ପୃଷ୍ଠା:Sarala Bhashatattwa.pdf/12

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସରଳ ଭାଷାତତ୍ତ୍ୱ

ହୁଏ ଇଂରାଜୀରେ ସେହି ଧ୍ୱନି ନିର୍ଦ୍ଦେଶିତ ହୁଏ ନାହିଁ ଓ ଲିପିର ଆକୃତିଗତ ସମତା ଥିଲେହେଁ ଧ୍ୱନିଗତ ପାର୍ଥକ୍ୟ ସୁପରିସ୍ଫୁଟ । ନାନା ଭାଷାରେ,ନାନା ଐତିହାସିକ କାରଣରୁ ନାନା ପ୍ରକାର ବର୍ଣ୍ଣ ପ୍ରଚଳିତ ହୋଇଅଛି ଓ ସେମାନଙ୍କର ଉଚ୍ଚାରଣ ଓ ଲିଖନପ୍ରଣାଳୀରେ ମଧ୍ୟ ନାନାପ୍ରକାର ବୈଷମ୍ୟ ଦେଖାଯାଉଅଛି ଓ ଅନେକ ଭାଷାର ଉତ୍ପତ୍ତି ଏକ ମୂଳ ଭାଷାରୁ ଅନୁସରଣ କରିବା ସମ୍ଭବପର ହେଲେହେଁ ସେମାନଙ୍କ ମଧ୍ୟରେ ଉଚ୍ଚାରଣଗତ ଓ ଲିପିଗତ ନାନା ପ୍ରକାର ପାର୍ଥକ୍ୟ ମନୁଷ୍ୟମନରେ ବିଭ୍ରମର ସୃଷ୍ଟି କରୁଅଛି ।

ଭାଷାର ମୂଳ ଉପାଦାନ 'ଶବ୍ଦ' :- ଆମ୍ଭେମାନେ ଭାଷା ଶିକ୍ଷା କରିବା ସମୟରେ ବର୍ଣ୍ଣରୁ ଆରମ୍ଭ କରୁଁ । ଭାଷା ଶିକ୍ଷାରେ ଅଗ୍ରସର ହେଲେ ପ୍ରତ୍ୟେକ ଶବ୍ଦର ଧାତୁର ସନ୍ଧାନ ପାଇବାପାଇଁ ଆଗ୍ରହ ପ୍ରକାଶ କରୁଁ, ଓ ମନେ କରୁଁ ଯେ, ଶବ୍ଦମାନଙ୍କର ଧାତୁଗତ ରୂପ ଓ ପ୍ରତ୍ୟୟ ଆଦି ବିଷୟରେ ସୂସ୍ପଷ୍ଟ ଧାରଣା ଜନ୍ମିଲେ ଆମ୍ଭେମାନେ ସେମାନଙ୍କର ଅର୍ଥ ସହଜରେ ନିରୂପଣ କରିପାରିବା । ମାତ୍ର ଏହା ବାସ୍ତବରେ ଭାଷାର କ୍ରମ ବିକାଶର ପରିଚାୟକ ନୁହେଁ । କାରଣ ଭାଷାର ମୂଳ ପଦାର୍ଥ ଶବ୍ଦ । ବର୍ଣ୍ଣ ବା ଧାତୁମାନ ଅନେକ ପରେ ସାଙ୍କେତିକଭାବରେ ଶବ୍ଦର ବିଶ୍ଳେଷଣରୁ କଳ୍ପିତ ହୋଇଅଛି । ପ୍ରଥମରେ ଲୋକମାନେ ଶବ୍ଦର ବ୍ୟବହାର କରିବାକୁ ଶିଖିଲେ । ପରେ ଶବ୍ଦର ଅର୍ଥଗତ ଓ ଉଚ୍ଚାରଣଗତ ରୂପକୁ ବିଶ୍ଳେଷିତ କରି ସେମାନେ ବର୍ଣ୍ଣର କଳ୍ପନା କରିଥିଲେ । ବ୍ୟାକରଣ ଗତ ଧାତୁ ପ୍ରଭୃତି ମୂଳ ରୂପର ମଧ୍ୟ କଳ୍ପନା ସେମାନେ କରିଥିଲେ ଓ ଧ୍ୱନିସାମ୍ୟର ପ୍ରୟୋଗଦ୍ୱାରା ନୂତନ ନୂତନ ଶବ୍ଦର ଉଦ୍ଭାବନ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏଣୁ ଭାଷା ଶିକ୍ଷା ସମୟରେ ଆମ୍ଭେମାନେ ବର୍ଣ୍ଣରୁ ଆରମ୍ଭ କଲେହେଁ ବର୍ଣ୍ଣ ମାନଙ୍କର ସମାବେଶଦ୍ୱାରା ଜାତ ଶବ୍ଦମାନଙ୍କୁ ଅନୁଶୀଳନ କରିବା ଓ ସେମାନଙ୍କର ଇତିହାସ ଆଲୋଚନା କରିବା ଭାଷାତତ୍ତ୍ୱରେ ପ୍ରୟୋଜନ ହୋଇଥାଏ । ବର୍ଣ୍ଣମାନଙ୍କର ବ୍ୟବହାର ବା ପ୍ରୟୋଗଦ୍ୱାରା ଭାଷାର ଦ୍ରୁତ ଉନ୍ନତି ଓ ପରିପୁଷ୍ଟି ସାଧିତ ହୋଇଥିଲେହେଁ ଭାଷାର ଆରମ୍ଭ ଶବ୍ଦରୁ ଓ ଶବ୍ଦର ବ୍ୟବହାରରୁ, ବର୍ଣ୍ଣରୁ ନୁହେଁ, ଏହା ସର୍ବଦା ମନେ ରଖିବାକୁ ହେବ । ପୃଥିବୀରେ ବର୍ତ୍ତମାନ ଏପରି ଅନେକ ଆଦିମ ଭାଷା ଅଛି, ଯହିଁରେ ବର୍ଣ୍ଣର ବ୍ୟବହାର ନାହିଁ, ଲିପିର ପ୍ରଚଳନ ନାହିଁ; ମାତ୍ର ଶବ୍ଦର ବ୍ୟବହାର ଅଛି ଅର୍ଥାତ୍ ଧ୍ୱନିସମାବେଶଦ୍ୱାରା ଅର୍ଥ ପ୍ରକାଶିତ ହେଉଥିଲେହେଁ ଧ୍ୱନିର ବିଶ୍ଳେଷଣ କରିବାର ପ୍ରୟାସ ଆଦୌ ନାହିଁ । ଏପରି କି ଆମ୍ଭେମାନେ ଯେଉଁମାନଙ୍କୁ ଅଜ୍ଞ ବା ମୂର୍ଖ ବୋଲି ଅଭିହିତ କରୁ, ସେମାନେ ଧ୍ୱନିର ଉଚ୍ଚାରଣଦ୍ୱାରା ଶବ୍ଦ ଅର୍ଥଯୁକ୍ତଭାବରେ ବ୍ୟବହାର କରିବାକୁ ସମର୍ଥ; ମାତ୍ର ବର୍ଣ୍ଣ, ଅକ୍ଷର ବା ଲିପି ସହିତ