନ କିନ୍ତୁ ଲାଖୁ ରହିଥିଲା ସମାଧି ସୌଧ ନିର୍ମାଣରେ । ଖୁବ୍ ଜୋର୍‌ସୋର୍‌ରେ ଚାଲିଲା ସମାଧି ସୌଧର ନିର୍ମାଣ । କିନ୍ତୁ ଏହାର ପୂର୍ଣ୍ଣାଙ୍ଗରୂପ ଦେଖିବାର ସୌଭାଗ୍ୟ ଆର୍ଟେମିସିଆଙ୍କର ବି ନଥିଲା । ମସୋଲସ୍‌ଙ୍କ ମୃତ୍ୟୁର ଦୁଇବର୍ଷ ପରେ ତାଙ୍କ ସ୍ମୃତିକୁ ଝୁରି ହେଉଥିବା ଆର୍ଟେମିସିଆଙ୍କର ଦେହାବସାନ ଘଟିଲା । ଦୁଇଜଣଙ୍କ ଚିତାଭସ୍ମକୁ ଅସଂପୂର୍ଣ୍ଣ ସମାଧିସୌଧର ଗର୍ଭଗୃହରେ ରଖାଗଲା । ପାହାଚ ଗୁଡ଼ିକରେ ବଳି ଦିଆଗଲା ଜୀବଜନ୍ତୁମାନଙ୍କୁ । ବଳି ଦିଆଯାଇଥିବା ଜୀବମାନଙ୍କୁ ପୋତି ଦିଆଗଲା ସେହି ପାହାଚଗୁଡ଼ିକରେ ।

ଅନେକେ ଭାବିଥିଲେ ଆର୍ଟେମିସିଆଙ୍କ ମୃତ୍ୟୁ ପରେ ମୁଁ ଆଉ ପୂର୍ଣ୍ଣାଙ୍ଗ ରୂପ ପାଇ ପାରିବି ନାହିଁ । କିନ୍ତୁ ସେମାନେ ବୁଝି ନ ଥିଲେ କଳାପାଇଁ କଳାକାରର ପ୍ରେମକୁ । ଆର୍ଟେମିସିଆଙ୍କ ମୃତ୍ୟୁ ପରେ ବି ମୋତେ ନିର୍ମାଣ କରିଥିବା ସ୍ଥପତି, ମୂର୍ତ୍ତିକାରମାନେ ମୋତେ ଅଧାଗଢ଼ା ଭାବେ ଛାଡ଼ି ଦେଇ ଗଲେନି । ସେମାନେ ଏକାଠି ସ୍ଥିର କଲେ ଯେ ମୋତେ ନିଶ୍ଚିତ ଭାବେ ପୂର୍ଣ୍ଣାଙ୍ଗ ଅବୟବରେ ପରିପ୍ରକାଶ କରାଇବେ । କାରଣ ମୁଁ ଥିଲି ସ୍ଥାପତ୍ୟର ଚରମ ଉତ୍କର୍ଷ । ଏଭଳି ଉତ୍କର୍ଷ ସହ ଯୋଡ଼ି ହେବାର ମୋହ କୌଣସି କଳାକାର ତ୍ୟାଗ କରିପାରିବା ଅସମ୍ଭବ । ସେମାନେ ବି ଚାହିଁଥିଲେ ସେମାନଙ୍କ କଳାପ୍ରେମକୁ ମୋଦ୍ୱାରା କାଳ କାଳ ପାଇଁ ଉଜ୍ଜୀବିତ ରଖିବାକୁ । ମୋର ନିର୍ମାଣ ଶେଷ ହେଲା ଖ୍ରୀଷ୍ଟପୂର୍ବ ୩୫୦ରେ, ଆର୍ଟେମିସିଆଙ୍କ ମୃତ୍ୟୁର ଏକ ବର୍ଷ ପରେ ।

ମୋତେ ଯିଏ ବି ଦେଖିଲା କହିଲା, "ମୋ ସୁନ୍ଦରତା ମୃତ୍ୟୁକୁ ବି ଭୂଲାଇ ଦେଇପାରେ ।” ଦୂରଦୂରାନ୍ତରରୁ ପର୍ଯ୍ୟଟକମାନଙ୍କର ସୁଅ ଛୁଟିଲା ମୋ ପାଖକୁ । ମୃତ୍ୟୁର ସୌଧ ପରିବର୍ଜିତ ହୋଇଥିଲା କଳା, ଭାସ୍କର୍ଯ୍ୟ ଓ ପ୍ରେମର ପରମ ପ୍ରତୀକରେ । ଆର୍ଟେମିସିଆ ମୋତେ ନିର୍ମାଣ କରିବାପାଇଁ ଗ୍ରୀସ୍‌ର ଶ୍ରେଷ୍ଠ ସ୍ଥପତିମାନଙ୍କୁ ବ୍ୟବହାର କରିଥିଲେ । ଇଫେସସ୍‌ଠାରେ ଥିବା ଦେବୀ ଆର୍ଟେମିସ୍‌ଙ୍କମନ୍ଦିରର ପୁନଃନିର୍ମାଣ ତଦାରଖ କରିଥିବା ସ୍ଥପତି 'ସ୍କୋପସ୍' ଥିଲେ ମୋର ଚାରିଜଣ ନିର୍ମାଣକର୍ତ୍ତାମାନଙ୍କ ମଧ୍ୟରୁ ଜଣେ । ମୋତେ ତିଆରି କରିଥିବା ଅନ୍ୟ ଶ୍ରେଷ୍ଠ ସ୍ଥପତିମାନେ ଥିଲେ ବ୍ର୍ୟାକ୍ସିସ୍, ଲିଓଚାରସ୍ ଓ ଟିମୋଥିଅସ୍ ।

ମୁଁ ଥିଲି ହାଲିକାର୍ନାସସ୍ ସହରର ମଧ୍ୟସ୍ଥଳରେ ଅବସ୍ଥିତ ଏକ ପାହାଡ଼ ଉପରେ । ସାରା ସହର ଯେପରି ମୁଣ୍ଡ ଉଠାଇ ଦେଖିବାକୁ ବାଧ୍ୟ ହେଉଥିଲା ମୋର ଗର୍ବୋନ୍ନତ ଚୂଡ଼ାକୁ । ମୋର ଶିଖରରେ ଶୋଭା ପାଉଥିଲା ଏକ ବିରାଟ କାଂସ୍ୟ ରଥ । ଏହାକୁ ଟାଣୁଥିଲେ ଚାରିଟି ଘୋଡ଼ା । ରଥରେ ସବାର ଥିଲା ଆର୍ଟେମିସିଆ ଓ ମସୋଲସ୍‌ଙ୍କ ପ୍ରତିକୃତି । ଦୂରରୁ ଦେଖାଯାଉଥିଲା ଯେପରି ଆକାଶରେ ବିଚରଣ କରୁଛନ୍ତି ପ୍ରେମୀଯୁଗଳ ।

ଏକ ଚତୁର୍ଭୁଜାକାର କ୍ଷେତ୍ର ଉପରେ ମୋତେ ନିର୍ମାଣ କରାଯାଇଥିଲା । ଚାରିପଟେ ଥିଲା ଏକ ସୁଦୃଢ଼ ପାଚେରୀ । ମୋର ମୂଳଦୂଆ ପିଣ୍ଡିର ଲମ୍ବ ଥିଲା ୪୦ ମିଟର ଓ ଦୈର୍ଘ୍ୟ ଥିଲା ୩ଠ ମିଟର । ଏହା ଉପରେ ନିର୍ମାଣ କରାଯାଇଥିଲା ଏକ ସୁଉଚ୍ଚ ବେଦୀ । ଏହି ବେଦୀର ଚାରି କାନ୍ଥଙ୍କୁ ସଜ୍ଜିତ କରାଯାଇଥିଲା ଗ୍ରୀକ୍ ପୁରାଣର ଦେବଦେବୀମାନଙ୍କ ଭିତ୍ତିଚିତ୍ର ଦ୍ୱାରା । ବେଦୀ ଉପରକୁ ଲମ୍ବିଥିଲା ପାହାଚ । ବେଦୀର ପ୍ରତ୍ୟେକ କୋଣକୁ ଜଗି ରହିଥିଳେ ଶୁଭ୍ର ମର୍ମର ପ୍ରସ୍ତର ନିର୍ମିତ

୫୬ ସପ୍ତାଶ୍ଚର୍ଯ୍ୟ