ପୃଷ୍ଠା:ShreeJagannath.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ । ମାଛ ରନ୍ଧା ହୁଏ । ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ । ନିର୍ଦ୍ଧିଷ୍ଟ ପଶୁ ବଳି ଛଡ଼ା ଯାଚଜ୍ଞା ବଳି ବ୍ୟବସ୍ଥା ଏଠାରେ ନାହିଁ । କାହାର ମାନସିକ ଥିଲେ ତାଙ୍କ ତରଫରୁ ପଶୁବଳି ଶ୍ରୀମନ୍ଦିର ବାହାରେ କାକୁଡ଼ି ଖାଇ ଠାକୁରାଣୀଙ୍କ ପାଖରେ ପଡ଼େ । ସଙ୍ଖଡ଼ି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ । ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳାଇ ମନ୍ଦିର ଭିତରକୁ ପ୍ରବେଶ ନିଷେଧ । ଏହି ସମୟ କାଳରେ ଗୁରୁବାର ପଡ଼ିଲେ 'ଏକାନ୍ତ’ ନୀତି ହୁଏ ନାହିଁ । ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କପାଇଁ କେତେକ ଅଧିକ ଭୋଗ ହୁଏ । ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ । ତାହାହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ । ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ ।
ଷୋଳ ପୂଜା ସମୟରେ ମା' ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି । ତାହା ହେଲା -
କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ) ।
ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ । କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି ।
ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦ୍ବିତୀୟା ଓଷା)
ସକାଳ ଧୂପ ପରେ ଲକ୍ଷ୍ମୀ (ଶ୍ରୀଦେବୀ) ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇବା ପରେ ସାତ ପାହାଚଠାରେ ଥିବା ପାଲିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିରରେ ପଡ଼ିଥିବା ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ତାଙ୍କର ମାଜଣା, ବନକଲାଗି କରାଯାଏ । ବେଶ ହୋଇ ଅଳଙ୍କାର ଲାଗି ଓ କର୍ପୂର ଲାଗି ହୁଅନ୍ତି । ପୂଜାପଣ୍ଡା ଲକ୍ଷ୍ମୀବ୍ରତ କଥା ଶୁଣାଛି । ଭୋଗ, ବନ୍ଦାପନା ହୁଏ । ମଧ୍ୟାହ୍ନ ଧୂପ ଉଠିଲେ ରତ୍ନ ସିଂହାସନକୁ ବାହୁଡ଼ନ୍ତି ।

ଶ୍ରୀଜଗନ୍ନାଥ ୧୩୯