ପୃଷ୍ଠା:ShreeJagannath.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଡ଼ି ନୃସିଂହ ବିଜେ
ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀରେ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ନୃସିଂହ ପ୍ରତିମା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ତା'ପରେ ବିମାନବସ୍ତୁମାନେ ସିଂହଦ୍ୱାର ଦେଇ ଚାରି ଆଶ୍ରମକୁ ବିମାନ ନିଅନ୍ତି । ଏହି ଚାରି ଆଶ୍ରମ ହେଲାମହର୍ଷି ମାର୍କଣ୍ଡେୟ (ମାର୍କଣ୍ଡେଶ୍ବର ସାହି), ମହର୍ଷି ଅଙ୍ଗିରା (ଦୋଳମଣ୍ଡପ ସାହି), ମହର୍ଷି କଣ୍ଡୁ ( ଗଉଡ଼ବାଡ଼ ସାହି) ଓ ମହର୍ଷି ଭଗ୍ନ ବାଲି ସାହି) । ପ୍ରତ୍ୟେକ ଆଶ୍ରମରେ ଶୀତଳ ଭୋଗ ହୁଏ । ତା'ପରେ ଠାକୁର ଫେରିଆସନ୍ତି ।
ଝୁଲଣ ଯାତ୍ରା
ଏହି ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏଁ ସାତ ଦିନ ହୁଏ । ସାତ ଦିନ ପାଳନ ହେବା ବିଧି ଥିବାରୁ ଦଶମୀଠାରୁ ପ୍ରତିପଦ ମଧ୍ୟରେ ତିଥି କ୍ଷୟ ଥିଲେ ନବମୀ ତିଥିରୁ ପାଳନ କରାଯାଇ ପାରେ, କିନ୍ତୁ ଛଅ ଦିନ ଯାତ୍ରା କେବେ ହୁଏ ନାହିଁ ।
ଏହି ଯାତ୍ରାର ପ୍ରଥମ ଦିନ ମଧ୍ୟାହ୍ନ ଧୂପ ଶେଷ ହୋଇ ଭିତର ଧୋପଖାଳ ହେବା ପରେ ମଇଲମ ହୁଏ । ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ହୁଏ । ଏହି ସମୟରେ ଲକ୍ଷ୍ମୀ (ଶ୍ରୀଦେବୀ) ଓ ଭୂଦେବୀ ଦକ୍ଷିଣ ଘରେ ଖଟ ଶେଯ ଉପରେ ବିଜେ କଲେ ଦକ୍ଷିଣ ଘରୁ ମଦନମୋହନଙ୍କୁ ଏହାଙ୍କ ସଙ୍ଗେ ବିଜେ କରାଯାଏ । ତା’ପରେ ଏମାନଙ୍କୁ ଅଳଙ୍କାର ଲାଗି ହୁଏ । ଭିତର ବେଶ ବଢ଼ିଲା ପରେ ଶ୍ରୀଜଗନ୍ନାଥଙ୍କର ଉତ୍ତର ଭୁଜରେ ଦୁଇଖଣ୍ଡି ଓ ଦକ୍ଷିଣ ଭୁଜରେ ଖଣ୍ଡିଏ ଏହିପରି ତିନିଖଣ୍ଡି ମାଳା ଆଜ୍ଞାମାଳା ନିମନ୍ତେ ଲାଗି କରାଯାଏ । ଦକ୍ଷିଣ ଘରେ ପାଣି ପଡ଼ି ପୂଜା ଠା' ସରିଲେ ବାହାର ଦେଉଳି ରୋଷରୁ ଭୋଗ ଛାମୁକୁ ଆସେ । ଜଣେ ପୂଜାପଣ୍ଡା ତିନିଗୋଟି ସରାରେ ପ୍ରସ୍ତୁତ ଥିବା ତିନିଗୋଟି ମାଣ୍ଡୁଅ ସର୍ପମଣୋହି (ସମର୍ପଣ) କରନ୍ତି । ଏହା ପରେ ଦକ୍ଷିଣଘରର ଅନ୍ୟ ଠାକୁରମାନଙ୍କର ଭୋଗ ବଢ଼ିଥାଏ । ତା'ପରେ ଲକ୍ଷ୍ମୀ, ଭୂଦେବୀ ଓ ମଦନମୋହନଙ୍କୁ ମହାଜନମାନେ ଭିତର ସିଂହାସନକୁ ବିଜେ କରାନ୍ତି । ତିନି ବାଡ଼ରେ କର୍ପୂର ଲାଗି ପରେ ସଂଧ୍ୟା ଆଳତି ହୋଇଥାଏ । ପରେ ଜଣେ ପୂଜାପଣ୍ଡା ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞା ମାଳ ମଦନମୋହନଙ୍କୁ ଓ ବାମ ଭୁଜରୁ ଆଜ୍ଞାମାଳ ଲକ୍ଷ୍ମୀ ଓ ଭୂଦେବୀଙ୍କୁ ଦିଅନ୍ତି । ଛାମୁ ଦିହୁଡ଼ି ସହ ଏହି ତିନି ଦେବଦେବୀଙ୍କୁ ମହାଜନମାନେ ଜଗମୋହନ ଦେଇ ବଟଦ୍ୱାର ବାଟେ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି । ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ଓ ଝୁଲଣ ଦୋଳା ନିର୍ମାଣ କରଯାଇଥାଏ । ଦୋଳାରେ ଦେବଦେବୀ ବିଜେ କରିବା ପରେ ବିଡ଼ିଆ ମଣୋହି ହୁଏ ଓ ଦେବଦେବୀ ଦୋଳି ଖେଳନ୍ତି । ସଂଧ୍ୟାଧୂପ ଶେଷ ପରେ ଝୁଲଣ ମଣ୍ଡପ କୁଞ୍ଜରେ ପାଣି ପଡ଼ି ଟେରା ବନ୍ଧା ଯାଇ ଶୀତଳ ଭୋଗ ଜଣେ ପୂଜାପଣ୍ଡା ପଞ୍ଚ ଉପଚାରରେ କରନ୍ତି । ଭୋଗ ଶେଷ ପରେ ମୁଦି ବନ୍ଦାପନା କରନ୍ତି । ଭିତରେ ଚନ୍ଦନଲାଗି ନୀତି ପରେ ମହାଜନମାନେ ମଇଲମ କରି ମଦନମୋହନଙ୍କୁ ଦକ୍ଷିଣ ଘରକୁ ଓ ଦୁଇ ଠାକୁରାଣୀଙ୍କୁ ରତ୍ନ ସିଂହାସନକୁ ବିଜେ କରାଇ ନିଅନ୍ତି ।

୧୨୮ ଶ୍ରୀଜଗନ୍ନାଥ